କଲ୍ୟାଣସିଂହପୁର : ଗତ କିଛି ଦିନ ଧରି ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାତିରୁ ମୁକୁଳିବା ପାଇଁ ଲୋକେ ଏବେ ତ୍ରାହି ତ୍ରାହି ଡାକ ଦେଉଥିବା ଶୁଣିବାକୁ ମିଳୁଛି । ସକାଳ ୮ଟା ବାଜିଗଲେ ବିଶେଷ କାମ ନଥିଲେ ଲୋକମାନେ ଘରୁ ବାହାରକୁ ବାହାରିବା ପାଇଁ କୁଣ୍ଠାବୋଧ କରୁଛନ୍ତି । ମଧ୍ୟାହ୍ନ ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗାଁ ଜନ ଶୂନ୍ୟ ଦେଖାଯାଉଛି । ଖରା ସମୟରେ ଆସୁଥିବା ଯାତ୍ରୀବାହୀ ବସରେ ଯାତ୍ରୀ ମାନଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳୁଛି । ଏହି ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହୁଥିବା ବେଳେ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଆଖୁରସ, ଦହି, ସର୍ବତ, ଲେମ୍ବୁପାଣି, ତରଭୁଜ,ପଇଡ଼ ,କାକୁଡି, ଥଣ୍ଡା ପାନୀୟ ଦୋକାନରେ ଗ୍ରାହକଙ୍କ ଭିଡ ହେଉଥିବା ଦେଖିବାକୁ ମିଳୁଛି । ଅସହ୍ୟ ତାପମାତ୍ରା ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ କାଟ ସାଧାରଣ ଜନତାଙ୍କ ପାଇଁ ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି। ଦିନ ଅପେକ୍ଷା ରାତ୍ରିରେ ଅଧିକ ସମୟ ବିଦ୍ୟୁତ ବିଭ୍ରାଟ ଦେଖାଦେଉଛି । ବିଦ୍ୟୁତ କାଟ ଯୋଗୁଁ ନିୟମିତ ଭାବେ ଟ୍ୟାପରୁ ପାଣି ଆସୁନାହିଁ । ଅସହ୍ୟ ତାତି ସାଙ୍ଗକୁ ମୁନ୍ଦାଏ ପାଣି ପାଇଁ ଗ୍ରାମବାସୀ ଛଟପଟ ହେଉଥିବା ଦେଖିବାକୁ ମିଳୁଛି । ଲୋକେ ଏବେ ତାତି, ବିଦ୍ୟୁତ କାଟ, ପାଣି ପାଇଁ ବହୁ ପରିସ୍ଥିତିର ସମୁଖୀନ ହେଉଛନ୍ତି। ଧନୀ ଶ୍ରେଣୀର ଲୋକେ ବିକଳ୍ପ ବ୍ୟବସ୍ଥା କରିପାରୁଥିବା ବେଳେ ସାଧାରଣ ଲୋକେ ଭାଗ୍ୟକୁ ଆଦରି ବହୁ କଷ୍ଟରେ ପଡି ରହିଛନ୍ତି। ଉତ୍ତାପ ସମୟରେ ପାଣି ଟିକେ ପାଇଁ ଯାତ୍ରୀ ଓ ବାଟୋଇ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଯ୍ୟ।ପ୍ତ ପରିମାଣରେ ଜଳଛତ୍ର ଅଦ୍ୟାବଧି ଖୋଲାଯାଇ ନଥିବା ଦେଖାଦେଇଛି । ଯାତ୍ରୀ ଓ ବାଟୋଇ ମାନେ ବଜାରରେ ବିକ୍ରି ହେଉଥିବା ପାଣି ପାଉଚକୁ ୨ଟଙ୍କା ଲେଖାଏଁ ଦେଇ ବାଧ୍ୟ ହୋଇ କିଣି ତୃଷ୍ଣା ମେଣ୍ଟାଉଥିବା ଦେଖାଦେଇଛି । ଏଣୁ ତୁରନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳଛତ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି ।
Popular Categories



