ଡେସ୍କ: ଦୂରଦର୍ଶନ ଦ୍ୱାରା ପ୍ରସ୍ତୁତ ‘ସ୍ୱରାଜ : ଭାରତ କେ ସ୍ୱତନ୍ତ୍ରତା ସଂଗ୍ରାମ କି ସମଗ୍ର ଗାଥା’ ଧାରାବାହିକର ସ୍ୱତନ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଆଜି ଅଂଶ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଂସଦ ଭବନରେ ଏହାର ପ୍ରଦର୍ଶନ ହେବ। ଏହା ୭୫ ଅଧ୍ୟାୟ ବିଶିଷ୍ଟ ଏକ ଧାରାବାହିକ ଯେଉଁଥିରେ ଦେଶର ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଛି। ପ୍ରତି ରବିବାର ରାତି ୯ଟାରୁ ୧୦ଟା ମଧ୍ୟରେ ଏହା ଦୂରଦର୍ଶନ ନ୍ୟାଶନାଲ୍ ଚ୍ୟାନେଲରେ ଗତ ୧୪ ତାରିଖରୁ ପ୍ରସାରିତ ହେଉଛି।
ଏହାକୁ ମଧ୍ୟ ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍, ମରାଠୀ, ଗୁଜରାତୀ, ଓଡ଼ିଆ, ବେଙ୍ଗଲୀ, ଅସମୀୟା ଓ ଇଂଗ୍ରାଜୀ ଭାଷାରେ ଆସନ୍ତା ୨୦ ତାରିଖରୁ ପ୍ରସାରଣ କରାଯିବ। ୧୪୯୮ରେ ଭାସ୍କୋଡ଼ାଗାମାଙ୍କ ଭାରତରେ ପଦାର୍ପଣଠାରୁ ଘଟଣାବଳୀ ଗୁଡ଼ିକ ଏଥିରେ ସ୍ଥାନିତ ହୋଇଛି। ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବହୁ ସଂଗ୍ରାମୀମାନଙ୍କ ବିଷୟରେ ଏଥିରୁ ଜାଣିବାକୁ ମିଳିବ। ସେମାନଙ୍କ ମଧ୍ୟରେ ରାଣୀ ଅବାକ୍କା, ବକ୍ସି ଜଗବନ୍ଧୁ, ତିରୋଟ ସିଂ, ସିଦ୍ଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ, ଶିବପ୍ପା ନାୟକା, କହ୍ନୋଜୀ ଆଙ୍ଗ୍ରେ, ରାଣୀ ଗାଇଡିନ୍ ଲିଉ ଓ ତିଲ୍କା ମାଝି ଅଛନ୍ତି। ଏହା ବ୍ୟତୀତ ରାଣୀ ଲକ୍ଷ୍ମୀବାଈ, ମହାରାଜ ଶିବାଜୀ, ତାତିଆ ଟୋପେ ଓ ମାଡାମ୍ ଭିକାଜୀ କାମାଙ୍କ ବିଷୟରେ ମଧ୍ୟ ଏଥିରୁ ଜାଣିହେବ।



