www.samajalive.in
Wednesday, December 10, 2025
14.1 C
Bhubaneswar

ମଜଭୁତ ହେବ ଓଡ଼ିଶା-ଆନ୍ଧ୍ର ସୀମା ଭିତ୍ତିଭୂମି

-ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ ହେବ ସୁରକ୍ଷା ଟିମ୍‍: ଆର୍.ପି. ଠାକୁର
-ନିୟମିତ ବ୍ୟବଧାନରେ ଆଲୋଚନା ଜାରି ରହିବ: ଆର୍‌.ପି. ଶର୍ମା

ଭୁବନେଶ୍ୱର : ଓଡ଼ିଶା-ଆନ୍ଧ୍ର ସୀମାରେ ମାଓବାଦୀ ଦମନ ନେଇ ରାଜଧାନୀରେ ଦୁଇ ରାଜ୍ୟର ପୁଲିସ ମୁଖ୍ୟଙ୍କ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଅପରାହ୍ଣରେ ଅନୁଷ୍ଠିତ ଏହ ବୈଠକରେ ଦୁଇ ରାଜ୍ୟର ପୁଲିସ ମହାନିର୍ଦେଶକଙ୍କ ସମେତ ବରିଷ୍ଠ ଗୁଇନ୍ଦା ଏବଂ ମାଓ ଅପରେସନ୍‍ର ଅଧିକାରୀ ଉପସ୍ଥିତ ଥିଲେ। ଉଭୟ ରାଜ୍ୟ ସୀମାରେ ଭିତ୍ତିଭୂମିକୁ ମଜଭୁତ କରିବା ସହ ପୁଲିସ ଓ ଗୁଇନ୍ଦା ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଅପରେସନ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଖବର ଆଦାନପ୍ରଦାନ ପାଇଁ ଆଲୋଚନା ହୋଇଛି। ଦୁଇ ରାଜ୍ୟର ମାଓ ଦମନ ସଂକ୍ରାନ୍ତ ଆଲୋଚନା ସଫଳ ହୋଇଛି ବୋଲି ବୈଠକ ଶେଷରେ ଦୁଇ ରାଜ୍ୟର ଡିଜିପି ସୂଚନା ଦେଇ କହିଛନ୍ତି।
ସେପ୍‍ଟେମ୍ବର ୨୩ରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ଡୁମ୍ବ୍ରିଗୁଡା ଥାନା ନିକଟରେ ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ଦୁଇନେତାଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ଏହି ଦ୍ୱିପାକ୍ଷିକ ବୈଠକ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା। ଦୁଇ ରାଜ୍ୟର ବହୁତ ଗୁଣାତ୍ମକ ମିଳିତ ଅପରେସନ୍‍ ହେଉଥିଲେ ମଧ୍ୟ ଭବିଷ୍ୟତରେ ଏହି ଅପରେସନକୁ ଅଧିକ ବ୍ୟବସ୍ଥିତ କରାଯିବାକୁ ଆଲୋଚନା ହୋଇଥିବା ଆନ୍ଧ୍ର ଡିଜି ଆର୍‍ ପି ଠାକୁର କହିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ନଚେତ ତଳସ୍ତରର ଅଧିକାରୀଙ୍କ ମଧ୍ୟରେ ପ୍ରତି ମାସରେ ଏକ ସମନ୍ୱୟ ବୈଠକ ହେବା ନେଇ ସ୍ଥିର ହୋଇଥିବା ସେ ସୂଚନା ଦେଇଥିଲେ। ଉପଯୁକ୍ତ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ସହିତ ସୀମାର ଯୋଗାଯୋଗ ଭିତ୍ତିଭୂମି ମଧ୍ୟରେ ରାସ୍ତା ଓ ମୋବାଇଲ୍‍ ଫୋନ୍‍ ନେଟୱର୍କ ଆଦିକୁ ପ୍ରାଥମିକତା ଦିଆଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିବାକୁ ଦୁଇ ରାଜ୍ୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଆସନ୍ତା ୬ରୁ ୭ ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ନେଇ ମାଓବାଦୀ ବିବ୍ରତ ହୋଇ କିଛି ପଦକ୍ଷେପ ନେବା ଆଶଂକା ରହିଛି। ଏହାକୁ ଦୃଷ୍ଟିରେ ରଖି ମାଓପ୍ରଭାବିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯିବା ସହିତ ରାଜନେତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯିବା ଲାଗି ବୈଠକରେ ଆଲୋଚନା ହୋଇଛି। ପ୍ରଥମ ଥର ଲାଗି ଆନ୍ଧ୍ରପ୍ରଦେଶର ଡିଜି ତାଙ୍କ ଗୁଇନ୍ଦା ଓ ଅପେରେସନାଲ୍‍ ଶାଖା ଓଡ଼ିଶାକୁ ଆସି ବୈଠକ କରିଥିବାରୁ ଦୁଇ ରାଜ୍ୟର ମାଓ ମୁକାବିଲା ରଣନୀତି ଆଗକୁ ଫଳପ୍ରଦ ହେବ ବୋଲି ଡିଜି ଶ୍ରୀ ଶର୍ମା ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶା ପୁଲିସ ମଧ୍ୟ ସୀମାନ୍ତ ଅଞ୍ଚଳ ଉପରେ ନଜର ରଖିଛି। ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ କରାଯାଉଛି। ବିଚ୍ଛିନ୍ନାଞ୍ଚଳରେ ନିକଟରେ ମାଓବାଦୀ ସାଧାରଣ ଲୋକଙ୍କ ସହ ବୈଠକ କରିଥିବା ଘଟଣାକୁ ଉପରେ ପୁଲିସ ନଜର ରଖିଛି। ଗୁରୁପ୍ରିୟା ସେତୁ ଉପରେ ବିଏସ୍‍ଏଫ୍‍ର ୨୪ ଘଣ୍ଟିଆ ପହରା ରହିଛି। ସିସିଟିଭି ସହିତ ଡ୍ରୋନ୍‍ ମାଧ୍ୟମରେ ମଧ୍ୟ ସେତୁ ଉପରେ ନଜର ରଖାଯାଉଥିବା ଡିଜି ଶ୍ରୀ ଶର୍ମା କହିଛନ୍ତି। ଏହି ବୈଠକରେ ଓଡ଼ିଶାର ଗୁଇନ୍ଦା ନିର୍ଦେଶକ ସୁନିଲ୍‍ ରାୟ, ଅତିରିକ୍ତ ମହାନିର୍ଦେଶକ(ଅପରେସନ୍‍) ଆର୍‍ ପି କୋଚେ, ଗୁଇନ୍ଦା ଆଇଜି ଆର୍‍ କେ ଶର୍ମା, ଗୁଇନ୍ଦା ଡିଆଇଜି ଘନଶ୍ୟାମ ଉପାଧ୍ୟାୟ, କୋରାପୁଟ୍‍ , ମାଲ୍‍କାନଗିରି ଏସ୍‍ପି ଏବଂ ଏସ୍‍ଓଜି କମାଣ୍ଡାଣ୍ଟ ଅଂଶଗ୍ରହଣ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ଅତିରିକ୍ତ ମହାନିର୍ଦେଶକ(ଗୁଇନ୍ଦା) ଭିଙ୍କଟେଶ୍ୱର ରାଓ, ଅତିରିକ୍ତ ମହାନିର୍ଦେଶକ(ଅପରେସନ୍‍) ନଳିନୀ ପ୍ରଭାତ, ଆଇଜି(ଗୁଇନ୍ଦା) ଭି ଶ୍ରୀନିବାଶଲୁ, ଡିଆଇଜି(ଗ୍ରେହାଉଣ୍ଡ) ଭିନିତ୍‍ ବ୍ରିଜ୍‍ଲାଲ୍‍ ଓ ଡିଆଇଜି(ବିଶାଖାପାଟଣା) ଭି ଆର୍‍ ଶ୍ରୀକାନ୍ତ ପ୍ରମୁଖ ଯୋଗଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories