www.samajalive.in
Wednesday, December 10, 2025
23.1 C
Bhubaneswar

ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଫେରାଇ ଆଣିବା ପାଇଁ ହେବ ଦୁର୍ବାର ଆନ୍ଦୋଳନ କରାଯିବ

ଭୁବନେଶ୍ୱର: ଓଡ଼ିଶା ନାଗରିକ ମହାମଞ୍ଚ କାର୍ଯ୍ୟାଳୟ, ଗଙ୍ଗନଗରଠାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଫେରାଇ ଆଣିବା ପାଇଁ ଜୋରଦାର୍ ଆନ୍ଦୋଳନ କରାଯିବା ସହିତ ଏ ଦିଗରେ ବିହିତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚେଷ୍ଟା କରିବା ଉଚିତ ବୋଲି ଓଡ଼ିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ଶତପଥୀ କହିଥିଲେ ଯେ ୧୯୬୮ ମସିହାରେ ଆନ୍ଧ୍ର ପ୍ରଦେଶର ଏକ ପୋଲିସ୍ ଦଳ କୋଟିଆ ଅଞ୍ଚଳକୁ ସର୍ବପ୍ରଥମେ ଅନଧିକାର ପ୍ରବେଶ କରିଥିଲେ। ଓଡ଼ିଶା ସରକାର ଏହାର ଦୃଢ଼ ପ୍ରତିବାଦ କରି ବିଫଳ ହେବାରୁ ତା ୧୨.୦୯.୧୯୬୮ ମସିହାରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଦୁଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ସମାଧାନ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଆସାମ ସମସ୍ୟାର ସମାଧାନ କରିପାରୁଛନ୍ତି, ମାତ୍ର ଓଡ଼ିଶା କ୍ଷେତ୍ରରେ ନୀରବଦ୍ରଷ୍ଟା ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। ବର୍ତ୍ତମାନ ବାରମ୍ବାର ଆନ୍ଧ୍ର କୋଟିଆ ଏବଂ ଆଖପାଖର ବିଚ୍ଛିନ୍ନାଞ୍ଚଳ ଉପରେ ନଜର ରଖିବା ସହିତ କଳେବଳେ କୌଶଳେ ଆମ ଅଞ୍ଚଳ ହାତେଇବାକୁ ଚେଷ୍ଟା କରିଛି। ଏ ଦିଗରେ ଗତ ବର୍ଷ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆଶୁ ସମାଧାନ ବାହାରି ପାରିଲା ନାହିଁ। କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ବେଳେ ଓଡ଼ିଶା ସରକାର ନିଦାବିଷ୍ଣୁ ସାଜିଛନ୍ତି ବୋଲି ମହାମଞ୍ଚ ପକ୍ଷରୁ କୁହାଯାଇଛି।

 

- Advertisement -

ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ବ୍ୟାପକ ଭାବରେ ଏକ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ମହାମଞ୍ଚ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା। ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ସୀମାନ୍ତ ଆନ୍ଦୋଳନର ନେତୃତ୍ୱ ନେଇ କିଛି ମାତ୍ରାରେ ସଫଳ ହୋଇଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପାଇଁ ଆମେ ଆମର ଅଞ୍ଚଳ ଏପର୍ଯ୍ୟନ୍ତ ଫେରି ପାଇପାରିଲୁ ନାହିଁ। ଏହି ପରିପ୍ରେକ୍ଷୀରେ ସମସ୍ତ ସଂଗଠନ, ବୁଦ୍ଧିଜୀବୀ, ସ୍ୱାଭିମାନୀ ଓଡ଼ିଆ ଆଗେଇ ଆସିବା ସହିତ ଓଡ଼ିଶାର ସମ୍ମାନ ସ୍ୱାଭିମାନ ଓ ଆମ ଅଞ୍ଚଳ କିପରି ଆମେ ଫେରି ପାଇପାରିବା, ତାହା ଉପରେ ଗଭୀର ଭାବରେ ଚିନ୍ତନ କରିବାର ସମୟ ଉପନୀତ ବୋଲି କୁହାଯିବା ସହିତ ଆନ୍ଧ୍ର ବାରମ୍ବାର କୋଟିଆରେ ସାଧାରଣ ଜନତାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇବା ସହିତ ଅରାଜକତା ସୃଷ୍ଟି କରୁଛି ବୋଲି ମହାମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହାମଞ୍ଚର ଅନ୍ୟ ସଦସ୍ୟ ଓଡ଼ିଶା ପୂର୍ଣ୍ଣାଙ୍ଗ ନ୍ୟାସ ମଣ୍ଡଳୀର ସୀତାବଲ୍ଲଭ ମହାପାତ୍ର, ପୂର୍ବନ ଜିଲାପାଳ ଗଦାଧର ପରିଡ଼ା, ସୀମାନ୍ତ ପ୍ରହରୀ ଜଗଦୀଶ ବକ୍ସିପାତ୍ର, ବି ମୁରଲୀଧର, ନାରାୟଣ ଓଝା, ସୁନୀଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମହାମଞ୍ଚ ପକ୍ଷରୁ ବିଜୟ ପରିଡ଼ା, ପ୍ରଦୀପ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories