ଓଡ଼ିଶାରେ ନକ୍ସଲ ହିଂସା ; ଦୁଇ ଦଶନ୍ଧିରେ ୨୩୧ ସହିଦ

ଗଲାଣି ୩୪୪ ନିରୀହ ଲୋକଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ନକ୍ସଲ ହିଂସା ଯୋଗୁଁ ଗତ ଦୁଇ ଦଶନ୍ଧିରେ ୨୩୧ ଜଣ ସୁରକ୍ଷାକର୍ମୀ ସହିଦ୍‌ ହୋଇଥିବାବେଳେ ୩୪୪ ଜଣ ନୀରିହ ନାଗରିକଙ୍କ ମୃତ୍ୟୁ ଘଟିଛି। ଗତ ୨୨ବର୍ଷରେ ମୋଟ ୫୭୫ଜଣଙ୍କ ଜୀବନ ଯାଇଛି। ବହୁସଂଖ୍ୟାରେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ଆହତ ମଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ନକ୍ସଲ ହିଂସା ଦିନକୁ ଦିନ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି। ଗୃହ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୦୦ ମସିହାରେ ନକ୍ସଲ ପ୍ରଭାବିତ ଜିଲା ମାତ୍ର ୫ଟି ଥିଲା। ପରବର୍ତ୍ତୀ ସମୟରେ ଏହା ଅନ୍ୟ ଜିଲାକୁ ବ୍ୟାପିଥିଲା। ଗୋଟିଏ ସମୟରେ ରାଜ୍ୟର ୩୦ ଜିଲାରୁ ୨୧ ଜିଲା ନକ୍ସଲ ପ୍ରଭାବରେ ପ୍ରଭାବିତ ହୋଇଥିଲା। ୨୦୦୦ ମସିହାରେ ନକ୍ସଲ ଆକ୍ରମଣରେ ୪ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ୨୦୦୧ ମସିହାରେ ଏଭଳି ଆକ୍ରମଣରେ ୮ଜଣ ସୁରକ୍ଷାକର୍ମୀ ସହିଦ ହାଇଥିବାବେଳେ ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ଧିରେ ଧିରେ ନକ୍ସଲଙ୍କ ପ୍ରଭାବ ବଢ଼ୁଥିବା ବେଳେ ୨୦୦୨ ମସିହାରେ ୭ ସୁରକ୍ଷାକର୍ମୀ ଓ ୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ୨୦୦୩ ମସିହାରେ ନକ୍ସଲ ଆକ୍ରମଣ ପ୍ରଭାବ ଅଧିକ ଥିଲା। ସେହିବର୍ଷ ନକ୍ସଲ ଆକ୍ରମଣରେ ୧୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୪ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲେ। ସେହିପରି ୨୦୦୪ରୁ
୨୦୦୭ ମସିହା ମଧ୍ୟରେ ନକ୍ସଲ ଆକ୍ରମଣରେ ୧୨ ଜଣ ଯବାନ ଓ ୩୫ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ୨୦୦୮ରେ ରାଜ୍ୟରେ ନକ୍ସଲ ପ୍ରଭାବ ଚରମସୀମାରେ ପହଞ୍ଚିଥିଲା। ସେହିବର୍ଷ ନକ୍ସଲ ଆକ୍ରମଣରେ ୭୪ ଯବାନ ସହିଦ ହୋଇଥିବାବେଳେ ୨୨ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ସେହିପରି ୨୦୦୯ରେ ନକ୍ସଲ ଆକମ୍ରଣରେ ୩୪ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ଓ ୨୬ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ୨୦୧୦ରେ ମଧ୍ୟ ଅନୁରୂପ ନକ୍ସଲ ଆକ୍ରମଣରେ ୨୨ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୫୧ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲେ। ୨୦୧୧ ମସିହାରେ ସେଭଳି ଆକ୍ରମଣରେ ୧୫ ସୁରକ୍ଷାକର୍ମୀ ଓ ୩୨ ସାଧାରଣ ଲୋକଙ୍କ ଜୀବନ ଯାଇଥିବାବେଳେ ୨୦୧୨ରେ ୧୯ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ଓ ୨୫ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ୨୦୧୩ଠାରୁ ନକ୍ସଲ ପ୍ରଭାବ ରାଜ୍ୟରେ ଯଦିଓ ହ୍ରାସ ପାଇଥିଲା, ତଥାପି ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ଜୀବନ ପ୍ରଭାବିତ ହେଉଥିଲା। ୨୦୧୩ ମସିହାରେ ନକ୍ସଲ ଆକ୍ରମଣରେ ୭ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୨୨ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ୨୦୧୪ରେ ଯଦିଓ ନକ୍ସଲ ଆକ୍ରମଣରେ କେହି ସୁରକ୍ଷାକର୍ମୀ କ୍ଷତଗ୍ରସ୍ତ ହୋଇ ନ ଥିଲେ; କିନ୍ତୁ ୨୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ୨୦୧୫ରେ ୪ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୨୬ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ୨୦୧୬ରେ ୩ ସୁରକ୍ଷାକର୍ମୀ ଓ ୨୩ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ୨୦୧୭ ମସିହାରେ ନକ୍ସଲ ଆକ୍ରମଣରେ ୯ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୧୭ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ୨୦୧୮ଠାରୁ ରାଜ୍ୟରେ ନକ୍ସଲ ହିଂସା ହ୍ରାସ ପାଇଛି। ସେହି ବର୍ଷଠାରୁ ୨୦୨୧ ପର୍ଯ୍ୟନ୍ତ ନକ୍ସଲ ହିଂସାରେ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୩୧ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି। ରାଜ୍ୟରେ ନକ୍ସଲ ପ୍ରଭାବହୀନ ହେବାରେ ଲାଗିଛି। ଏବେ ୧୧ ଜିଲା ନକ୍ସଲ ପ୍ରଭାବରୁ ମୁକ୍ତ ହୋଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

kalyan agarbati

Comments are closed.