www.samajalive.in
Sunday, December 14, 2025
26.1 C
Bhubaneswar

ଗୁଳି ବିନିମୟ ମିଛ ; ପୁଲିସ ହିଁ ଅଭିଯୁକ୍ତଙ୍କ ହତ୍ୟାକାରୀ

ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଗଠିତ ତଦନ୍ତ କମିସନ ରିପୋର୍ଟ, ମାମଲାରେ ମୋଡ଼ ; ୧୦ ପୁଲିସଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ/ହାଇଦରାବାଦ : ହାଇଦରାବାଦ ପ୍ରାଣୀ ଚିକିତ୍ସିକା ଗଣଧର୍ଷଣ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ପୁଲିସ ଗୁଳିବିନିମୟରେ ହତ୍ୟା କରିବା ଘଟଣା ଭିନ୍ନ ମୋଡ଼ ନେଇଛି। ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ଗଠିତ ତଦନ୍ତ କମିସନ ଏହାକୁ ମିଛ ବୋଲି ଦର୍ଶାଇବା ପରେ ଏହି ବହୁଚର୍ଚ୍ଚିତ ମାମଲା ନେଇ ହାଇଦରାବାଦ ପୁଲିସ ଅଡ଼ୁଆରେ ପଡ଼ିଛି। ଅଭିଯୁକ୍ତମାନେ ପୁଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ଗୁଳି ଚଳାଇବା ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ପାଲଟା ଗୁଳିରେ ହତ୍ୟା କରିଥିବା ପ୍ରଚାର କରିଥିଲା; ଯାହା କି ମିଛ ଏବଂ ଅବିଶ୍ବସନୀୟ ବୋଲି କହିଛନ୍ତି ତଦନ୍ତ କମିସନ। ପୁଲିସର ଦାବି ଆଧାରରେ କୌଣସି ପ୍ରମାଣ ନାହିଁ; ତେଣୁ ଏହା ‘ମିଛ ଗୁଳି ବିନିମୟ’। ଏହି ତଥାକଥିତ ଗୁଳି ବିନିମୟ ପାଇଁ ବାହାଦୁରି ଦେଖାଉଥିବା ୧୦ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ କମିସନ ସୁପାରିସ କରିଛନ୍ତି। ଏଥିସହିତ ଅପରାଧ ଆଇନକୁ ସୁସଂହତ କରିବା ପାଇଁ ପରାମର୍ଶ ଦେଇଛନ୍ତି। କମିସନ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟକୁ ନିର୍ଦେଶ ଦେଇଛନ୍ତି। ତଥାକଥିତ ଗୁଳି ବିନିମୟର ନେତୃତ୍ବ ନେଇଥିବା ପୁଲିସ ଅଧିକାରୀ ଭି. ସୁରେନ୍ଦ୍ର, କେ ନରସିଂହ ରେଡ୍ଡି, ଶେକ୍‌ ଳାଲ ମଧର, ମହମ୍ମଦ ସିରାଜୁଦ୍ଦିନ, କୋଚେଲା ରବି, କେ ଭେଙ୍କଟେଶ୍ବରଲୁ, ଏସ୍‌. ଅରବିନ୍ଦ ଗୌଡ଼, ଡି. ଜାନକୀରାମ୍‌, ଆର. ବାଲୁ ରାଠୋଡ଼ ଏବଂ ଡି. ଶ୍ରୀକାନ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
୨୦୧୯ ନଭେମ୍ବର ୨୭ ସନ୍ଧ୍ୟାରେ ହାଇଦରାବାଦ ନିକଟ ସାମସାବାଦ ଅନ୍ତର୍ଗତ ତୋଣ୍ଡୁପାଲି ତନଖି ଫାଟକ ନିକଟରେ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ୨୭ ବର୍ଷୀୟା ପ୍ରାଣୀ ଚିକିତ୍ସିକାଙ୍କ ଗାଡ଼ି ଖରାପ ହୋଇଯାଇଥିଲା। ତାଙ୍କୁ ସାହାଯ୍ୟ କରିବା ଆଳରେ ୪ ଦୁର୍ବୃତ୍ତ ଅପହରଣ କରିନେଇ ଗଣଧର୍ଷଣ କରିବା ସହ ସାଦନଗର ନିକଟ ଚତନପାଲଠାରେ ହତ୍ୟା କରି ପୋଡ଼ି ଦେଇଥିଲେ। ପୁଲିସ ଏହି ଘଟଣାର ୪ ଅଭିଯୁକ୍ତ ମହମ୍ମଦ ଆରିଫ, ଚିନ୍ତାକୁଣ୍ଟା ଚେନାକେସାବୁଲୁ, ଜୋଲୁ ଶିବା ଓ ଜୋଲୁ ନବୀନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରିଥିଲା। ଡିସେମ୍ବର ୬​‌େ​‌ର ସେମାନଙ୍କୁ ଘଟଣାର ଦୃଶ୍ୟ ଅବତାରଣା ପାଇଁ ନେଲାବେଳେ ହତ୍ୟା କରିଥିଲା ଏବଂ ଏହାକୁ ଗୁଳି ବିନିମୟ ଜନିତ ବୋଲି ଦର୍ଶାଇଥିଲା। ଏହି ହତ୍ୟାକୁ ନେଇ ବିବାଦ ଦେଖାଦେଇଥିଲା। ବିଭିନ୍ନ ମହଲ ପୁଲିସକୁ ପ୍ରଶଂସା କରିଥିଲେ ମଧ୍ୟ ଅନେକ ସନ୍ଦେହ ପ୍ରକଟ କରିଥିଲେ। ଏଥିନେଇ ଡିସେମ୍ବର ୧୨ରେ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା ଏବଂ ଅବସରପ୍ରାପ୍ତ ବିଚାରପତି ଭି.ଏସ୍‌ ସିରପୁରକରଙ୍କ ନେତୃତ୍ବରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ଜଣିଆ ତଦନ୍ତ କମିସନ ଗଠନ କରିଥିଲେ। କମିସନ ମୁଖ୍ୟ ଜାନୁଆରୀରେ ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କ ରିପୋର୍ଟ ଦାଖଲ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ଏହା ଉପରେ ପଦକ୍ଷେପ ନେଇଛନ୍ତି। କମିସନ ରିପୋର୍ଟରେ ପୁଲିସ ଅଭିଯୁକ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଦର୍ଶାଇଥିଲେ। ମାମଲାର ଚୂଡ଼ାନ୍ତ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ପୁଲିସ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ; ଗଣମାଧ୍ୟମକୁ କେବଳ ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇପାରି​ବେ‌ ବୋଲି କମିସନ କହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories