ଓଡ଼ିଶାର ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନକୁ ନେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ
ଉଚ୍ଚଶିକ୍ଷା ବିଭାଗର କଲେଜ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ହେଉଛି ଓଡ଼ିଶାର ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନକୁ ନେବା । ତାଙ୍କର ବଳିଷ୍ଠ ଦିଗ୍ଦର୍ଶନରେ ଉଚ୍ଚଶିକ୍ଷା ବିଭାଗ ଅନେକ ପରିବର୍ତ୍ତନଧର୍ମୀ ପଦକ୍ଷେପମାନ ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଖାଲିଥିବା ପଦବୀ ତୁରନ୍ତ ପୂରଣ କରିବା ଉପରେ ଜୋର ଦେଇଆସିଛନ୍ତି । ଉଚ୍ଚଶିକ୍ଷା ବିଭାଗ ସମୁଦାୟ ୪୨୫୫ ପଦବୀ ନିମନ୍ତେ ଅର୍ଥ ବିଭାଗର ମଞ୍ଜୁରୀ ନିଆସରିଛି ଏବଂ ଏସ୍ଏସ୍ବି ଓ ଓପିଏସ୍ସିଙ୍କୁ ସୁପାରିଶ କରାଯାଇଛି । ତନ୍ମଧ୍ୟରୁ ୨୦୮୧ ପଦବୀ ପୂରଣ ସରିଥିବାବେଳେ ଅନ୍ୟଗୁଡ଼ିକ ପାଇଁ ପ୍ରକ୍ରିୟା ଚାଲୁରହିଛି । ୨୦୧୯-୨୦ ବର୍ଷରୁ ୨୦୨୧-୨୨ ବର୍ଷ ମଧ୍ୟରେ ୧୭୮୧ ଜଣ ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଏସ୍ଏସ୍ବି ମାଧ୍ୟମରେ ସଂପୂର୍ଣ୍ଣ ହୋଇଛି ଏବଂ ୪୭୬ ଜଣଙ୍କର ନିଯୁକ୍ତି ପ୍ରକ୍ରିୟା ଚାଲୁରହିଛି । ୩୮୫ ଜଣ ବି.ଏଡ୍ ଶିକ୍ଷକଙ୍କର ନିଯୁକ୍ତି ପ୍ରକ୍ରିୟା ଓପିଏସସି ମାଧ୍ୟମରେ ଚାଲୁରହିଛି । ୫୧ଟି ସରକାରୀ କଲେଜ୍ରେ ଖାଲିଥିବା ୬୦୬ ଅଧ୍ୟାପକ ପଦବୀରୁ ଓପିଏସ୍ସି ମାଧ୍ୟମରେ ୧୫୦ ପଦବୀ ପୂରଣ ହୋଇସାରିଥିବାବେଳେ ଅନ୍ୟଗୁଡ଼ିକର ପ୍ରକ୍ରିୟା ଚାଲୁରହିଛି। ବିଶ୍ୱବିଦ୍ୟାଳୟସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ସ୍ତରରେ ୧୦୦୭ ଖାଲିଥିବା ପଦବୀର ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଥିବାବେଳେ ତନ୍ମଧ୍ୟରୁ ଓପିଏସ୍ସି ମାଧ୍ୟମରେ ୧୫୦ଟି ପଦବୀ ପୂରଣ ହୋଇସାରିଛି ଏବଂ ଏହା ତ୍ୱରାନ୍ୱିତ ହେଉଛି ।
ନିଯୁକ୍ତି ନିୟମରେ ପରିବର୍ତ୍ତନ କରାଯାଇ ନୂତନ ଓଡ଼ିଶା ଏଜୁକେସନ୍ ସର୍ଭିସେସ୍ (କଲେଜ ବ୍ରାଞ୍ଚ) ରିକ୍ରୁଟ୍ମେଣ୍ଟ ରୁଲ୍ସ, ୨୦୨୦ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-‘ଟି’ ନୀତି ଆଧାରରେ ଉଚ୍ଚଶିକ୍ଷା ବିଭାଗ ଓ ନିର୍ଦ୍ଦେଶାଳୟର ଏକତ୍ରୀକରଣ କରାଯାଇଛି, ଯଦ୍ବାରା ଫାଇଲ୍ ପ୍ରକ୍ରିୟା ଓ ନିଷ୍ପତ୍ତି ତ୍ୱରିତ ହୋଇପାରୁଛି ।
‘ନୀତିଶିକ୍ଷା ଓ ମୂଲ୍ୟବୋଧ’ ତଥା ‘ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା’ ଉପରେ ବାଧ୍ୟତାମୂଳକ ବିଷୟ ଶିକ୍ଷା ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନଙ୍କର ପାଠ୍ୟ ତଥା ବ୍ୟକ୍ତିଗତ ସମସ୍ୟାର ସମାଧାନ ନିମନ୍ତେ ସମସ୍ତ ଡିଗି୍ର କଲେଜ୍ରେ ପ୍ରୋକେଫାରିଆଲ୍ ଏବଂ ମେଣ୍ଟରିଂ ପଦ୍ଧତି ଲାଗୁ କରାଯାଇଛି। କଲେଜ୍ର ଉନ୍ନତିରେ ପୁରାତନ ଛାତ୍ରଙ୍କର ଅବଦାନ ରଖିବା ନିମନ୍ତେ ‘ମୋ କଲେଜ୍’ ପରି ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଇଛି । କର୍ମଚାରୀମାନଙ୍କ ପାଇଁ ମଧ୍ୟ ଅନେକ ସଂସ୍କାର ଅଣାଯାଇଛି । ସେ ମାଟରନିଟି ଲିଭ୍ ହେଉ କି କୌଣସି ସମ୍ବନ୍ଧୀୟ ସରକାରୀ ଅନୁମତି ସବୁଥିରେ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ।
ଆନ୍ତବିଶ୍ୱବିଦ୍ୟାଳୟ ସ୍ତରରେ କ୍ରୀଡ଼ା, ସାହିତ୍ୟ ଓ ସଂସ୍କୃତିର ପ୍ରତିଯୋଗିତାମାନ କରାଯାଉଛି। ନାମଲେଖାରେ ସ୍ୱଚ୍ଛତା ଆଣିବା ପାଇଁ ଉଚ୍ଚଶିକ୍ଷା ବିଭାଗ ସାମ୍ସ ପ୍ରକଳ୍ପ ଅଧୀନରେ ଇ-ଆଡ୍ମିଶନ୍ ଲାଗୁ କରାଯାଇଛି। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷା ଓ ଅନୁସନ୍ଧାନକୁ ଉନ୍ନୀତ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଗଠନ କରାଯାଇଛି। ଏହିପରି ଅନେକ ସଂସ୍କାରମୂଳକ ପଦକ୍ଷେପ ଉଚ୍ଚଶିକ୍ଷା ବିଭାଗ ଗ୍ରହଣ କରିଛି।
ପ୍ରକାଶଥାଉ କି, ଆଜି କୃଷି ଭବନରେ ଓସ୍ୱାନ୍ ମାଧ୍ୟମରେ ଆୟୋଜିତ କଲେଜ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସାରା ରାଜ୍ୟରୁ ଯୋଗଦେଇଥିବା ପ୍ରାୟ ୭୦୦ରୁ ଅଧିକ କଲେଜର ଅଧ୍ୟକ୍ଷମାନଙ୍କୁ ସରକାର ଲାଗୁ କରିଥିବା ସମସ୍ତ ସଂସ୍କାରର ଲାଭ ଉଠାଇ ଏଗୁଡ଼ିକୁ ସଠିକ୍ ଭାବରେ କାର୍ଯ୍ୟକାରି କରିବା ସହ କଲେଜର ସର୍ବାଙ୍ଗୀନ ଉନ୍ନତିରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଅଧ୍ୟକ୍ଷମାନଙ୍କ ସହିତ କଲେଜର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରି ଏହାର ସମାଧାନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ ଓ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ସେମାନଙ୍କ ସହ ମତବିନିମୟ କରିଥିଲେ ।
Comments are closed.