ଠାକୁରମୁଣ୍ଡା: ହାତୀ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି ଜଣେ ବୃଦ୍ଧ। ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ । ଠାକୁରମୁଣ୍ଡା ରେଞ୍ଜର ଡଙ୍ଗାଡିହା ଗ୍ରାମରେ ଆଜି ମଧ୍ୟାହ୍ନ ୧୧ରୁ ୧୨ ଟା ମଧ୍ୟରେ ଏକ ଦନ୍ତା ସେହି ଗ୍ରାମର ରେଣା ବଦ୍ରାଙ୍କୁ ଆକ୍ରମଣ କରି ଗୁରୁତର କରିଥିବା ଜଣାପଡ଼ିଛି । ରେଣା ନିଜ ଘର ନିକଟରେ ଥିବା ଚାଷଜମିରେ କାମ କରୁଥିବା ସମୟରେ ହାତୀଟି ପଛପଟୁ ଆସି ହଠାତ ଆକ୍ରମଣ କରିଥିଲା । ହାତୀଟି ରେଣାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗିବା ସହିତ ପାଦରେ ଆଘାତ କରିବା ଦ୍ଵାରା ମୁଣ୍ଡ ଏବଂ ଛାତିରେ ଆଘାତ ଲାଗିଛି । ତେବେ ପାଟିଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରିବା ସହିତ ନିକଟରେ ଥିବା ବିଟକୁ ଖବର ଦେଇଥିଲେ । ହେଲେ ସେଠାକାର ବନକର୍ମଚାରୀ ଆମ ଅଞ୍ଚଳ ନୁହେଁ କହି ସେଠାରୁ ଖସି ଯାଇଥିଲେ । ତେବେ ଏ ଖବର ପ୍ରଚାରିତ ହେବାପରେ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ, ସରପଞ୍ଚ ଓ ଠାକୁରମୁଣ୍ଡା ରେଞ୍ଜର ବନ କର୍ମଚାରୀମାନେ ବୃଦ୍ଧଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ ରେଣାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ବଡ ମେଡ଼ିକାଲ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Popular Categories



