www.samajalive.in
Saturday, December 13, 2025
26.1 C
Bhubaneswar

ପରଲୋକରେ ପ୍ରଫୁଲ୍ଲ କର

ଭୁବନେଶ୍ବର : କିମ୍ବଦନ୍ତୀ ସଙ୍ଗୀତ ସାଧକ, ପ୍ରଚ୍ଛଦପଟ ଗାୟକ, ଗୀତିକାର ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉନାହାନ୍ତି । ୮୩ ବର୍ଷ ବୟସରେ ଆଖି ବୁଝିଛନ୍ତି କମଳ ଦେଶର ରାଜକୁମର ଭାବେ ପରିଚିତ ଏହି ବର୍ଷିୟାନ୍‌ ସଂଗୀତଜ୍ଞ। ରବିବାର ରାତିରେ ଭୁବନେଶ୍ବର ବାସଭବନରେ ତାଙ୍କର ପରଲୋକ ହୋଇଥିବା ପୁତ୍ର ମହାପ୍ରସାଦ କର ସୂଚନା ଦେଇଛନ୍ତି। ସ୍ବର୍ଗତ କରଙ୍କ ବିୟୋଗ ଖବର ପାଇବା ପରେ ସତ୍ୟନଗରସ୍ଥିତ ବାସଭବନରେ ସଙ୍ଗୀତ ଜଗତର ବହୁ ଶିଳ୍ପୀ, ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
୧୬ ଫେବୃୟାରୀ ୧୯୩୯ ମସିହାରେ ପୁରୀର ଏକ କୁଳୀନ ତଥା ସଙ୍ଗୀତଶିଳ୍ପୀଙ୍କ ପରିବାରରେ ବାପା ବୈଦ୍ୟନାଥ କର ଓ ମା’ ସୁଶୀଳା କରଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ପ୍ରଫୁଲ୍ଲ କର। ମାମୁ କ୍ଷେତ୍ରମୋହନ କର ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ। ପିଲାଦିନୁ ବାପାଙ୍କୁ ହରାଇଥିବା ପ୍ରଫୁଲ୍ଲ ଜେଜେବାପା ଭଗବାନ ମିଶ୍ର ଓ ଜେଜେମା’ ଅପର୍ଣ୍ଣା ଦେବୀଙ୍କ କୋଳରେ ବଢ଼ିଥିଲେ। ଆଇନରେ ସ୍ନାତକ ସହ ସଙ୍ଗୀତରେ ବିଶାରଦ କରିଥିଲେ ପ୍ରଫୁଲ୍ଲ କର।
ସଙ୍ଗୀତକୁ ସାଥୀ କରି ସେ ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ଭାବେ ପରିଚିତ ହୋଇଥିଲେ। ଦୀର୍ଘ ଦଶନ୍ଧି ଧରି ସେ ଅନେକ ମନଛୁଆଁ ସଙ୍ଗୀତ ଦର୍ଶକଙ୍କ ଭେଟି ଦେଇଥିଲେ। ଜଣେ ଗାୟକ ଓ ଗୀତିକାର ଭାବେ ଓଡ଼ିଆ ସାହିତ୍ୟ ଓ ସଂଗୀତ ଜଗତରେ ସେ ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି। ଆକାଶବାଣୀ ଓ ଦୂରଦର୍ଶନର ସେ ଥିଲେ ସ୍ବୀକୃତିପ୍ରାପ୍ତ ଶିଳ୍ପୀ। ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୧୦ରୁ ଅଧିକ ବଙ୍ଗଳା ଚିତ୍ରରେ ସେ କଣ୍ଠଦାନ କରିଥିଲେ। ନିଜର ଉଲ୍ଲେଖନୀୟ ସଙ୍ଗୀତ ସାଧନା ପାଇଁ ସେ ଜୟଦେବ ସମ୍ମାନ (୨୦୦୪), ସ୍ବଣ୍ବର୍ଣ୍ଣ ସଞ୍ଜୀବନୀ ସମ୍ମାନ (୨୦୦୮), କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (୨୦୦୯), ବାଳକୃଷ୍ଣ ଦାଶ ସମ୍ମାନ (୨୦୧୦), ଫିଟଫାଟ ବାଇସ୍କୋପ୍‌ ସମ୍ମାନ (୨୦୧୧), କାଦମ୍ବିନୀ ପୁରସ୍କାର (୨୦୧୨), ପରମ୍ପରା ସମ୍ମାନ (୨୦୧୨), ୧୧ତମ କୁମାର ଉତ୍ସବରେ ସହଦେବ ପାଢୀ ପୁରସ୍କାର (୨୦୧୩) ଆଦି ପାଇଥିଲେ। ସଂଗୀତ କ୍ଷେତ୍ରକୁ ତାଙ୍କ ଜୀବନବ୍ୟାପୀ ସାଧନା ତଥା ବିଶେଷ ଅବଦାନ ଲାଗି ୨୦୧୫ ମସିହାରେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରିଥିଲେ। ୨୦୧୬ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସଙ୍ଗୀତ କ୍ଷେତ୍ରରେ ଡି ଲିଟ୍‌ ଉପାଧି ଦିଆଯାଇଥିଲା। ୨୦୧୭ ମସିହାରେ ‘ଚକୋଲେଟ୍‌ ମ୍ୟୁଜିକ୍‌ ଆୱାର୍ଡ’ ପକ୍ଷରୁ ତାଙ୍କୁ ଚକୋଲେଟ୍‌ ଲିଜେଣ୍ଡ ଆୱାର୍ଡରେ ସମ୍ମାନିତ କରାଯାଇଥିଲା।
ଅନ୍ୟପକ୍ଷରେ ଶ୍ରୀ କର ଥିଲେ ଜଣେ ରୁଚିସମ୍ପନ୍ନ ସ୍ତମ୍ଭକାର। ବିଭିନ୍ନ ଗଣମାଧ୍ୟମରେ ତାଙ୍କର ସୃଜନଶୀଳ ସାହିତ୍ୟ ସୃଷ୍ଟି ପାଠକୀୟ ମହଲରେ ବେଶ୍‌ ଆଦୃତି ଲାଭ କରିଛି। ଶେଷ ଜୀବନ ପର୍ଯ୍ୟନ୍ତ ସେ ଥିଲେ ବେଶ୍‌ ଚଳଚଞ୍ଚଳ ଓ କର୍ମତତ୍ପର।
ପତ୍ନୀ ମନୋରମା, ଦୁଇ ପୁଅ ମହାପ୍ରସାଦ ଓ ମହାଦୀପ ଏବଂ କନ୍ୟା ସନ୍ଧ୍ୟାଦୀପାଙ୍କୁ ଛାଡ଼ି ସେ ଆରପାରିକୁ ଚାଲି ଯାଇଛନ୍ତି। ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଏକ ବୃହତ୍ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ତାଙ୍କର ବହୁଚର୍ଚ୍ଚିତ ଗୀତ ’କମଳ ଦେଶ ରାଜକୁମର ହାତରେ ପୁଷ୍ପ ଧନୁ…’ ପ୍ରଫୁଲ୍ଲ କରଙ୍କୁ ଓଡ଼ିଶାର ସଂଗୀତ ଜଗତରେ ଚିର ଅମଳିନ କରି ରଖିବ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories