ବାଙ୍କୀ:ମହାନଦୀର ବନ୍ୟା ସ୍ଥିତି ହ୍ରାସ ପାଇଛି। ମହାନଦୀରୁ ରଣନଦୀକୁ ପ୍ରବେଶ କରୁଥିବା ଜଳ କ୍ରମଶଃ ନଦୀକୁ ଲେଉଟାଣି ଆସୁଛି। ପ୍ରଭାବରେ ମାଡିଥିବା ବ୍ୟାପକ ଅଞ୍ଚଳର ବନ୍ୟାଜଳ ମୁଖ୍ୟ ରାସ୍ତା ପାଖରୁ ଧିରେ ଧିରେ କମୁଛି। ବାଙ୍କୀ ଏନଏସି ଅନ୍ତର୍ଗତ ମନ୍ତ୍ରୀସାହିଠାରୁ ବିଲିପଡା ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତାରୁ ବନ୍ୟାଜଳ ଛାଡିବା ପରେ ଲୋକ ମାନେ ଘର ସଫାସୁତୁରା କରିବା ଆରମ୍ଭ କରିଛନ୍ତି। ମାତ୍ର ବିଲିପଡା ତାଳବସ୍ତ ରାସ୍ତାରେ ପ୍ରାୟ ୪ଫୁଟର ପାଣି ମାଡି ରହିଥିବାରୁ ବିଲିପଡା ଓ ତାଳବସ୍ତ ମଧ୍ୟରେ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ଅଗଷ୍ଟ ୧୪ତାରିଖ ଠାରୁ ଜଳବନ୍ଦୀ ରହିଥିବା ରଣନଦୀ ଗାଁ ଶୁଖୁଆଖଳା ବନ୍ୟାର ୧୦ଦିନ ପରେବି ଜଳବନ୍ଦୀ। ଗାଁର ୨୨୦ପରିବାର ଭୋଗୁଛନ୍ତି ଦୁର୍ଦ୍ଦଶା। ଗାଁଠାରୁ ଦୀର୍ଘ ୨କିମି ଧରି କରବର ପର୍ଯ୍ୟନ୍ତ ବନ୍ୟାଜଳ ମାଡି ରହିଛି। ଲୋକମାନଙ୍କ ପାଇଁ ଯାତାୟତର ମାଧ୍ୟମ ଓଡ୍ରାଫ ଟିମ ପକ୍ଷରୁ ସହାୟତା ଦେଉଥିବା ମୋଟର ଚାଳିତ ଡଙ୍ଗା ବନ୍ଦ ହୋଇଛି। ଏପରିକି ଅଗ୍ନିଶମ ବିଭାଗ ଦ୍ୱାରା ସହଯୋଗୀ ମୋଟର ଚାଳିତ ବୋଟଟି ମଧ୍ୟ ବନ୍ଦ ରହିଛି।
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ବ୍ଲକ ପ୍ରଶାସନକୁ ବିପନ୍ନଙ୍କୁ ସହାୟତା ଦେବାପାଇଁ ଆସିଥିବା ଯନ୍ତ୍ର ଚାଳିତ ୩ଟି ଡଙ୍ଗା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଶିମିଳିପୁର ଠାରେ ପଡିରହିଛି। ଏବେ ୧୦ଦିନ ପରେ ମଧ୍ୟ ବନ୍ୟାଜଳ ଘେରରେ ଗ୍ରାମବାସୀ। ଆଗକୁ ଶୁଖୁଆଖଳାକୁ ଯୋଗା ଯୋଗ ସଞ୍ଜୋଗ ହେବା ତଥା ଗ୍ରାମବାସୀ ଜଳବନ୍ଦୀରୁ ମୁକ୍ତି ପାଇବା ପାଇଁ ଆଉ ୭ରୁ ୮ଦିନ ଲାଗିଯିବ ବୋଲି ଗ୍ରାମବାସୀ କହିଛନ୍ତି। ଡଙ୍ଗା ବନ୍ଦ ହୋଇଯିବା ପରେ ଗ୍ରାମବାସୀ ବାହ୍ୟ ଜଗତ ସହ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯିବା ସହ ରୋଗୀଙ୍କୁ ଡାକ୍ତରଖାନା ଆଣିବା କିମ୍ବା ପାନୀୟଜଳ ପାଇବା ପାଇଁ ପରିସ୍ଥିତି ଜଟିଳ ହେବ ବୋଲି ପୁରୁଖା ଲୋକମାନେ କହିଛନ୍ତି। ଅତି ଜରୁରୀ ପରିସ୍ଥିତି ଆସିଲେ ପୂର୍ବ ବର୍ଷ ମାନଙ୍କରେ ଅଣ୍ଟାଏ ପାଣିରେ ପସି ପ୍ରଶାସନକୁ ଗୁହାରି କରିବା ହେଉ, ରୋଗୀଙ୍କୁ ଡାକ୍ତରଖାନା ନେବାପାଇଁ ମୁଖ୍ୟ ରାସ୍ତାକୁ ଆସିବା ହେଉ କିମ୍ବା ଅତି ଆବଶ୍ୟକ ସାମଗ୍ରୀ ପାଇଁ ଆସିବାକୁ ପଡିଥାଏ ବୋଲି ସୂଚନା ମିଳିଛି। ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଲୋକମାନଙ୍କ ଦୁର୍ଦ୍ଦଶା ହଟିନାହିଁ।



