ଉଜୈନ : ମଧ୍ୟପ୍ରଦେଶର ନାଗଦାରେ ସୋମବାର ସକାଳେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ସ୍କୁଲ ଭ୍ୟାନ ସହ ଟ୍ରକର ଧକ୍କା ହୋଇ ଚାଲିଗଲା ଶିଶୁଙ୍କ ଜୀବନ। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୪ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ନାଗଦା ଉହ୍ନେଲ ରୋଡରେ ଘଟିଛି। ନାଗଦାରେ ଥିବା ଏକ ସ୍କୁଲରେ ଉକ୍ତ ଶିଶୁମାନେ ପାଠ ପଢୁଥିଲେ। ପ୍ରାୟ ୧୫ ଜଣ ଶିଶୁ ଉକ୍ତ ଭ୍ୟାନରେ ଥିଲେ। ପିଲାଙ୍କୁ ସ୍କୁଲ ନେଇ ଯିବା ବାଟରେ ଭୁଲ ଦିଗରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। ଭ୍ୟାନର ଅଧିକାଂଶ ଅଂଶ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବାରୁ ଖୁବ ଜୋରରେ ଧକ୍କା ହୋଇଥିବା ନେଇ ଦେଖାଯାଇଛି। ଖବର ପାଇବା ମାତ୍ରେ ପୁଲିସ,ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କିଛି ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଶିଶୁଙ୍କ ବୟସ ୧୦ ରୁ ୧୫ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।



