www.samajalive.in
Sunday, December 14, 2025
19.1 C
Bhubaneswar

ଦ୍ବିତୀୟ ବ୍ରାହ୍ମଣୀ ସେତୁ ଯାତାୟାତ ଉପଯୋଗୀ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଦ୍ବିତୀୟ ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ। ଆଜି ପୂର୍ବାହ୍ନରେ ସେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। କ୍ଷେତ୍ର ପରିଦର୍ଶନ କରିବା ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ବ୍ରାହ୍ମଣୀ ନଦୀ ଉପରେ ଯେଉଁ ଦ୍ୱିତୀୟ ସେତୁ ନିର୍ମାଣ ଚାଲିଛି ତାହା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜନସାଧାରଣଙ୍କ ସୁବିଧା ପାଇଁ ଏହି ସେତୁର ଗୋଟିଏ ପାର୍ଶ୍ୱକୁ ଚଳିତ ମାସ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ କରାଯିବ। ଜୁନ୍ ମାସ ଶେଷ ସୁଦ୍ଧା ଏହି ସେତୁକୁ ୬ ଲେନ୍ ବିଶିଷ୍ଟ କରି ପୂର୍ଣ୍ଣାଙ୍ଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଏହି ସେତୁ ସମ୍ପୂର୍ଣ୍ଣ ହେବାପରେ ରାଉରକେଲା ସହରରେ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ। ଭାରିଯାନଗୁଡ଼ିକ ସହର ଭିତରକୁ ନଆସି ବାଇପାସ୍ ରାସ୍ତା ଦେଇ ଯାତାୟତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ଫଳରେ ପ୍ରଦୂଷଣ ମଧ୍ୟ ନିୟନ୍ତ୍ରଣ ହୋଇପାରିବ।

ସୂଚନା ଯୋଗ୍ୟ ଯେ ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଉନ୍ନୟନମୂଳକ କାମ ସହିତ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏହିସବୁ କାର୍ଯ୍ୟ ବୁଲି ଦେଖିଥିଲେ। ମୁଖ୍ୟତଃ ସେ କୋଏଲନଗରସ୍ଥିତ ବୈକୁଣ୍ଠ ଘାଟ ନିକଟରେ ନିର୍ମାଣାଧୀନ ରିକ୍ରିଏସନାଲ ପାର୍କ, ଟ୍ରାଫିକ ଗେଟ୍ ନିକଟରେ ଚାଲିଥିବା ପାର୍କିଂ ସ୍ଥଳ ଓ ପାନପୋଷଠାରେ ବହୁତଳ ମାର୍କେଟ କଂପ୍ଲେକ୍ସର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। କାମର ଗୁଣାତ୍ମକ ମାନ ବଜାୟ ରଖି ଏହିସବୁ ପ୍ରକଳ୍ପ ନିର୍ମାଣ ନିର୍ଦ୍ଧାରିତ ସମୟ ସୀମା ଭିତରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଉରକେଲା ଗସ୍ତ ସାରି ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଏବଂ ଲହୁଣୀପଡ଼ା ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ। କୋଇଡ଼ା ବ୍ଲକର ଟେନସା ହିଲ ଟପ୍ ନେଚର କ୍ୟାମ୍ପକୁ ଯାଇ ସେଠାରେ ପର୍ଯ୍ୟଟକମାନଙ୍କୁ ଆତିଥ୍ୟ ପ୍ରଦାନ ପାଇଁ କାର୍ଯ୍ୟରତ ସ୍ଥାନୀୟ ବନ ସୁରକ୍ଷା ସମିତି ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ତା’ଛଡ଼ା ନେଚର କ୍ୟାମ୍ପପାଇଁ ସ୍ଥାପିତ ବିଭିନ୍ନ କଟେଜର ରକ୍ଷଣା ବେକ୍ଷଣ କାମର ତନଖି କରିଥିଲେ । ପର୍ଯ୍ୟଟକମାନଙ୍କ ନିମନ୍ତେ ଏହି ପର୍ଯ୍ୟଟନସ୍ଥଳୀକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ସରକାର ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ।
ସେହିପରି ଲହୁଣୀପଡ଼ା ବ୍ଲକର ଲଲେଇସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଗସ୍ତ କରି ଏହାର ସଠିକ୍ କର୍ଯ୍ୟକରିତାର ଅନୁଧ୍ୟାନ କରିଥିଲେ। ଏହି ଗସ୍ତ ବେଳେ ମୁଖ୍ୟ ଶାସନ ସଚିବଙ୍କ ସହିତ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ପାନପୋଷ ଉପଜିଲାପାଳ ଦୌଲତ ଚନ୍ଦ୍ରାକର, ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା, ଦେବଗଡ଼ ଡିଏଫଓ ଧନାଜୀ ଆର୍ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories