ମୋହନା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର(ସିଏଚସି) ପରିଦର୍ଶନରେ ଆସି ସ୍ୱାସ୍ଥ୍ୟକେନ୍ଦ୍ରରେ ପି.ଗୋବିନ୍ଦପୁର ଗ୍ରାମରେ ଲାଗିରହିଥିବା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କୋଠରୀ ବୁଲି ଦେଖିଛନ୍ତି। ସ୍ଵାସ୍ଥ୍ୟକେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଡାକ୍ତର ନମିତା ପଣ୍ଡାଙ୍କ ସହ ଆଲୋଚନା କରିବା ସହ ସମୀକ୍ଷା କରିଥିଲେ। ଡାକ୍ତର ପଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ରହିବା ପାଇଁ କୋଠରୀର ଅଭାବ, ପାନୀୟ ଜଳର ଅଭାବ, ପାଇଖାନା ଗୃହର ଅଭାବ, ବିପଦସଙ୍କୁଳ କୋଠା, ଲେବର ରୁମର ଅଭାବ, ପ୍ରସୂତିଙ୍କ ପାଇଁ ବିଶ୍ରାମ ଗୃହ , ସ୍ୱାସ୍ଥ୍ୟ କର୍ମଚାରୀମାନେ ରହୁଥିବା ବିପଦସଙ୍କୁଳ ଆବାସ,୧୫ ବର୍ଷରୁ ଦୀର୍ଘ ଦିନ ଧରି ବଦଳି ନ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡ୍ଡା ଜମାଇ ରହିଥିବା ଷ୍ଟାଫ ନର୍ସ ଓ ଅନ୍ୟ କିଛି କର୍ମଚାରୀଙ୍କୁ ବଦଳି କରାଯିବା ଆଦି ସମସ୍ୟା ବିଷୟରେ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ।ଉପଜିଲ୍ଲାପାଳ ଡାକ୍ତରମାନଙ୍କ ଉପସ୍ଥାନ ଖାତା ଓ କିଛି ନଥିପତ୍ର ତନଖି ଥିଲେ।
ଏହାପରେ ଗଣମାଧ୍ୟମ ପ୍ରତିନିଧି ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ସମସ୍ୟା ସଂପର୍କରେ ଟିକିନିଖି ତଥ୍ୟ ଜିଲ୍ଲାପାଳଙ୍କୁ ଦେଇ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ କହିଥିଲେ।



