www.samajalive.in
Sunday, December 14, 2025
16.1 C
Bhubaneswar

ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ – ‘ପାପଡ଼ାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର’ : ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତ

ଭୁବନେଶ୍ୱର- ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ନବରଙ୍ଗପୁରର ପାପଡ଼ାହାଣ୍ଡିଠାରେ ବ୍ରିଟିଶ ପୋଲିସଙ୍କ ବର୍ବରୋଚିତ ଗୁଳିକାଣ୍ଡରେ କେବଳ ୧୯ ଜଣ ସଂଗ୍ରାମୀ ନୁହେଁ ତା’ଠାରୁ ଢେର ଅଧିକ ସଂଗ୍ରାମୀ ପ୍ରାଣ ହରାଇଥିଲେ। ନଦୀକୁ ଡେଇଁ କିଛି ସଂଗ୍ରାମୀ ପ୍ରାଣ ହରାଇଥିବାବେଳେ ଅନେକ ସଂଗ୍ରାମୀ କାରାଦଣ୍ଡ ଭୋଗୁଥିବା ସମୟରେ ମୃତ୍ୟୁବରଣ କରିଥିଲେ। ଏ ସଂପର୍କରେ ସାମ୍ବାଦିକ, ଐତିହାସିକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ମେଧାବୀ ଛାତ୍ରମାନେ ଗବେଷଣା କରିବାର ଆବଶ୍ୟକତା ରହିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।
ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶାବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠରେ ଆୟୋଜିତ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଅମାତ ପାପଡ଼ାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର ବୋଲି ଅଭିହିତ କରି ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ ଭାରତଛାଡ଼ ଆନ୍ଦୋଳନର ସ୍ୱର ପାପଡ଼ାହାଣ୍ଡିରେ ତୀବ୍ର ଭାବେ ଗୁଞ୍ଜରିତ ହୋଇଥିଲା। ଏହି ସଂଗ୍ରାମୀମାନଙ୍କ ବଳିଦାନର ଭିତ୍ତିଭୂମି ଉପରେ ଆମ ଦେଶ ଭାରତବର୍ଷ ଠିଆ ହୋଇଛି ଏବଂ ଆମେ ସ୍ୱାଧୀନତାର ଆନନ୍ଦ ନେଉଛେ ବୋଲି ସେ ଉଲ୍ଲେଖ କରିଥିଲେ।

- Advertisement -

ସମ୍ବାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଓଡ଼ିଶା ରିଭୁ୍ୟ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡ. ଲେନିନ୍‌ ମହାନ୍ତି ପ୍ରମୁଖ ପାପଡ଼ାହାଣ୍ଡି ଘଟଣା ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ବୋଲି ଉଲ୍ଲେଖ କରିଥିଲେ। ସ୍ୱାଧୀନତା ନିମନ୍ତେ ନବରଙ୍ଗପୁର ପରି ଏକ ଆଦିବାସୀବହୁଳ ଅଞ୍ଚଳର ଜନସାଧାରଣ ଯେପରି ତ୍ୟାଗ ସ୍ୱୀକାର କରିଥିଲେ ତାହା ଉତ୍ତରପିଢ଼ିଙ୍କୁ ସବୁବେଳେ ଅନୁପ୍ରାଣିତ କରୁଥିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଶ୍ରୀ ଅରବିନ୍ଦ ଦାସ ପାପଡ଼ାହାଣ୍ଡିର ତୁରୀ ନଦୀ ତଟରେ ସଂଘଟିତ ଏହି ବର୍ବରୋଚିତ ଗୁଳିକାଣ୍ଡ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। କାରଣ ଦେଶୀୟ, ଜାତୀୟ ଓ ଜଙ୍ଗଲରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଐତିହାସିକମାନେ ଏହି ଗୁଳିକାଣ୍ଡକୁ ଯେତେ ଗୁରୁତ୍ୱ ଦେବା କଥା ସେତିକି ଦେଇନାହାନ୍ତି। ୧୯ ଜଣ ନୁହେଁ, ବରଂ ୪୩ ଜଣ ଏଠାରେ ଶହୀଦ ହୋଇଥିଲେ। ତେଣୁ ଏହାକୁ ରକ୍ତତୀର୍ଥ ପାପଡ଼ାହାଣ୍ଡି କୁହାଯାଏ। ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରି ପାପଡ଼ାହାଣ୍ଡି ସଂଗ୍ରାମର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ସ୍ୱାଗତ ଭାଷଣ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆତ୍ମୋତ୍ସର୍ଗ ବଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତା ପାଇଛେ ବୋଲି ପ୍ରକାଶ କରିଥିଲେ। ଶାବରୀ ସାଂସ୍କୃତିକ ସଂସଦର ଉପସଭାପତି ଶ୍ରୀ ଗୌରଚନ୍ଦ୍ର ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶେଷରେ କାକିରିଗୁମା, କୋରାପୁଟର କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ଜନଜାତି ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories