www.samajalive.in
Tuesday, December 9, 2025
15.1 C
Bhubaneswar

ଜନସଂଖ୍ୟା ବୃଦ୍ଧି ଆଶୀର୍ବାଦ ନା ଅଭିଶାପ?

ଜାତିସଂଘ ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗର ଜନସଂଖ୍ୟା ରିପୋର୍ଟ ଅନୁସାରେ ୧୯୫୦ ଠାରୁ ଜନସଂଖ୍ୟା ବୃଦ୍ଧି ବିଶ୍ବରେ କମିଛି। ଏହି ବୃଦ୍ଧି ଧାରା ଜାରି ରହିଲେ, ୨୦୫୦ ସୁଦ୍ଧା ଜନସଂଖ୍ୟା ପୃଥିବୀରେ ୯୭୦ କୋଟିରେ ପହଞ୍ଚିବ। ୨୦୨୩ ସୁଦ୍ଧା ଭାରତ, ଚୀନକୁ ପଛରେ ପକାଇ ପ୍ରଥମ ସ୍ଥାନର ରହି, ବିଶ୍ବର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ରଭାବେ ପରିଣତ ହେବ। ଭାରତ ଭଳି ବିକାଶଶୀଳ ରାଷ୍ଟ୍ରର ଜନସଂଖ୍ୟା ବୃଦ୍ଧି ହାର କମିବାର ମୁଖ୍ୟ କାରଣ ହେଲା: (୧) ଜନ୍ମହାର ହ୍ରାସ ଓ ଆୟୁଷ ବୃଦ୍ଧି। ଜନସଂଖ୍ୟା ବୃଦ୍ଧି ହ୍ରାସ ହେବାରୁ ଚୀନରେ କାର୍ଯ୍ୟକ୍ଷମ ଶ୍ରମିକଙ୍କର ଅଭାବ ଦେଖାଗଲା ଏବଂ ତାହା ସହ ନିର୍ଭରଶୀଳ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ହେଲା। ଏଥିଯୋଗୁଁ ଚୀନ ଏକ ସନ୍ତାନ ଓ ଦୁଇ ସନ୍ତାନ ନୀତି ପ୍ରତ୍ୟାହାର କରିଛି। ଦୁଇ ସନ୍ତାନ ନୀତିର ବିଫଳତା ପରେ ତିନି ସନ୍ତାନ ନୀତି ଅବଲମ୍ବନ କରିଛି ଓ ଦମ୍ପତିଙ୍କୁ ବିିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଉଛି। ଏହାଦ୍ବାରା କାର୍ଯ୍ୟକ୍ଷମ-ବୟସ ସୀମା ମଧ୍ୟରେ ଥିବା ଜନସଂଖ୍ୟା ଭବିଷ୍ୟତରେ ବୃଦ୍ଧି ହେବ ଏବଂ ଚୀନରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଚାହିଦା ନିଜ ଦେଶ ମଧ୍ୟରେ ବୃଦ୍ଧି ହୋଇ ଅର୍ଥ ବ୍ୟବସ୍ଥାକୁ ଆଉ ଅଧିକ ଚଳଚଞ୍ଚଳ କରି ଅର୍ଥନୈତିକ ବିକାଶର ବୃଦ୍ଧିହାରକୁ ବଢ଼ାଇବ।

ଭାରତରେ ଜନସଂଖ୍ୟା ବୃଦ୍ଧି ସମସ୍ୟାକୁ ଆମେ ସମ୍ଭାଳି ପାରିବା କି? ଆମର ଅର୍ଥନୈତିକ ବିକାଶ ଉପରେ ଜନସଂଖ୍ୟା ବୃଦ୍ଧିର କ’ଣ ପ୍ରଭାବ ପଡ଼ିବ? ଜନସଂଖ୍ୟା ବୃଦ୍ଧି ଯୋଗୁଁ ଭାରତରେ କାର୍ଯ୍ୟକ୍ଷମ-ବୟସସୀମା ମଧ୍ୟରେ ଥିବା ଜନସଂଖ୍ୟାର ମଧ୍ୟ ବୃଦ୍ଧି ହେବ, ଯାହା ଅର୍ଥନୈତିକ ବିକାଶରେ ସାହାଯ୍ୟ କରିପାରେ। ବର୍ତ୍ତମାନ ଚୀନ ଅପେକ୍ଷା ଭାରତରେ କାର୍ଯ୍ୟକ୍ଷମ-ବୟସସୀମା ମଧ୍ୟରେ ଥିବା ଜନସଂଖ୍ୟା ଅଧିକ। ଏହା ଦ୍ବାରା ଆମ ଦେଶ ‘ଜନସଂଖ୍ୟା ସମ୍ବନ୍ଧୀୟ ଲାଭାଂଶ’ ପାଇବାର ସମ୍ଭାବନା ଅଛି।
ଅବଶ୍ୟ ଭାରତରେ ପରିଶ୍ରମ ଅଂଶଗ୍ରହଣ ହାର (ଏଲଏଫପିଆର) ହାର ୪୨ ପ୍ରତିଶତ ଥିଲାବେଳେ ଚୀନରେ ଏହା ୬୫ ପ୍ରତିଶତ ଅଛି। ଏହାର ମୂଳ କାରଣ ହେଲା: ମହିଳାଙ୍କର ପରିଶ୍ରମ ଅଂଶଗ୍ରହଣ ହାର ଭାରତରେ ବହୁତ କମ୍‌। ଏହା ମାତ୍ର ୨୦.୬ ପ୍ରତିଶତ। କୋଭିଡ୍‌ ମହାମାରୀ ପରେ ଏହା ମହିଳାମାନଙ୍କୁ ବେଶି ପ୍ରଭାବିତ କରିଛି। ତେଣୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଅର୍ଥନୈତିକ ଯୋଗଦାନର ମାପକାଠିରେ ୧୪୬ଟି ରାଷ୍ଟ୍ର ମଧ୍ୟରେ ଭାରତ ୧୪୩ ସ୍ଥାନରେ ଅଛି। ତାତ୍ତ୍ବିକ ଭାବେ ଆମେ କହିପାରିବା ଯେ ଯଦି ନିଯୁକ୍ତିର ସୁବିଧା ନ ବଢ଼ାଇ ମହିଳାମାନଙ୍କର ପରିଶ୍ରମ ଅଂଶଗ୍ରହଣ ହାର ବୃଦ୍ଧି କରାଇବା, ତେବେ କେତେକ ପୁରୁଷ ଶ୍ରମିକ ବେକାର ହୋଇଯିବେ। ତେଣୁ କୌଣସି ସରକାରୀ ନୀତି ଅନୁସରଣ କଲାବେଳେ ଅନ୍ୟ କେତେକ ଅର୍ଥନୈତିକ ପ୍ରଭାବକୁ ବିଚାରକୁ ନେବାକୁ ପଡ଼ିବ।

- Advertisement -

ଆଉ ଗୋଟିଏ ବଡ଼ ବିଷୟ ହେଲା: କାର୍ଯ୍ୟକ୍ଷମ-ବୟସ ସୀମା ମଧ୍ୟରେ ଥିବା ଜନସଂଖ୍ୟାର କେବଳ ବୃଦ୍ଧି ହେଲେ ଅର୍ଥନୈତିକ ବିକାଶ ଉପରେ କୌଣସି ସୁପ୍ରଭାବ ପଡ଼ିବ ନାହିଁ, ଯଦି ସେମାନଙ୍କର ଉତ୍ପାଦନଶୀଳତା ଓ ଦକ୍ଷତା ବୃଦ୍ଧି କରାନଯାଏ। ଶିକ୍ଷା ଓ ସାକ୍ଷରତା ସଂଗଠିତ, ଅସଂଗଠିତ ଓ ବିଧିହୀନ କ୍ଷେତ୍ରର ଉଦ୍ୟୋଗପତି ଓ ଶ୍ରମିକମାନଙ୍କର ଦକ୍ଷତା ଓ ଉତ୍ପାଦିକା ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। କୃଷି ଓ ଅଣକୃଷି କ୍ଷେତ୍ରରେ, ଶିକ୍ଷା ବିଶେଷତଃ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା, ନୂତନ ଜ୍ଞାନ କୌଶଳ ପ୍ରୟୋଗ କରିବାରେ ଶ୍ରମିକମାନଙ୍କୁ ସାହାଯ୍ୟ କରି ତାଙ୍କର ଦକ୍ଷତା ଓ ଉତ୍ପାଦିକା ଶକ୍ତିକୁ ବୃଦ୍ଧି କରି ଉତ୍ପାଦନକୁ ବୃଦ୍ଧି କରାଏ; କିନ୍ତୁ ୧୯୯୧ ପରେ ସରକାର ଶିକ୍ଷାକୁ ଅବହେଳା କରି ଆସୁଛନ୍ତି। ଶିକ୍ଷାର ଖର୍ଚ୍ଚ, ୮୫ ପ୍ରତିଶତ ସେସରୁ ଆସୁଛି। ବିଦ୍ୟାଳୟରେ ୫୯ ପ୍ରତିଶତ ବିଦ୍ୟାର୍ଥୀ ମଝିରୁ ପାଠପଢ଼ା ଛାଡ଼ି ଚାଲିଯାଉଛନ୍ତି। ଆଖପାଖରେ ବିଦ୍ୟାଳୟ ନଥିବାରୁ କେତେକ ଶିକ୍ଷାର୍ଥୀ ବିଦ୍ୟାଳୟକୁ ଯାଉନାହାନ୍ତି। ଦୁଇଟି ପ୍ରାଥମିକ ବିଦ୍ୟାଳୟ ପାଇଁ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେବାର ନିୟମ ଥିଲେ ମଧ୍ୟ, ଓଡ଼ିଶାରେ ୪୧,୧୨୫ ପ୍ରାଥମିକ ବିଦ୍ୟାଳୟ (ପ୍ରାଥମିକ ବିଭାଗକୁ ମିଶାଇ) ଥିଲାବେଳେ, ୨୩,୦୦୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନଥାଇ ମାତ୍ର ୧୧,୦୦୦ ଅଛି। ତେଣୁ ବିଦ୍ୟାଳୟର ସୁବିଧା ନପାଇ ପିଲା ପାଠ ପଢ଼ୁନାହାନ୍ତି। ଏହା ବିଶେଷତଃ ବାଳିକା, ଦଳିତ ଓ ଜନଜାତିର ଶିକ୍ଷାର୍ଥୀଙ୍କଠାରେ ଦେଖା ଯାଉଛି। ଓଡ଼ିଶାରେ ଅନେକ ବିଦ୍ୟାଳୟ ବନ୍ଦ କରି ଦିଆଯାଇଛି। ଅନେକ କାରଣ ଦେଖାଇ, ସାରା ଦେଶରେ ଏକ ଲକ୍ଷରୁ ଅଧିକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଛତୁ ଫୁଟିଲା ଭଳି, ଲାଭ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପ୍ରୋତ୍ସାହନରେ ଘରୋଇ କ୍ଷେତ୍ରରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ସଂଖ୍ୟା ବୃଦ୍ଧି ହେବାକୁ ଲାଗିଛି।

କେବଳ ଗୁଣାତ୍ମକ ଓ ପରିମାଣରେ ଶିକ୍ଷାର ପ୍ରସାର ବୃଦ୍ଧି ହେଲେ, ମାନବିକ ପୁଞ୍ଜି ଉନ୍ନତ ହେବନାହିଁ। ଏହା ସହ ସ୍ବାସ୍ଥ୍ୟର ଆବଶ୍ୟକତା ଅଛି। ବିଶ୍ବ ବ୍ୟାଙ୍କ ୪୦ଟି ବିକାଶଶୀଳ ଓ ଦରିଦ୍ର ଦେଶର ବିଦ୍ୟାଳୟ ଉପରେ ଏକ ଗବେଷଣା କରିଥିଲେ। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କେବଳ ସାହିତ୍ୟ ଓ ଗଣିତ ଜ୍ଞାନର ପରୀକ୍ଷା କରାଯାଇଥିଲା। ସେଥିରୁ ଜାଣିବାକୁ ପାଇଲେ ଯେ ସ୍ବାସ୍ଥ୍ୟବାନ, ହୃଷ୍ଟପୁଷ୍ଟ ଓ ପୁଷ୍ଟିକର ଖାଦ୍ୟ ସେବନ କରୁଥିବା ଶିକ୍ଷାର୍ଥୀ, ପୁଷ୍ଟିହୀନତାରେ ପୀଡ଼ିତ ଶିକ୍ଷାର୍ଥୀଙ୍କଠାରୁ ଅଧିକ ଭଲ କରିଛନ୍ତି। ପୁଷ୍ଟିହୀନତା ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟରେ ଅଧ୍ୟୟନ କରିବାରେ ବାଧା ସୃଷ୍ଟି କରେ। ପୁଷ୍ଟିହୀନତା, ମସ୍ତିଷ୍କ ବିକାଶରେ, ଶିଶୁର ପ୍ରଥମ ଦୁଇ ତିନି ବର୍ଷରେ ବାଧାଦିଏ। ତେଣୁ ଶିକ୍ଷା ସହ ଶିଶୁ ଓ ତା’ର ମା’କୁ ଉପଯୁକ୍ତ ପରିମାଣରେ ପୁଷ୍ଟିକର ଖାଦ୍ୟ, ସୁଷମ ଖାଦ୍ୟ ଓ ଉପଯୁକ୍ତ ସ୍ବାସ୍ଥ୍ୟସେବା, ସରକାର ଯୋଗାଇବା ଅତ୍ୟନ୍ତ ଆବଶ୍ୟକ।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଘରୋଇକରଣକୁ ପ୍ରୋତ୍ସାହନ ଦିଆଯାଉଛି। ଯେତେବେଳେ ଚୀନରେ ମୋଟ ଜାତୀୟ ଉତ୍ପାଦନ (ଜିଡିପି)ର ତିନି ପ୍ରତିଶତ ଖର୍ଚ୍ଚ କରାଯାଉଛି, ଭାରତରେ ମାତ୍ର ଏକ ପ୍ରତିଶତ ଖର୍ଚ୍ଚ ହେଉଛି। ଘରୋଇ ଡାକ୍ତରଖାନାରେ ଲାଭକୁ ମୂଳଲକ୍ଷ୍ୟ ରଖି ସେବା ଦିଆଯାଉଛି। ତେଣୁ ସରକାରୀ କ୍ଷେତ୍ରରେ ଗୁଣବତ୍ତା ଓ ଉତ୍ତମ ଭିତ୍ତିଭୂମି ଥିବା ଡାକ୍ତରଖାନା ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ। ଅବଶ୍ୟ ଅପରିପୁଷ୍ଟ (ଆବଶ୍ୟକ ଠାରୁ କମ୍‌ ପୁଷ୍ଟିପ୍ରାପ୍ତ) ଜନସଂଖ୍ୟା ବିଶ୍ବରେ ଗତ ୧୫ ବର୍ଷ ମଧ୍ୟରେ ୪.୫ କୋଟିରୁ ଅଧିକ ବଢ଼ିଥିଲାବେଳେ, ଭାରତରେ ୨.୩ କୋଟି କମିଛି। ତଥାପି ଭାରତରେ ଅପରିପୁଷ୍ଟ ଜନସଂଖ୍ୟା ଏକ ବଡ଼ ସମସ୍ୟା ହୋଇରହିଛି। ବର୍ତ୍ତମାନ ଖାଦ୍ୟଶସ୍ୟ, ରାସାୟନିକ ସାର, ଇନ୍ଧନ ଭଳି ଅତ୍ୟାବଶ୍ୟକ ପଦାର୍ଥର ଦରଦାମ ବୃଦ୍ଧି ଅନେକ ଗରିବ ଲୋକଙ୍କୁ ପ୍ରଭାବିତ କରି ପୁନଶ୍ଚ ଅପରିପୁଷ୍ଟ ଜନସଂଖ୍ୟା ମଧ୍ୟଙ୍କୁ ଠେଲି ଦେଇପାରେ। ଉପଭୋକ୍ତାଙ୍କୁ ଆର୍ଥିକ ସହାୟତା ଓ ‘ପୋଷଣ’ ଭଳି ଖାଦ୍ୟ ସମ୍ବନ୍ଧୀୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କିଛି ପରିମାଣରେ ଅପରିପୁଷ୍ଟ ଜନସଂଖ୍ୟାର ବୃଦ୍ଧିକୁ ରୋକିପାରିବ। ବିଭିନ୍ନ ପ୍ରକାର ଜନକଲ୍ୟାଣ କାର୍ଯ୍ୟକ୍ରମ ସତ୍ତ୍ବେ, ଭାରତରେ ୧୫-୪୯ ବର୍ଷ ଗୋଷ୍ଠୀର ଅଧାରୁ ଅଧିକ ମହିଳା ରକ୍ତହୀନତା ଏବଂ ପାଞ୍ଚବର୍ଷରୁ କମ୍‌ ୪.୫ କୋଟି ଶିଶୁ ଅପରିପୁଷ୍ଟର ଯନ୍ତ୍ରଣା ଭୋଗ କରୁଛନ୍ତି।
ତେଣୁ ଉତ୍ତମ ମାନର ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା ଓ ସ୍ବାସ୍ଥ୍ୟସେବା ସରକାର ଯୋଗାଇଦେଲେ ବର୍ଦ୍ଧିତ ଜନସଂଖ୍ୟାର କାର୍ଯ୍ୟଦକ୍ଷତା ଓ ଉତ୍ପାଦିକା ଶକ୍ତି ବୃଦ୍ଧି ହେବ, ଯାହା ଆମ ଦେଶର ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ; କିନ୍ତୁ ବର୍ତ୍ତମାନ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ଓ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସେଠାରେ ଭିତ୍ତିଭୂମି ଅଧିକାଂଶ ପ୍ରତିଷ୍ଠାନରେ ଦୁର୍ବଳ। ଆମେ ଜାଣି ରଖିବାକୁ ହେବ ଯେ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ପରିମାଣ ଓ ଗୁଣର ବୃଦ୍ଧି ମାନବ ପୁଞ୍ଜି ପାଇଁ ଅତ୍ୟନ୍ତ ଆବଶ୍ୟକ। ତେଣୁ ଠିକ୍‌ ଭାବରେ ଶିକ୍ଷାଦାନ ଓ ସ୍ବାସ୍ଥ୍ୟସେବା ସରକାରୀ କ୍ଷେତ୍ରରେ ବୃଦ୍ଧି ହେଲେ, ଜନସଂଖ୍ୟା ବୃଦ୍ଧି, ‘ଜନସଂଖ୍ୟା ସମ୍ବନ୍ଧିୟ ଲାଭାଂଶ’ରେ ଆମର ଅର୍ଥନୈତିକ ବିକାଶକୁ ସାହାଯ୍ୟ କରିବ; ନଚେତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଆମେ ପୃଥିବୀର ସବୁଠାରୁ ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ରଭାବେ ଗର୍ବ କରିବା କେବଳ ଧୃଷ୍ଟତା ହେବ। ଏହି ବୃଦ୍ଧି ଦେଶରେ ବେକାରୀ, ଅର୍ଦ୍ଧବେକାରୀ ଓ ଛଦ୍ମବେଶୀ ବେକାରୀ ବୃଦ୍ଧି କରି ଦେଶରେ ନାନା ପ୍ରକାର ଅର୍ଥନୈତିକ ସମସ୍ୟା ଉତ୍ପତ୍ତି କରିବ। ତାହା ସହ ଅନେକ ସାମାଜିକ ସମସ୍ୟା ମୁଣ୍ଡ ଟେକିବ। ତେଣୁ ଆମର ନୀତି ନିର୍ଦ୍ଧାରକମାନେ ଏହି ଜନସଂଖ୍ୟା ବୃଦ୍ଧିକୁ ଠିକ୍‌ ଭାବେ ସଦୁପଯୋଗ କଲେ, ଆମେ ବିଶ୍ବରେ ଏକ ଦକ୍ଷ ଓ ଉତ୍ପାଦିକା ଶକ୍ତି ବିଶିଷ୍ଟ କାର୍ଯ୍ୟକ୍ଷମ ଶ୍ରମିକ ଗଢ଼ି, ଦେଶରେ ଉତ୍ପାଦନ ବୃଦ୍ଧି କରି ଚୀନ ଭଳି ଦେଶକୁ ମଧ୍ୟ ଟପିଯାଇ ପାରିବା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories