ଭାରତର ମୁକାବିଲା ପାଇଁ ଚୀନ୍ର ତିବ୍ବତୀୟ ବାହିନୀ : ବଳପୂର୍ବକ ନିଯୁକ୍ତି ସହ ଦେଉଛି ହିନ୍ଦୀ ଶିକ୍ଷା
ନୂଆଦିଲ୍ଲୀ : ଚୀନ୍ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ମୁତୟନ ଭାରତୀୟ ଯବାନ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ମୁକାବିଲା ପାଇଁ ତିବ୍ତୀୟ ଓ ଚୀନ୍ରେ ବ୍ୟବହୃତ ମାଣ୍ଡାରିନ୍ ଭାଷା ଶିକ୍ଷା କରୁଥିବାବେଳେ ଏହାର ଜବାବ ଦେବାକୁ ଯାଇ ପିଏଲଏ ଯବାନଙ୍କୁ ଚୀନ୍ ହିନ୍ଦୀ ଶିକ୍ଷାଦେବା ଆରମ୍ଭ କରିଛି। କେବଳ ସେତିକି ନୁହେଁ; ହିନ୍ଦୀ ଜାଣିଥିବା ଯୁବକଙ୍କୁ ପିଏଲଏରେ ନିଯୁକ୍ତି ଦେଉଛି କିମ୍ବା ହିନ୍ଦୀରେ ସ୍ନାତକ ଶିକ୍ଷାଲାଭ କରିଥିବା ଯୁବକଙ୍କୁ ପିଏଲଏ ଯବାନଙ୍କ ପାଇଁ ଅନୁବାଦକାରୀ ନିଯୁକ୍ତ କରୁଛି। ବିଶେଷକରି ଅରୁଣାଚଳ ପ୍ରଦେଶ, ସିକିମ୍, ଉତ୍ତରାଖଣ୍ଡ ସୀମାନ୍ତରେ ଚୀନ୍ ଏଭଳି ପଦକ୍ଷେପ ନେଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ଜୁନ୍ରୁ ତିବ୍ବତ ସଂଲଗ୍ନ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ପକ୍ଷରୁ ସ୍ବତନ୍ତ୍ର ନିଯୁକ୍ତି ଅଭିଯାନ ଆରମ୍ଭ କରୁଥିବା ଜଣାପଡ଼ିଛି। ତିବ୍ବତ ସାମରିକ ଜିଲା ଓ ଜିନ୍ଜିଆଙ୍ଗ ସାମରିକ ଜିଲା ଏଲଏସିର ପ୍ରାୟ ଅଧା ହୋଇଥିବାରୁ ଚୀନ୍ ଏହି ଅଞ୍ଚଳ ଉପରେ ଅଧିକ ଗୁରୁତ୍ବ ଦେଇଛି। ଭାରତର ଉତ୍ତର ସୀମାନ୍ତରେ ବସବାସ କରୁଥିବା ତିବ୍ବତୀୟମାନେ ହିନ୍ଦୀ ସହିତ ପରିଚିତ ଥିବାରୁ ସେମାନଙ୍କ ନିଯୁକ୍ତି ଉପରେ ଅଧିକ ଧ୍ୟାନ ଦେଉଛି। ସେଥିପାଇଁ ଗତ ଦୁଇ ମାସ ଧରି ଚୀନ୍ର ବିଭିନ୍ନ ବିଶ୍ବବିଦ୍ୟାଳୟ ତଥା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସବୁ ଅଞ୍ଚଳରେ ବୁଲିବୁଲି ହିନ୍ଦୀ ଶିକ୍ଷା ଓ ନିଯୁକ୍ତି ସୁଯୋଗ ସମ୍ପର୍କରେ ସ୍ଥାନୀୟ ଜନତାଙ୍କୁ ସଚେତନ କରୁଛନ୍ତି। ଭାରତୀୟ ଯବାନଙ୍କୁ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହିମାଳୟାନ୍ କଲ୍ଚରାଲ ଷ୍ଟଡିସ୍ ଦ୍ବାରା ତିବ୍ବତୀ ଓ ମାଣ୍ଡାରିନ୍ ଭାଷା ଶିକ୍ଷା ଦିଆଯାଉଛି।
ପାର୍ବତ୍ୟାଞ୍ଚଳ ଲଢ଼େଇରେ ଭାରତୀୟ ଯବାନଙ୍କ ମୁକାବିଲା ପାଇଁ ବର୍ଷକ ମଧ୍ୟରେ ଚୀନ୍ ୧୫୦୦ରୁ ଅଧିକ ତିବ୍ବତୀୟଙ୍କୁ ସ୍ବତନ୍ତ୍ର ତାଲିମ ଦେଇ ‘ସ୍ବେଚ୍ଛାକୃତ ସେନା’ ଭାବେ ପିଏଲଏରେ ସାମିଲ କରିଛି। ତିବ୍ବତର ନାଗ୍କୁଠାରେ ପ୍ରାୟ ବର୍ଷେ ତାଲିମ ପରେ ସିକିମ ସୀମାରେ ସେମାନଙ୍କୁ ମୁତୟନ କରାଯାଇଛି। କେବଳ ଚୁମ୍ବି ଉପତ୍ୟକାରୁ ୪୦୦ ଯବାନଙ୍କୁ ନିଯୁକ୍ତି ମିଳିଛି। ଲାସାଠାରେ ମଧ୍ୟ ତାଲିମ ଜାରି ରହିଛି। ଗରିବ ପରିବାରର ପ୍ରାୟ ୩ହଜାର ଯୁବକଙ୍କୁ ଜୋର୍ କରି ସେନାରେ ଭର୍ତ୍ତି ପାଇଁ ତାଲିମ ଦେଉଛି। ଏମାନଙ୍କ ପାଇଁ ‘ଚାଇନିଜ୍ ପିପୁଲ୍ସ ଆର୍ମଡ୍ ପୁଲିସ ବାହିନୀ’ ନାମରେ ନୂଆ ବାହିନୀ ଗଢ଼ାଯାଇଛି। ସମ୍ପ୍ରତି ପିଏଲଏ ଅଧୀନ ସ୍ବତନ୍ତ୍ର ତିବ୍ବତୀୟ ସେନାବାହିନୀରେ ସ୍ବୟଂଶାସିତ ତିବ୍ବତୀୟ ଅଞ୍ଚଳର ପ୍ରାୟ ୭ହଜାର ସକ୍ରିୟ ସୈନିକ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୦୦ ମହିଳାଙ୍କ ସମେତ ୧ହଜାର ତୀବ୍ବତୀୟ ଅଛନ୍ତି। ଏମାନଙ୍କୁ ନେଇ ୫ଟି ଘାତକ ବାହିନୀ ଗଢ଼ାଯାଇଛି। କେବଳ ସେତିକି ନୁହେଁ; ଚୀନ୍ ଭାରତକୁ ଉସୁକାଇବା ପାଇଁ ଲଦାଖ ନିକଟରେ ସଡ଼କ ଓ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିଛି। ଏହାର ଚିତ୍ର ଏବେ ଉପଗ୍ରହ ସୂତ୍ରରୁ ଉପଲବ୍ଧ ହୋଇଛି ା ଚୀନ୍ ପାନଗଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ବରେ ନିର୍ମାଣ କରିଥିବା ଏକ ସେତୁକୁ ସଂଯୋଗକାରୀ ରାସ୍ତା ନିର୍ମାଣ କାର୍ଯ୍ୟ ପୁରା ଦମ୍ରେ ଚଳାଇଛି। ଏପ୍ରିଲ ଶେଷ ଦୁଇ ସପ୍ତାହ ମଧ୍ୟରେ ଉକ୍ତ ରାସ୍ତାର ଅନେକ ଅଂଶ ନିର୍ମାଣ କରାଯାଇଛି। ପୂର୍ବରୁ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଚୀନ ପକ୍ଷରୁ ସେତୁ ନିର୍ମାଣକୁ ଭାରତ ସରକାର ବେଆଇନ ବୋଲି କହିଥିଲେ। ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା ଯେ ୧୯୬୨ ପରଠାରୁ ଚୀନ ବେଆଇନ ଭାବରେ ନିଜ ଦଖଲରେ ରଖିଥିବା ଅଞ୍ଚଳରେ ଉକ୍ତ ନିର୍ମାଣ କାର୍ଯ୍ୟ କରିଛି।
Comments are closed.