ଜୁନ ୪ରେ ଶିବ-ପାର୍ବତୀ ବିବାହ, ଥାଳ ଉଠା ନିତି ସହିତ ଆରମ୍ଭ ହେଲା ଶୀତଳ ଷଷ୍ଠୀର ଶୁଭାରମ୍ଭ
ଧୁମଧାମରେ ସମ୍ପନ୍ନ ହେଲା କନ୍ୟା ପିତାମାତା ଚୟନ
କୋଭିଡ ସଙ୍କଟ ପରେ ଚଳିତ ବର୍ଷର ଯାତ୍ରାକୁ ନେଇ ଉତ୍ସାହ
ସମ୍ବଲପୁର: ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ମଙ୍ଗଳବାର ଅପରାହ୍ନରେ ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଉତ୍ସବ ପାଇଁ ଥାଳ ଉଠା ନିତି ସମ୍ପନ୍ନ ହୋଇଯାଇଛି। ବିଗତ ୨ ବର୍ଷ ହେବ କୋଭିଡ – ୧୯ ମହାମାରୀର କରାଳ ସଙ୍କଟ ମଧ୍ୟରେ କେବଳ ବିଧି ରକ୍ଷା ମଧ୍ୟରେ ସୀମିତ ଥିବା ଏହି ଦେବ ବିବାହ ଉତ୍ସବକୁ ନେଇ ଚଳିତ ବର୍ଷ ଆୟୋଜକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଥାଳ ଉଠା ନିତି ସହିତ ମାସାଧିକ କାଳ ପର୍ଯ୍ୟନ୍ତ ଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ପର୍ବ ଏବଂ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀ ଙ୍କ ଲୌକିକ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଯାତ୍ରାର ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ନନ୍ଦପଡ଼ାର ବଂ ବଂ ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ବଡବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବାଙ୍କ ସମେତ ଅନ୍ୟାନ୍ୟ ଶିବାଳୟ ଗୁଡିକରେ ବିଧି ଅନୁଯାୟୀ ପୂଜାର୍ଚ୍ଚନା ଓ ଆଳତୀ ପରେ ଥାଳ ଉଠା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ବିଧି ସମ୍ପନ୍ନ ସହିତ ପ୍ରଚଳିତ ପରମ୍ପରା ଅନୁଯାୟୀ ଯାତ୍ରା କମିଟି ଗୁଡିକ ପକ୍ଷରୁ କନ୍ୟା ପିତାମାତା ମାନଙ୍କର ଚୟନ କରାଯାଇ ସେମାନଙ୍କର ନାମ ମଧ୍ୟ ଘୋଷଣା କରାଯାଇଛି।
ନନ୍ଦପଡ଼ା
ଆଦ୍ୟ ପରମ୍ପରା ଅନୁଯାୟୀ ବିଧି ରକ୍ଷା ନିମନ୍ତେ ନନ୍ଦପଡ଼ାର ସର୍ବ ପ୍ରଥମେ ଅପରାହ୍ନ ୫ ଟାରେ ସମ୍ବଲପୁର ନନ୍ଦପଡ଼ାର ବଂ ବଂ ବରାଡ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ରେ ପୂଜାର୍ଚ୍ଚନା ହୋଇଥିଲା। ଶୀତଳ ଷଷ୍ଠୀ ଉତ୍ସବର ସଫଳ ଓ ସକୁଶଳତା ପାଇଁ ଧୂପ, ଦୀପ, ପୁଷ୍ପ, ବେଲପତ୍ର ଓ ନୈବେଦ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଆଳତୀ ପରେ ବିଧି ମତେ ବରପିତା ରାମଚରଣ ମିଶ୍ର ଙ୍କ ଭାଇ ବିଭୂତି ଭୂଷଣ ମିଶ୍ର ତାଙ୍କର ପ୍ରତିନିଧି ରୂପେ ଥାଳ ଉଠାଇଥିଲେ। ଏହି ବିଧି ପରେ ଚଳିତ ବର୍ଷର କନ୍ୟା ପିତାମାତା ରୂପେ ଗୋଲବଜାର ନୟାପଡ଼ା ନିବାସୀ ଗିରିଶ ପଟେଲ ଓ ତାଙ୍କର ସହ ଧର୍ମିଣୀ ହଂସା ବେନ ପଟେଲ ଙ୍କୁ ଚୟନ କରାଯାଇଛି ବୋଲି କମିଟି ତରଫରୁ ଘୋଷଣା କରାଯାଇଥିଲା। ଏହା ପରେ ସର୍ବ ପୁରାତନ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନନ୍ଦପଡ଼ା ଠାରେ ପରମ୍ପରା ଅନୁଯାୟୀ ଅଞ୍ଚଳର ମୁରବୀ ମାନେ ପବିତ୍ର ଥାଳ ଧରି ଶୀତଳ ଷଷ୍ଠୀ ଉତ୍ସବର ଆୟୋଜନ ପାଇଁ ଘରକୁ ଘର ବୁଲି ସହଯୋଗ ରାଶି ସଂଗ୍ରହ କରିଥିଲେ।
ପୂଜା କାର୍ଯ୍ୟ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଓ ଶୀତଳ ଷଷ୍ଠୀ (ଦେବ ବିବାହ) ପୂଜକ ଶଶାଙ୍କ ଶେଖର ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଘଣ୍ଟ, ଶଙ୍ଖ ଓ ଅନ୍ୟାନ୍ୟ ବାଦ୍ୟର ଆସରରେ ବେଶ ଉତ୍ସାହର ସହିତ ଏହି ଧାର୍ମିକ ଉତ୍ସବର ଶୁଭାରମ୍ଭ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ କମିଟି ସଭାପତି ପ୍ରଶାନ୍ତ କୁମାର ବରାଇ, ସମ୍ପାଦକ ଆଶିଷ ବାବୁ, ନିଗମାନନ୍ଦ ମିଶ୍ର, ସୁରେଶ୍ୱର ମିଶ୍ର, ଶଶାଙ୍କ ଶେଖର ନନ୍ଦ, ପ୍ରଫୁଲ୍ଲ ହୋତା, ଅମୂଲ୍ୟ ମିଶ୍ର, ଭୁବନ ମୋହନ ମିଶ୍ର, ଆଭାଶିଷ ମିଶ୍ର, ସମୀର ରଞ୍ଜନ ବାବୁ, ଫଣି ଭୂଷଣ ମିଶ୍ର, ବିରାଜ ମିଶ୍ର, ଅରୁଣ ମିଶ୍ର, ବିବେକା ମିଶ୍ର, ରାଜେଶ ମିଶ୍ର, ଚକ୍ରଧର ମିଶ୍ର, ସିଦ୍ଧେଶ୍ବର ନନ୍ଦ ଙ୍କ ସମେତ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ପରମ୍ପରାକୁ ବଜାୟ ରଖିଥିଲେ।
ଝାଡୁଆପଡ଼ା
ଝାଡୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଆଳତି ପରେ ଥାଳ ଉଠା କାର୍ଯ୍ୟକ୍ରମ ଅପରାହ୍ନ ୫ଟାରେ ସମ୍ପନ୍ନ କରାଯାଇଥିଲା। ମନ୍ଦିର ପୂଜକ ରାମନାଥ ମହାପାତ୍ର ଓ ବିବାହ ପୂଜକ ମହେନ୍ଦ୍ର ପୂଜାରୀ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଚଳିତ ବର୍ଷ କନ୍ୟା ମାତାପିତା ହେବାର ଦାୟିତ୍ୱ କ୍ଷେତରାଜପୁର ପୋଦ୍ଦାର କଲୋନୀ ନିବାସୀ ସୁନୀଲ କୁମାର ଅଗ୍ରୱାଲ (ଟିଟୁ) ଓ କବିତା ଦେବୀ ଅଗ୍ରୱାଲ ଙ୍କୁ ପ୍ରାପ୍ତ ହୋଇଛି। ବରପିତା ଓ ମାତାଙ୍କ ଦାୟିତ୍ୱ ଅମରନାଥ ସୁପକାର ଓ ତାଙ୍କର ଧର୍ମପତ୍ନୀ ଅମୟ ସୁପକାର ନିର୍ବାହ କରିବେ। ଏହି ପବିତ୍ର କାର୍ଯ୍ୟରେ ସରୋଜ ଦଲପତ, ପାର୍ଥସାରଥି ମିଶ୍ର, ସୁଶାନ୍ତ ପୁରୋହିତ, ପ୍ରାଣ ରଞ୍ଜନ ପଣ୍ଡା, ଶ୍ରୀମନ୍ତ ମିଶ୍ର, ସଞ୍ଜୟ କୁମାର ମିଶ୍ର, ଶୁଭେନ୍ଦୁ ପଣ୍ଡା, ଚନ୍ଦ୍ରଶେଖର ପାଢ଼ୀ, ସଞ୍ଜୀବ ପାଢ଼ୀ, ଧୀରେନ୍ଦ୍ର ପଣ୍ଡା, ସରୋଜ କୁମାର ସାହୁ, ଶୁଭେନ୍ଦୁ ମିଶ୍ର, ସୀତାକାନ୍ତ ପାଣିଗ୍ରାହୀ, ସତ୍ୟଜିତ ପଣ୍ଡା, ନବ ସାହୁ, ବାବଲୁ ପୁରୋହିତ, ଅଭିଷେକ ମିଶ୍ର ଓ ଧିନା ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ମୋଦିପଡ଼ା
ମୋଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଆଳତି ପରେ ଥାଳ ଉଠା ବିଧି ନିରାଡମ୍ବରରେ ସନ୍ଧ୍ୟା ୭ଟା ୩୦ରେ ସମ୍ପନ୍ନ କରାଯାଇଥିଲା। ମନ୍ଦିର ପୂଜକ ଗୋବିନ୍ଦ ପଣ୍ଡା ଓ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ଚଳିତ ବର୍ଷ ବରପିତା ମଧୁସୁଦନ ନେଗିଙ୍କୁ ଅର୍ପଣ କରାଯାଇଥିବା ବେଳେ କନ୍ୟା ପିତାମାତା ଦାୟିତ୍ୱ ଏସଆରଆଇଟି ବୁଢ଼ାରଜା ନିବାସୀ ବିନୋଦ ବିହାରୀ ପଟେଲ ଓ ସହଧର୍ମିଣୀ ବିନତା ନାୟକ ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ଅବସରରେ କମିଟୀ ସଭାପତି ଜଗଦିଶ ପଣ୍ଡା, ସମ୍ପାଦକ ଦୁର୍ଗା ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଖଡିରତ୍ନ ବେହେରା, ସତ୍ୟକାନ୍ତ ମହାପାତ୍ର, ଈଶ୍ୱର ପ୍ରସାଦ ମିଶ୍ର, ନୃସିଂହ ଚରଣ ଦାସ, ବନମାଳୀ ପଟେଲ, ସୁନୀଲ କୁମାର ଦାଶ, ଗତିକୃଷ୍ଣ ଷଡଙ୍ଗୀ, ଅଶୋକ ପଟେଲ, ଅଭିରାମ ପଟେଲ, ହିମାଂଶୁ ପାଣିଗ୍ରାହୀ, ଗଙ୍ଗାଧର ଭୋଇ, ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।
ସାଧାରଣତଃ ପରମ୍ପରା ଅନୁଯାୟୀ ପ୍ରତି ବର୍ଷ ଅକ୍ଷୟ ତୃତୀୟା ତିଥିରେ ସପ୍ତାହବ୍ୟାପି ଏହି ଭବ୍ୟ ଶିବ ପାର୍ବତୀ ବିବାହ ଉତ୍ସବ ପାଇଁ ଥାଳଉଠା କାର୍ଯ୍ୟକ୍ରମ ସହିତ ଶୁଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ଏହା ପରେ ମାସାଧିକ କାଳ ପ୍ରାକ ପ୍ରସ୍ତୁତି ପରେ ସପ୍ତାହବ୍ୟାପି ଭବ୍ୟ ଦେବ ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଧାର୍ମିକ ଦେବ ବିବାହ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ଭିଡ ସହିତ ବହୁ ଲୋକଙ୍କୁ ଅସ୍ଥାୟୀ ରୋଜଗାରର ସୁଯୋଗ ମଧ୍ୟ ମିଳିଥାଏ। ଦେଶର ଅନ୍ୟତମ ବୃହତ୍ତମ ଏହି ଚଳନ୍ତି ଶୋଭାଯାତ୍ରାରେ ପ୍ରବଳ ଜନସାମାଗମ ହେଉଥିବାରୁ ସାଧାରଣତଃ ଅକ୍ଷୟ ତୃତୀୟା ତିଥି ପୂର୍ବରୁ ପ୍ରଶାସନ ଓ ଶୀତଳ ଷଷ୍ଠୀ କମିଟୀ ମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇ ସେହି ବର୍ଷ ପାଇଁ ଉତ୍ସବ ପାଇଁ ସମନ୍ୱୟ ରଖା ଯାଇ ରୂପରେଖ ଧାର୍ଯ୍ୟ କରାଯାଇଥାଏ। ଏଥି ପାଇଁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶାସନର ସହଭାଗିତାରେ ଏହି ଧାର୍ମିକ ଶୋଭାଯାତ୍ରାକୁ ଆୟୋଜନ କରାଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଆସନ୍ତା ଜୁନ ମାସ ୪ ତାରିଖ (ଶନିବାର)ରେ ଶିବ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ।
Comments are closed.