ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିୟମ ଜମି ଜବରଦଖଲ ଘଟଣା -ଆଲୁମିନି ଆସୋସିଏସନର ବିରୋଧ, ୧୫ଦିନ ମଧ୍ୟରେ ଉଚ୍ଛେଦ ନହେଲେ ଆନ୍ଦୋଳନ
ଆଠଗଡ ତା- ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠର ନୂଆ ଛାତ୍ରାବାସ ସଂଲଗ୍ନ ମିନି ଷ୍ଟାଡିୟମ ଜମି ଜବରଦଖଲ ଘଟଣାକୁ ବିଦ୍ୟାଳୟର ଆଲୁମିନି ଆସୋସିଏସନ (ପୁରାତନ ଛାତ୍ର ସଂସଦ) ପକ୍ଷରୁ ବିରୋଧ କରାଯାଇଛି । ଗୋଟିଏ ଶିକ୍ଷାନୁଷ୍ଠାନର ଜମି ଜବରଦଖଲ କରିବା ଏବଂ ରେକର୍ଡଭୁକ୍ତ ଜମିକୁ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେବା ଘଟଣାକୁ ସଂସଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ୧୫ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନନେଲେ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ମିନି ଷ୍ଟାଡିୟମର ଜମି ପ୍ରଦାନ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନ କରାଯିବ ବୋଲି ସଂସଦ ପକ୍ଷରୁ ଚେତାଇ ଦିଆଯାଇଛି । ସୋମବାର ଏ ସଂପର୍କରେ ଏକ ଦାବିପତ୍ର କେତେକ ପୁରାତନ ଛାତ୍ର ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଏ ସଂପର୍କରେ ବିଶ୍ୱନାଥ ବିଦ୍ୟାପୀଠ ଆଲୁମିନି ଆସୋସିଏସନର ସଭାପତି ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ଏବଂ ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶ୍ରୀ ରଥ ଆଠଗଡ ଆସି ପୁରାତନ ଛାତ୍ର ସଂସଦର ସଭ୍ୟମାନଙ୍କ ସହ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଶ୍ୱନାଥ ବିଦ୍ୟାପୀଠର ମିନିଷ୍ଟାଡିୟମ ଅଞ୍ଚଳକୁ ପରିଦର୍ଶନରେ ଯାଇ ଷ୍ଟାଡିୟମ ମଧ୍ୟରେ ଏକ ୨୦ଫୁଟ ଓସାର ବିଶିଷ୍ଟ ରାସ୍ତା ପାଇଁ ଜାଗା ଛଡା ଯାଇଥିବା ଦେଖିବାକୁ ପାଇଥିଲେ । ଯେଉଁଠାରେ ରାସ୍ତା ପାଇଁ ଜାଗାଛଡା ଯାଇଛି । ସେ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଯିବା ଆସିବା ପାଇଁ ଗୋଟିଏ ରାସ୍ତା ରହିଥିବାବେଳେ ସେମାନଙ୍କର ଘର ପଛପଟେ ଆଉ ଏକ ରାସ୍ତା ପାଇଁ ବିଦ୍ୟାଳୟର ଜମିକୁ ଦେବା ଆଦୌ ଯଥାର୍ଥ ନୁହେଁ ବୋଲି ଘଟଣାସ୍ଥଳ ପରିଦର୍ଶନ ପରେ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ରଥ ମତବ୍ୟଙ୍କ କରିଥିଲେ । ଷ୍ଟାଡିୟମ ଜମିରୁ ଏତେ ପରିମାଣର ଜାଗା ରାସ୍ତା ପାଇଁ ଛଡାଗଲେ ଉକ୍ତ ଷ୍ଟାଡିୟମ ସଙ୍କୁଚିତ ହେବା ସହ ସେଠାରେ ପିଲାମାନେ ଖେଳିବା ପାଇଁ ସ୍ଥାନାଭାବ ସୃଷ୍ଟି ହେବ ବୋଲି ଶ୍ରୀ ରଥ ଅନୁଭବ କରି ଏ ସଂପର୍କରେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ସରକାରୀ କାର୍ଯ୍ୟରେ ଯାଇ ଅନୁପସ୍ଥିତ ଥିବା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ସହ ଶ୍ରୀ ରଥ ଟେଲିଫୋନ ଯୋଗେ କଥା ହୋଇ ତୁରନ୍ତ ବିଦ୍ୟାଳୟର ଜମି ମାପଚୁପ କରାଯାଇ ସେଠାରେ ରାସ୍ତା ନିର୍ମାଣ ନିଷ୍ପତ୍ତିକୁ ପୁର୍ନବିଚାର କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶ୍ୱନାଥ ବିଦ୍ୟାପୀଠର ସେଠାରେ ଥିବା କୃଷ୍ଣରସିକପୁର ମୌଜା ଓ ରାଧାଗୋବିନ୍ଦପୁର ମୌଜାର ମୋଟ ୮.୧୨ ଏକର ଜମିରୁ ଜବରଦଖଲ ହୋଇଥିବା ପ୍ରାୟ ୩ ଏକର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ଦାବି କରାଯାଇଛି । ସୂଚନା ଥାଉକି ବିଶ୍ୱନାଥ ବିଦ୍ୟାପୀଠକୁ କଟକ ଜିଲ୍ଲାପାଳ ତଥା ଏହି ବିଦ୍ୟାଳୟର ପୁରାତନ ଛାତ୍ର ଭବାନୀ ଶଙ୍କର ଚୟନୀ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ସହିତ ଏହି ମିନିଷ୍ଟାଡିୟମରେ ଛାତ୍ରଛାତ୍ରୀଙ୍କୁ ଘୋଡାଚଢା ତାଲିମ ପ୍ରଦାନ ଲାଗି ଯୋଜନା କରିଛନ୍ତି । ତେବେ ଏହି ମିନି ଷ୍ଟାଡିୟମ ଜବରଦଖଲ ଯୋଗୁଁ ସଙ୍କୁଚିତ ହୋଇଯାଉଥିବାରୁ ସେଠାରେ ଘୋଡାଚଢା ତାଲିମ ଓ ଅନ୍ୟାନ୍ୟ ଖେଳ କିପରି ହେବ ସେ ବିଷୟରେ ଶ୍ରୀ ଚୟନୀ ସମୀକ୍ଷା କରିବା ଆବଶ୍ୟକ ବୋଲି ପୁରାତନ ଛାତ୍ର ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି । ଶ୍ରୀ ରଥଙ୍କ ସହିତ ପୁରାତନ ଛାତ୍ର ସଂସଦ କର୍ମକର୍ତ୍ତା ରାମନାରାୟଣ ମହାନ୍ତି, ପ୍ରମୋଦ କୁମାର ଜେନା, ଜ୍ଞାନରଞ୍ଜନ ମହାପାତ୍ର, ଲକ୍ଷ୍ମୀନାରାୟଣ ଭଞ୍ଜ, ସୋମନାଥ ଭକ୍ତା, ଶିବନାରାୟଣ ପଟ୍ଟନାୟକ, ନିଳକଣ୍ଠ ଦୋରା, ରତିରଞ୍ଜନ ପାଇକରାୟ, ଆଶୁତୋଷ ତ୍ରିପାଠୀ, ସତ୍ୟଜିତ୍ ଦାସ, ବିକ୍ରମ କେଶରୀ ଦାସ, ଉପେନ୍ଦ୍ର ବାରିକ ପ୍ରମୁଖ ବିଶ୍ୱନାଥ ବିଦ୍ୟାପୀଠ ମିନିଷ୍ଟାଡିୟମ ପରିଦର୍ଶନ କରିବା ପରେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ସାକ୍ଷାତ କରି ଦାବି ଜଣାଇବାକୁ ଯାଇଥିଲେ ।
Comments are closed.