ଶତ୍ରୁ ନୁହେଁ ସହୋଦର
ଉପେନ୍ଦ୍ର ବିଶ୍ବାଳ
ଅମୃତଭରା ମନ୍ତ୍ରଟିଏ – ‘ଧାନ ପରି ଧନ ନାହିଁ, ଯଦି ନ ଲାଗେ ମୂଷା / ଭାଇ ପରି ବନ୍ଧୁ ନାହିଁ, ଯଦି ନଥାଏ ହିଂସା।’ ଅତ୍ୟନ୍ତ ବେଦନା ଓ ବିଡ଼ମ୍ବନାର ବିଷୟ ହେଉଛି, ମହକଭରା ଢଗଟିର ସୁନ୍ଦର କଥାଟିକୁ ଭୁଲିଯାଉଛି ଆଜିର ଦୁନିଆ। ସହୋଦର ଏଠି ସାଜୁଛି ଶତ୍ରୁ। ଭାଇ-ଭାଇର ହଣାକଟାରେ ରକ୍ତରଞ୍ଜିତ ଆଜି ଘର ଅଗଣା। ଗତ କେଇ ମାସ ଧରି ଓଡ଼ିଶା ଭୂଖଣ୍ଡରେ ଘଟିଥିବା ଛାତିଥରା କେତୋଟି କଳଙ୍କିତ କାହାଣୀ, ବିଦୀର୍ଣ୍ଣ କରେ ହୃଦତନ୍ତ୍ରୀକୁ। ମେ ମାସରେ ମୟୂରଭଞ୍ଜର ଶରତ, ଜୁନ ୧୨ରେ ଗଞ୍ଜାମର ବୁଗୁଡା ସମେତ ଏପ୍ରିଲରେ ନବରଙ୍ଗପୁରର ରାଇଘର, ସମ୍ବଲପୁରର ରେଢ଼ାଖୋଲ, ଢେଙ୍କାନାଳ, ଯାଜପୁରର ବାଲିଚନ୍ଦ୍ରପୁର ଆଦିରେ ସଂଘଟିତ ହତ୍ୟାକାଣ୍ଡ ଓଡ଼ିଶା ମାଟିକୁ ଦୋହଲାଇ ଦେଇଛି। ତା’ପୂର୍ବରୁ ମଧ୍ୟ ଚର୍ଚ୍ଚା ଧରିଥିଲା ଖୋର୍ଦ୍ଧାର ବାଣପୁର ସମେତ ବଲାଙ୍ଗିରର ଟିଟିଲାଗଡ଼ ଅଞ୍ଚଳର ଭ୍ରାତୃହତ୍ୟାର ଖବର। ସବୁଠୁ ବଳିଗଲା ବାଲିଚନ୍ଦ୍ରପୁରର ଅତି ବୀଭତ୍ସ ଘଟଣା। ସାନଭାଇ ଜହ୍ଲାଦ ସାଜି ଅତି ନୃଶଂସଭାବେ ହତ୍ୟାକରେ ବଡ଼ଭାଇଙ୍କ ସାରା ପରିବାରକୁ। ଭାଉଜ, ଝିଆରୀ, ପୁତୁରାଙ୍କୁ ନିଜ ହାତରେ ହତ୍ୟା କରିବାକୁ ପଛେଇଲା ନାହିଁ ସେ ପିଶାଚ।
ଶ୍ରୀଜଗନ୍ନାଥ ସଂସ୍କୃତିରେ ରୁଦ୍ଧିମନ୍ତ ଆମ ଓଡ଼ିଶା। ଭାଇ-ଭାଇର ଭଲପାଇବାର ମଧୁରଗାଥା ଗାଏ ଜଗନ୍ନାଥ ସଂସ୍କୃତି; ମାତ୍ର ସେହି ଭବ୍ୟଭୂଖଣ୍ଡ ଆଜି ଯନ୍ତ୍ରଣା ଜର୍ଜରିତ, ଭାଇ-ଭାଇର ଯୁଦ୍ଧ-ଝଗଡାରେ। ସାମନ୍ୟମାତ୍ର କେଇଗୁଣ୍ଠ ଜମି ବା ଟିକିଏ ସ୍ୱାର୍ଥ ପାଇଁ, ଭାଇ-ଭାଇ ଭିତରେ ହାଣକାଟ, ମାଲି-ମକଦ୍ଦମା। ବେଳେବେଳେ ତ ଏମିତି ହୋଇଥାଏ, ଯେଉଁ ଜାଗା ଟିକକ ପାଇଁ ଲଢେଇ-ଝଗଡ଼ା, ତା’ର ମୂଲ୍ୟ ଠାରୁ ବି ମକଦ୍ଦମା ଖର୍ଚ୍ଚ ବଳିପଡ଼େ। କି ଦୁଃଖ ଓ ଲଜ୍ଜାଜନକ ଘଟଣା ସତରେ? ଏସବୁ ସତ୍ତ୍ୱେ ଭାରତରେ ହାରାହାରି ୧୮ଭାଗ (୨୦୧୧ ଜନଗଣନା) ଏକାନ୍ନବର୍ତ୍ତୀ ପରିବାର ଅଛନ୍ତି ଯେଉଁମାନେ ଭାଇଭାଇ ସାଥିରେ ରହି ଆସୁଛନ୍ତି, ପିଢ଼ିପରେ ପିଢ଼ି। ଆଜି ସର୍ବାଧିକ ୨୭ଭାଗ ଯୌଥ ପରିବାର ଉତ୍ତରପ୍ରଦେଶରେ ଥିଲାବେଳେ ତା’ପଛକୁ ରାଜସ୍ଥାନ, ହରିଆଣା ଓ ଗୁଜୁରାଟରେ, ଯଥାକ୍ରମେ- ୨୫ ଭାଗ, ୨୪.୬ ଭାଗ ଓ ୨୩ଭାଗ ଯୌଥ ପରିବାର ଦେଖିବାକୁ ମିଳେ। ଆମ ଓଡ଼ିଶାରେ ବି ଖୋର୍ଦ୍ଧାର ଗୟାବନ୍ଧ ଗ୍ରାମର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ପରିବାର ଏକ ଦିବ୍ୟଦୃଷ୍ଟାନ୍ତ। ଉପରୋକ୍ତ ଯୌଥ ପରିବାରମାନ ଆମ ପାଇଁ ଯେମିତି ସାନ୍ତ୍ୱନାର ବିଷୟ ସେମିତି ବି ପ୍ରଖର ପ୍ରେରଣାର ପୁଲକ। ସେମିତି ବି ଗିନିଜ ବହି ବିିଶ୍ୱ ରେକର୍ଡରେ ସ୍ଥାନ ପାଇଥିବା ମିଜୋରାମର ୧୯୨ଜଣ ବିଶିଷ୍ଟ ଏକ ଯୌଥ ପରିବାର, ଯେଉଁଠି ରହୁଛନ୍ତି ସଭିଏଁ ଏକାଠି। ସେମିତି ବି ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଖୁବ ଚର୍ଚ୍ଚାର ପରିଧିକୁ ଆସିଛି ବିଶ୍ୱର ବୃହତ୍ତମ ଯୌଥ ପରିବାର। ୟୁକ୍ରେନ ବାସିନ୍ଦା ପାୱେଲଙ୍କ ପରିବାରରେ ୩୪୭ଜଣ ସଦସ୍ୟ ସହର୍ଷ ରହୁଛନ୍ତି ଏକାନ୍ନବର୍ତ୍ତୀ ହୋଇ। ଏକାନ୍ନବର୍ତ୍ତୀ ପରିବାର ହେଉଛି ଆମ ଶାଶ୍ୱତ ସନାତନ ସଂସ୍କୃତିର ଏକ ଅଙ୍ଗ। ମାତ୍ର ଅନ୍ଧ ଅହମିକାରେ ବାଟହୁଡ଼ି ସ୍ୱାର୍ଥାନ୍ୱେଷୀ ମଣିଷ ଆଜି ପାଦରେ ଏଡାଇ ଦେଉଛି ଯୌଥ ପରିବାର ଓ ତା’ର ଯଶକୁ। ଯେଉଁ ଭୂମି ଦିନେ ବାଣ୍ଟିଥିଲା ‘ବସୁଧା ଇବ କୁଟୁମ୍ବକଂ’ର ବାର୍ତ୍ତା, ସେହି ଭୂମିର ସନ୍ତାନ ଆଜି ନିଜର କରିପାରୁନି ନିଜ ପରିଜନ ଓ ପରିବାରକୁ, ଯାହାକି ବ୍ୟଥା ଓ ବେଦନାର କାରଣ। ମନେପଡେ ଭକ୍ତକବି ମଧୁସୂଦନ ରାଓଙ୍କ ସେଇ ଅମୃତବାଣୀ – ‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର / ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।’ ଅର୍ଥାତ୍ ସ୍ନେହ, ଶ୍ରଦ୍ଧା, ସେବା,ଶାନ୍ତି, ସହନଶୀଳତା ହିଁ ବଳିଷ୍ଠ ଆଧାର, ସଂସାରଟିକୁ ଏକ ସ୍ୱର୍ଗପୁରରେ ପରିଣତ କରିବା ପାଇଁ। ଟିକିଏ ଧୈର୍ଯ୍ୟ, ଉତ୍ସର୍ଗୀକୃତ ଭାବନା, ନିବିଡ଼ ଭଲପାଇବା ତ ସୁଖ ଓ ସନ୍ତୋଷର ସନ୍ମାର୍ଗ।
କୁହାଯାଏ ‘ପରିବାରଟିଏ ହେଉଛି ପୃଥିବୀର ସବୁଠୁ ମଧୁରତମ ସ୍ଥାନ। କୋଟିଏ ଟଙ୍କାରେ ଘରଟି ଆମର ତିଆରି ହୋଇନଥାଉ ପଛେ, ଘରଟି ଆମର କିନ୍ତୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସୁଖ-ଶାନ୍ତିର ହେଉ।’ ଜଣେ ଚପରାସୀର ଘର ମଧ୍ୟ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର, ଯଦି ସେଇଠି ସଞ୍ଚରିତ ସ୍ନେହ, ସରାଗ, ସଂପ୍ରୀତି ଓ ସଂହତି। ଏଣୁ ସାମାନ୍ୟ ଟିକିଏ ସ୍ୱାର୍ଥରେ ଭାଇ-ଭାଇର ବିଭେଦରେ ପରିବାରଟିକୁ ଭାଙ୍ଗି ଖିନଭିନ କରିବାଟା ଅମଣିଷ ଓ ଅଧମପଣିଆ ନୁହଁ କି? ଭାଇପରି ଶ୍ରେଷ୍ଠବନ୍ଧୁ ଆଉ କିଏ ଅଛି ଦୁନିଆରେ? ଭାଇ-ଭାଇର ଭଲପାଇବା, ଭାଇ ପ୍ରତି ଭାଇର ଦରଦୀଭାବ ରହିଲେ, ଭାଇଟିଏ କେବେ କ’ଣ ବୈରୀ ସାଜିପାରେ? ଭାଇ ହେଉଛି ଆମ ବଳ, ଭାଇ ହେଉଛି ଆମ ସମ୍ବଳ। ଯେଉଁଠି ସାଥିରେ ଅଛି ଭାଇ, ସେଇଠି ବାଜିଛି ବିଜୟର ବିଗୁଲ। ବରଂ ଭାଇ-ଭାଇର ବିଭେଦରେ, ଭାଇର ବିନା ସାହଚର୍ଯ୍ୟରେ ଦେଖିବାକୁ ମିଳିଥାଏ ପରାଜୟର ପଦଚିହ୍ନ। ପ୍ରସଂଗକ୍ରମେ ଉପାଦେୟ ଉପାଖ୍ୟାନଟିଏ ଏଠାରେ ଉଲ୍ଲେଖ କରିବା ଜରୁରୀ ମନେହୁଏ। ଦୁଇଭାଇଙ୍କୁ ନେଇ ଛୋଟ ଏକ ପରିବାର। ବଡ଼ଭାଇଟି ବିବାହିତ। ତା’ପରେ ପରେ କୌଣସି କାରଣରୁ ପରସ୍ପରଠୁ ଭିନ୍ନ ହୋଇଯାଆନ୍ତି ଦୁଇଭାଇ। ବିଲ ଓ ବାଡ଼ି ସହିତ ପୈତୃକ ଘରଟି ମଧ୍ୟ ଦୁଇଭାଗ ହୋଇଯାଏ। ମାତ୍ର ମଝିରେ ବାଡ଼ ବସିନଥାଏ କିମ୍ବା କାନ୍ଥ ଉଠିନଥାଏ। ଏମିତି କିଛିଦିନ ଗଲାପରେ ରାତିରେ ଯେବେ ସାନଭାଇର ନିଦ ଭାଙ୍ଗେ, ମନେପଡେ ବଡ଼ଭାଇର କଥା ଓ ଅତୀତର ପିଲାଦିନର କଥା। “କାଲି, କାଖରେ ଧରି ଦୂର ଆକାଶର ଜହ୍ନମାମୁଙ୍କୁ ଦେଖାଉଥିଲା ଭାଇ। ଆକାଶରେ ଫୁଟିଥିବା ଟିକିଟିକି ତାରାଫୁଲଙ୍କୁ ଚିହ୍ନାଉଥିଲା ଭାଇ। ନିଜେ ଘୋଡାଟିଏ ସାଜି, ପିଠିରେ ସବାର କରି ବୁଲାଉଥିଲା ମୋତେ, ଘରର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ। ମୋର ହସ-ଖୁସିର ଉତ୍ସ ଥିଲା ମୋ ଭାଇ। କାନ୍ଦି ଉଠିଲେ, କୋଳେଇ ନେଇ ଆଖିର ଲୁହକୁ ପୋଛି ଦେଉଥିଲା। ନାକ ବି ସଫା କରି ଦେଉଥିଲା। କେତେକେତେ ସାନ୍ତ୍ୱନା ଦେଉଥିଲା। ମୁୁଁ ତ ଆଜି ଏକୁଟିଆ, ମୋର ଗୋଟିଏ ବୋଲି ପେଟ। ଭାଇର ତ ପିଲାପିଲି ଅଛନ୍ତି, ଅନେକ ପେଟ। ଭାଇକୁ ଯଦି ନିଅଣ୍ଟ ହେଉଥିବ, ତେବେ କେତେ କଷ୍ଟ ହେଉନଥିବ ତାକୁ?” ଏହା ଭାବି ଅଖାଟିଏ ଧରି ନିଜ ଧାନ ଅମାରରୁ ଅଖାଭର୍ତ୍ତି ଧାନ ନେଇ ବଡ଼ଭାଇର ଆମାରରେ ଢାଳିଦେଇ ଆସେ। ଠିକ ସେମିତି, ବଡ଼ଭାଇର ନିଦ ଭାଙ୍ଗିଗଲେ ଖୁବ ମନେପଡେ ସାନଭାଇଟିର କଥା। ଭାବେ, ‘‘ମୋର ତ ପିଲାଛୁଆ ଅଛନ୍ତି। ସୁଖ-ଦୁଃଖକୁ ଲୋଟିପଡିବେ। ପିଲାଟା ଏକୁଟିଆ ଅଛି, ବେଳରେ ଅବେଳରେ ତା’ର ବା ଆଉ କିଏ ଅଛି ସାହା ହେବାକୁ।” ଏହା ଚିନ୍ତାକରି ସେ ମଧ୍ୟ ଧାନ ନେଇ ସାନଭାଇର ଅମାରରେ ଢ଼ାଳି ଦେଇ ଆସେ, ନିଃଶବ୍ଦ ନିଶାର୍ଦ୍ଧରେ। ଏହିଭଳି, ଭାଇର ଭାବନାରେ ଭିଜୁଥିଲା ଭାଇ। ଆଖିର ଲୁହରେ ଭିଜୁଥିଲା ତକିଆ। ଭାଇ ପ୍ରତି ଭାଇର ସମବେଦନାରେ ଏମିତି ବିତିଯାଇଛି କେତେଦିନ। ଦିନେ ରାତିରେ, ଭେଟାଭେଟି ହୋଇଗଲେ ଦୁଇଭାଇ। ଦୁଇଭାଇଙ୍କ କାନ୍ଧରେ କିନ୍ତୁ ଥାଏ, ଧାନ ଅଖା। କୋହ ଓ ଲୁହରେ ବୁଡ଼ିଗଲେ ଦୁଇଭାଇ। ଦୁଇଭାଇଙ୍କ ଆଖିରୁ ଝରୁଥାଏ ଅଜସ୍ର ଅନୁତାପର ଅଶ୍ରୁ। କୋଳାକୋଳି ହେଲେ, କାନ୍ଦକାନ୍ଦ ହୋଇ ଫେରିଗଲେ ନିଜନିଜ ଘରକୁ। ତା’ପର ଦିନ ସକାଳର ସୁନେଲି କିରଣ ଦୁଇଭାଇଙ୍କ ଅଗଣାରେ ପହଞ୍ଚିଥିଲା ଭବ୍ୟ ବାର୍ତ୍ତା ନେଇ- ‘ଭାଇ ଆମ ଶକ୍ତି, ଭାଇ ଆମ ସମ୍ପତ୍ତି। ଭାଇ ଆମ ପରବ, ଭାଇ ଆମ ଗରବ।’
Comments are closed.