www.samajalive.in
Wednesday, December 10, 2025
23.1 C
Bhubaneswar

ଭାରତ-ରୁଷ ମଧ୍ୟରେ ୮ଟି ରାଜିନାମା ସ୍ୱାକ୍ଷର

ନୂଆଦିଲ୍ଲୀ : ଭାରତ ଓ ରୁଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖୁବ୍‍ ନିବିଡ଼ ଓ ସୁଦୃଢ। ଏହା ବିଭିନ୍ନ କ୍ଷେତ୍ରର ସ୍ୱର ତଥା ରାଜନୈତିକ ଓ ଯୋଜନାବଦ୍ଧ ସହଯୋଗିତା, ସାମରିକ ଓ ନିରାପତ୍ତା, ଅର୍ଥନୈତିକ, ଶକ୍ତି, ଶିଳ୍ପ, ବିଜ୍ଞାନ ଓ ପ୍ରଯୁକ୍ତି ତଥା ସାଂସ୍କୃତିକ ଓ ମାନବିକ ସହଯୋଗିତାର ନୈତିକ ସ୍ତମ୍ଭ ଉପରେ ଆଧାରିତ। ଏଠାକାର ହାଇଦରାବାଦ ହାଉସ୍‍ଠାରେ ଶୁକ୍ରବାର ଅନୁଷ୍ଠିତ ୧୯ତମ ବାର୍ଷିକ ଭାରତ-ରୁଷ ଦ୍ୱିପାକ୍ଷିକ ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‍ ଏକ ମିଳିତ ବିବୃତ୍ତିରେ ଏହା କହିଛନ୍ତି। ଦ୍ୱିପାକ୍ଷିକ ଆଲୋଚନା ପୃଷ୍ଠଭୂମିରେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ଆଦାନପ୍ରଦାନ ହୋଇଥିବା ଜଣାପଡିଛି। ଏସବୁ ମହାକାଶ, ପରମାଣୁ ଶକ୍ତି, ରେଳବାଇ ସମେତ ଅନ୍ୟ ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ବୁଝାମଣା ପତ୍ର ବୋଲି ସୂଚନା ମିଳିଛି। ଏଥିସହ ଦୁଇ ଦେଶ ୮ଟି ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ୬ଟି ନୂତନ ପରମାଣୁ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିବା ଲାଗି ମଧ୍ୟ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି।ମିଳିତ ବିବୃତ୍ତି ପରେ ପୁଟିନ୍‍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ଆଲୋଚନା ପରେ ସେ ରୁଷ୍‍ ଅଭିମୁଖେ ପ୍ରସ୍ଥାନ କରିଛନ୍ତି।
ମିଳିତ ବିବୃତ୍ତି ଦେଇ ମୋଦୀ ଏବଂ ପୁଟିନ୍‍ ଭାରତ ଓ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ଯୋଜନାବଦ୍ଧ ଦ୍ୱିପାକ୍ଷିକ ଅଂଶୀଦାରିତାକୁ ନେଇ ନିଜ ନିଜର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି। ଏହି ଦ୍ୱିପାକ୍ଷିକ ସମ୍ପର୍କ ଅସ୍ତ୍ରଶସ୍ତ୍ର କାରବାର ଉପରେ ନିର୍ଭରଶୀଳ ନୁହେଁ ବୋଲି ଦର୍ଶାଇ ପୁଟିନ୍‍ ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି। ସେ କହିଛନ୍ତି, ଭାରତ ଓ ରୁଷ ସମ୍ପର୍କ ଅସ୍ତ୍ରଶସ୍ତ୍ର କାରବାରରୁ ବହୁ ଆଗକୁ ଆଗେଇ ଯାଇଛି। ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ମନ୍ତ୍ରୀସ୍ତରୀୟ ଯୋଗାଯୋଗ ନିରନ୍ତର କାଏମ ରହିବ ବୋଲି ପୁଟିନ୍‍ କହିଛନ୍ତି। ସେହିଭଳି ଭାରତ-ରୁଷ ସମ୍ପର୍କ ଅଦ୍ୱିତୀୟ ବୋଲି ଦର୍ଶାଇ ମୋଦୀ କହିଛନ୍ତି, ଦୁଇ ପରମ୍ପରା ଏବଂ କଥିତ ସୀମାରୁ ଊର୍ଦ୍ଧ୍ବରେ ପହଞ୍ଚିଥିବା ଏହି ଦ୍ୱିପାକ୍ଷିକ ସମ୍ପର୍କ ଆଜି ଆଉ ଏକ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଛି। ରୁଷ ସର୍ବଦା ଭାରତର କାନ୍ଧରେ କାନ୍ଧ ମିଶାଇ ଚାଲିଛି। ଦୁଇ ଦେଶ ମଧ୍ୟରେ ସହଯୋଗୀତା ମାନବ ସମ୍ବଳ ବିକାଶ, ବାଣିଜ୍ୟ ଓ ନିବେଶ ତଥା ପ୍ରଯୁକ୍ତି କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରିଛି। ୨୦୧୭-୧୮ରେ ଭାରତ-ରୁଷ ବାଣିଜ୍ୟରେ ୨୦% ଅଭିବୃଦ୍ଧି ଘଟିଥିବା ମୋଦୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉଭୟ ଭାରତ ଓ ରୁଷ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ବହୁବାଦରେ ବିଶ୍ୱାସ କରନ୍ତି। ଆତଙ୍କବାଦ ସହିତ ଆଫଗାନିସ୍ତାନ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଦିଗରେ ଦୁଇ ଦେଶ ମିଳିତ ସହଯୋଗରେ କାର୍ଯ୍ୟ କରୁଛନ୍ତି। ବୈଠକରେ ଦ୍ୱିପାକ୍ଷିକ ବାଣିଜ୍ୟ ସହଯୋଗିତା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିବା ଦର୍ଶାଇ ପୁଟିନ୍‍ କହିଛନ୍ତି ୨୦୨୫ ସୁଦ୍ଧା ରୁଷ ଏହାର ସାମଗ୍ରୀ କାରବାର ୩୦ ବିଲିୟନ ଡଲାର ବୃଦ୍ଧି କରିବାକୁ ଯୋଜନା ରଖିଛି। ଅର୍ଥନୈତିକ ଏବଂ ବାଣିଜ୍ୟିକ କ୍ଷେତ୍ରରେ ରୁଷ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି ପୁଟିନ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦୧୯ ସେପ୍ଟେମ୍ବରରେ ରୁଷରେ ଅନୁଷ୍ଠିତ ହେବାକୁ ଥିବା ଅର୍ଥନୈତିକ ଫୋରମ୍‍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି। ଉଭୟ ନେତା କହିଛନ୍ତି, ଭାରତ ଓ ରୁଷର ସମ୍ବନ୍ଧ ବଳିଷ୍ଠ ୧୯୭୧ ଶାନ୍ତି ରାଜିନାମା, ୧୯୯୩ ବନ୍ଧୁତ୍ୱ ଓ ସହଯୋଗିତା ଚୁକ୍ତି, ୨୦୦୦ ଉଭୟ ଦେଶର ସାମରିକ ସହଯୋଗିତା ସମ୍ବନ୍ଧୀୟ ଘୋଷଣାନାମା ଏବଂ ୨୦୧୦ରେ ଦ୍ୱିପାକ୍ଷିକ ସ୍ୱତନ୍ତ୍ର ସାମରିକ ସମ୍ପର୍କ ସମ୍ବନ୍ଧୀୟ ମିଳିତ ବିବୃତ୍ତି ଉପରେ ଆଧାରିତ। ସମ୍ପ୍ରତି ଏହି ସମ୍ପର୍କ ଅଧିକ ବୟସ୍କ ଏବଂ ବିଶ୍ୱସ୍ତ ହୋଇଛି। ଗଭୀର ଆସ୍ଥାକୁ ଭିତ୍ତି କରି ଏହି ସମ୍ପର୍କର ପ୍ରଭାବ ଏବେ ସମସ୍ତ କ୍ଷେତ୍ରରେ ପ୍ରତିଫଳିତ ହୋଇଛି। ଉଭୟ ରାଷ୍ଟ୍ର ପରସ୍ପରର ପରିସ୍ଥିତିକୁ ଉତ୍ତମ ଭାବେ ବୁଝି ଏହାକୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି। ଏଣୁ ଉଭୟ ଦେଶ ମିଳିତ ଭାବେ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories