www.samajalive.in
Sunday, December 14, 2025
16.1 C
Bhubaneswar

ଓଡ଼ିଶା ଦିବସର ଅନୁଚିନ୍ତା

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିବସ ବା ଉତ୍କଳ ଦିବସ ପାଳନ ହେଉଛି। ଏହି ଅବସରରେ ଏହାର ତାତ୍ପର୍ଯ୍ୟ ଓ ନିର୍ଯ୍ୟାସ ଉପରେ ଆଲୋଚନା କରିବା ଆବଶ୍ୟକ ହୋଇପଡ଼ିଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରାସଙ୍ଗିକତା କ’ଣ ରହିଥିଲା ଓ ତାହା କେତେଦୂର ସଫଳ ହୋଇପାରିଛି ଏବଂ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ସେହି ଦାବି କେତେଦୂର ମିଳିପାରିଛି ଏ ସଂପର୍କରେ ଆଲୋଚନା ହେବା ଜରୁରୀ। ୧୯୩୬ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ହାସଲ କଲା। ମାତ୍ର ଏହା ପାଇବା ପୂର୍ବରୁ ଦୀର୍ଘ ୩୩ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିଲା। ଏହି ଆନ୍ଦୋଳନରେ ଯେଉଁମାନେ ଆଗଧାଡ଼ିରେ ଥିଲେ ସେମାନେ ଆଜି ନାହାଁନ୍ତି ସତ; କିନ୍ତୁ ସେମାନଙ୍କର କାର୍ଯ୍ୟକୁ ଆମେମାନେ ସତତ ସ୍ୱୀକାର କରିବା ସଂଗେ ସଂଗେ ଦୀର୍ଘଦିନ ଧରି ଯେଉଁ ଲକ୍ଷ୍ୟ ପୂରଣ ହୋଇପାରିନାହିଁ ସେ ଦିଗରେ ଅଗ୍ରସର ହେବା ମଧ୍ୟ ଆମପାଇଁ ଗ୍ରହଣୀୟ। ଦିନଥିଲା ଭାରତ ମାନଚିତ୍ରରେ ଓ ଭୂଗୋଳରେ ଓଡ଼ିଶାର ସ୍ୱତନ୍ତ୍ରତା ନ ଥିଲା। ଓଡ଼ିଆ ଭାଷା ଆକ୍ରୋଶର ଶିକାର ହୋଇ ତା’ର ଅସ୍ତିତ୍ୱ ହରାଇବାକୁ ବସିଥିଲା। ଓଡ଼ିଶାର ଗୌରବ ଓ ଐତିହ୍ୟକୁ ଧରି ରଖିବା ପାଇଁ ସେହି ଯୋଗଜନ୍ମାମାନେ ଯଦି ଠିକ୍‍ ସମୟରେ ଉଦ୍ୟମ ନ କରିଥାନ୍ତେ ତେବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ତ ସମ୍ଭବପର ହୋଇପାରିନଥାନ୍ତା ଓ ପଡ଼ୋଶୀ ଭାଷାର ତାଡ଼ନାରେ ଓଡ଼ିଆ ଭାଷା ମଧ୍ୟ ବିଲୁପ୍ତ ହୋଇଯାଇଥାନ୍ତା। ପ୍ରତିବର୍ଷ ଉତ୍କଳ ଦିବସ ପାଳନ ଅବସରରେ ଆମେମାନେ ସେହି ଓଡ଼ିଆ ପୁଅମାନଙ୍କୁ ସମ୍ମାନ ଜଣାଉଛୁ, ଯାହାଙ୍କର ଅବିରତ ପ୍ରଚେଷ୍ଟା ଫଳରେ ଓଡ଼ିଆ ଜାତି ତାର ଏକ ସ୍ୱତନ୍ତ୍ର ସ୍ଥିତି ଏବଂ ପରିଚୟ ସୃଷ୍ଟି ପାରିପାରିଛି।
୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପରି ଏକ ମାନବକୃତ ସଂହାର ଲୀଳାରେ ଓଡ଼ିଶାର ୩୦ଲକ୍ଷ ଲୋକଙ୍କ ଜୀବନଦୀପ ଲିଭିଯାଇଥିଲା। ୧୮୬୭ରୁ ୧୮୭୦ ମଧ୍ୟରେ ଓଡ଼ିଆ ଭାଷାକୁ ଓଡ଼ିଶାର ବିଦ୍ୟାଳୟମାନଙ୍କରୁ ହଟାଇବା ପାଇଁ ଉଦ୍ୟମ ହୋଇଥିଲା। କଲିକତାରେ ଅନୁଷ୍ଠିତ ଏସିଆଟିକ ସୋସାଇଟିରେ ପ୍ରତ୍ନତତ୍ତ୍ୱବିତ୍‍ ରାଜେନ୍ଦ୍ରଲାଲ ମିତ୍ର ଓଡ଼ିଆ ସ୍କୁଲମାନଙ୍କରୁ ଓଡ଼ିଆ ଭାଷା ଉଚ୍ଛେଦ କରି ସେଠାରେ ବଙ୍ଗଳା ଭାଷା ପ୍ରଚଳନ ପାଇଁ ପ୍ରସ୍ତାବ ଆଣିଥିଲେ। ସେହିପରି ୧୮୭୬ ମସିହାରେ ଦକ୍ଷିଣ ଭାରତରେ ଦୁର୍ଭିକ୍ଷ ପଡ଼ିଥିଲାବେଳେ ଲର୍ଡ଼ଲିଣ୍ଟନ ବହୁ ଅର୍ଥ ବ୍ୟୟ କରି ଦିଲ୍ଲୀରେ ଦରବାର ଆୟୋଜନ କରିଥିଲେ। ଏହି ଦରବାରରେ ମହାରାଣୀ ଭିକ୍ଟୋରିଆଙ୍କ ସାମ୍ରାଜ୍ଞୀ ପଦବୀ ପ୍ରତି ଆନୁଗତ୍ୟ ଦେଖାଇଥିଲେ। ଏହିସବୁ ଅବ୍ୟାପାର ମଧ୍ୟରେ ଭାରତ ତଥା ଓଡ଼ିଶାରେ ଇଂରେଜ ସରକାର ଯେଉଁ ଦମନ ଓ ଶୋଷଣ ଚଳାଇଥିଲେ ସେଥିରୁ ମୁକ୍ତିପାଇଁ ଆରମ୍ଭ ହୋଇଥିଲା ଜାତୀୟ ମୁକ୍ତି ସଂଗ୍ରାମ। ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଜନ୍ମଲାଭ କରିଥିଲାବେଳେ ଧୀରେ ଧୀରେ ଓଡ଼ିଶାରେ କଂଗ୍ରେସ ବାର୍ତ୍ତା ପ୍ରସାରିତ ହୋଇଥିଲା। ମାତ୍ର ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଓ ଉତ୍କଳୀୟ ପରମ୍ପରାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ସେଥିରେ ଆଗଧାଡ଼ିରେ ଥିଲେ ରାଜା, ଜମିଦାର ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ। ୧୯୦୩ ମସିହା ପ୍ରଥମ ଭାଗରେ ଗଞ୍ଜାମରେ ହୋଇଯାଇଥିବା ସମ୍ମିଳନୀ ସାରା ଓଡ଼ିଶାକୁ ଆନ୍ଦୋଳିତ କରିଥିଲା। ସେହିବର୍ଷ ଡ଼ିସେମ୍ବର ୩୦ା୩୧ ତାରିଖରେ କଟକର ଇଦ୍‍ଗା ପଡ଼ିଆରେ ଆରମ୍ଭ ହୋଇଥିଲା ଓଡ଼ିଶାର ଜାତୀୟ ମହାସଭା ଉତ୍କଳ ସମ୍ମିଳନୀ। ଏହାର ଆୟୋଜନ ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ କଟକ କନିକା କୋଠିରେ ଆଲୋଚନା କରିଥିଲେ। ସେଥିରେ ୩୦ ଜଣ ବ୍ୟକ୍ତି ଯୋଗଦେଇ ସମ୍ମିଳନୀ ଆୟୋଜନର ପ୍ରସ୍ତାବ ରଖିଥିଲେ। କନିକା ରାଜା ଥିଲେ କମିଟିର ସଭାପତି। ମଧୁସୂଦନ ଦାସ ଥିଲେ ସଂପାଦକ। ଜୟରାମ ଦାସ, ସାମସନ ରାଉତ, ଗୋପାଳଚନ୍ଦ୍ର ପ୍ରହରାଜ ସଦସ୍ୟ ଥିଲେ। ଅଭିରାମ ଭଞ୍ଜ ଥିଲେ ଯୁଗ୍ମ ସଂପାଦକ। ନଭେମ୍ବର ମାସ ୧୫ ତାରିଖରୁ ସମ୍ମିଳନୀ କାର୍ଯ୍ୟ ପ୍ରସ୍ତୁତି ଚାଲି ଡ଼ିସେମ୍ବର ୨୪ ତାରିଖରେ ଶେଷ ହୋଇଥିଲା। ଡ଼ିସେମ୍ବର ୨୯ ତାରିଖ ଦିନ କଟକ ଶ୍ରୀରାମଚନ୍ଦ୍ର ଭବନରେ ମହାରାଜ କୃଷ୍ଣଚନ୍ଦ୍ର ଭଞ୍ଜଦେବଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ହୋଇଥିଲା। ଏଥିରେ ରାଜା ବୈକୁଣ୍ଠ ନାଥ ଦେ, କେନ୍ଦୁଝର, କନିକା, ଆଠଗଡ଼, ମଞ୍ଜୁସା, ଜୟପୁର, ଖଲିକୋଟ, ବଲାଙ୍ଗୀର, ସୋନପୁର ଅନ୍ୟାନ୍ୟ ଗଡ଼ଜାତ ରାଜାମାନେ ଯୋଗଦେଇଥିଲେ। ଏମାନଙ୍କ ସହିତ ପାଦ୍ରୀ ରେଭରେଣ୍ଟ ୟଙ୍ଗ, ରାୟବାହାଦୂର ଯୋଗେଶଚନ୍ଦ୍ର ରାୟ, ସୁକୁମାର ରାୟ ଚୌଧୁରୀ, ଉତ୍କଳ ଦୀପିକା ସଂପାଦକ, ଉତ୍କଳ ସାହିତ୍ୟ, ଉତ୍କଳ ହିତୈଷିଶୀ, ସମ୍ବଲପୁର ହିତୈଷିଣୀର ସଂପାଦକ ଉପସ୍ଥିତ ଥିଲେ।
ଉତ୍କଳ ସମ୍ମିଳନୀରେ ଉତ୍କଳବାସୀ କେବଳ ଓଡ଼ିଆ ଭାଷାଭାଷୀ ନୁହନ୍ତି। ଯେଉଁମାନେ ଭାଷା, ଧର୍ମ, ଗୋଷ୍ଠୀ ନିର୍ବିଶେଷରେ ଉତ୍କଳ ଜନନୀ କୋଳରେ ଜନ୍ମ ଏବଂ ପ୍ରତିପାଳିତ ସେମାନେ ସମସ୍ତେ ଓଡ଼ିଶାବାସୀ। ଏହି ଜାତୀୟ ମହାସଭାର ସଭ୍ୟ ଭାବରେ ଥିଲେ ଅନେକ ବୁଦ୍ଧିଜୀବୀ, ସଚେତନ ଜନସାଧାରଣ। ଉତ୍କଳ ସମ୍ମିଳନୀ ହେଲା ଓଡ଼ିଶାବାସୀଙ୍କର ନବଜାଗରଣର ଆଦ୍ୟ ପର୍ବ। ଛାତିକୁ ଛାତି ମିଶାଇ ଆଗେଇ ଆସିବା ପାଇଁ। ସ୍ୱାର୍ଥପରତାକୁ ତ୍ୟାଗ କରି ଜାତି ଇତିହାସକୁ ଆଗେଇ ନେବାପାଇଁ। ଉତ୍କଳ ସମ୍ମିଳନୀର ଆହ୍ୱାନ ସାରା ଓଡ଼ିଶାରେ ପ୍ରସାରିତ ହୋଇଥିଲା। ଫକୀରମୋହନ ସେନାପତି, ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଜଗବନ୍ଧୁ ସିଂହ, କଳ୍ପତରୁ ଦାସ, ଭୁବନାନନ୍ଦ ଦାସ, ରାୟବାହାଦୂର, ଲକ୍ଷ୍ମୀଧର ମହାନ୍ତି, ରାୟବାହାଦୂର ଲୋକନାଥ ମିଶ୍ର, ଲକ୍ଷ୍ମୀନାରାୟଣ ସାହୁ, ହରିହର ମିଶ୍ର, ରାଧାନାଥ ରଥ, ବିଶ୍ୱନାଥ ଦାସ, ଗୋଦାବରୀଶ ମିଶ୍ର ଏପରି ଓଡ଼ିଶାର ବହୁ ଯୋଗଜନ୍ମା ସୁଯୋଗ୍ୟ ସନ୍ତାନଙ୍କ ନେତୃତ୍ୱରେ ଅଗ୍ରସର ହୋଇଆସିଛି। ଉତ୍କଳ ସମ୍ମିଳନୀର ଦୀର୍ଘଦିନର ସଂଗ୍ରାମ ଓ ନିରବଚ୍ଛିନ୍ନ ଉଦ୍ୟମ ପରେ ଇଂରେଜ ସରକାର ଓଡ଼ିଶାର ସ୍ୱତନ୍ତ୍ରତାକୁ ହୃଦୟଙ୍ଗମ କରିପାରିଥିଲେ। ଯାହା ଫଳରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ହାସଲ କରିପାରିଥିଲା।
ଉତ୍କଳ ସମ୍ମିଳନୀ ଓଡ଼ିଶାର ସ୍ୱତନ୍ତ୍ରତାକୁ ନେଇ ଅଭିଯାନ କରୁଥିଲେ ମଧ୍ୟ ଓଡ଼ିଶାର ଓ ଓଡ଼ିଆମାନଙ୍କର ସର୍ବାଙ୍ଗୀଣ ଉନ୍ନତି ତାର ଅନ୍ୟତମ ଲକ୍ଷ୍ୟ ଥିଲା। ବୈଷୟିକ ଉନ୍ନତି, ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉତ୍କଳ ସମ୍ମିଳନୀର ପ୍ରସ୍ତାବରେ ଓଡ଼ିଶାର ଆର୍ଥିକ ବିକାଶ ରହିଥିଲା ବେଳେ ଉତ୍କଳ ସନ୍ତାନ ଭାବେ ପରିଚୟ ବହନ କରୁଥିବା ସମସ୍ତ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଭାଇଚାରା ଓ ସଦ୍‍ଭାବ ପ୍ରତିଷ୍ଠା ପାଇଁ ଅନ୍ୟତମ ଲକ୍ଷ୍ୟ ରଖାଯାଇଥିଲା। ୧୯୩୬ ମସିହାରୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ହାସଲ କଲା ଏବଂ ୧୯୪୭ ମସିହାରୁ ଭାରତ ଇଂରେଜ ଶାସନରୁ ମୁକ୍ତ ହେଲା ସତ କିନ୍ତୁ ଉତ୍କଳ ସମ୍ମିଳନୀର ସ୍ୱପ୍ନ ସବୁ ସାକାର ହୋଇପାରିନାହିଁ। ଏବେ ବି ଓଡ଼ିଶାର ବହୁ ଅଞ୍ଚଳ ଝାଡ଼ଖଣ୍ଡ, ଛତିଶଗଡ଼ ସହିତ ରହିଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପଡ଼ୋଶୀ ରାଜ୍ୟ ସହିତ ଓଡ଼ିଶାର ସଦ୍‍ଭାବ ରହିଥିଲେ ମଧ୍ୟ ଭୌଗୋଳିକ ଦୃଷ୍ଟିରୁ ଏବେ ବି ଅନେକ ଅଞ୍ଚଳରେ ପଡ଼ୋଶୀ ରାଜ୍ୟମାନଙ୍କର ଲୋଲୁପତା ରହି ଆସିଛି। ଷଢ଼େଇକଳା, ଖରସୁଆଁ ଆଜି ବି ଓଡ଼ିଶା ସହିତ ସାମିଲ ହୋଇପାରିନାହିଁ। ସେହିପରି ଓଡ଼ିଶାର ଅର୍ଥନୈତିକ ଅଧୋଗତି ଘଟିଚାଲିଛି। ଓଡ଼ିଶାରେ ସାଂସ୍କୃତିକ ବିକାଶ ମଧ୍ୟ ମନ୍ଥର। ଓଡ଼ିଆ ଭାଷା ଆଜି ବିଦେଶୀ ଭାଷା ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହେଉଅଛି। ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁଥିରେ ଓଡ଼ିଶା ଭାରତର ଅନ୍ୟ ପ୍ରଦେଶ ତୁଳନାରେ ବହୁ ପଛରେ। ୧୧୬ ବର୍ଷ ତଳେ ଓଡ଼ିଶାର ସାମଗ୍ରିକ ବିକାଶ ଓ ସ୍ୱତନ୍ତ୍ରତାକୁ ନେଇ ସେଦିନର ମନୀଷୀମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ଉତ୍କଳ ସମ୍ମିଳନୀ ଗଠନ କରି ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ କରିଥିଲେ, ସେ ସ୍ୱପ୍ନ ଆଜି ବି ଅଧୁରା ରହିଯାଇଛି। ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ଏବଂ ପ୍ରତ୍ୟେକ ଓଡ଼ିଆଙ୍କର ବିକାଶ ପାଇଁ ଉଦ୍ୟମ ହେବ ତ ଓଡ଼ିଶା ଦିବସ ପାଳନର ସାର୍ଥକତା ପ୍ରତିପାଦିତ ହେବ।

ରବିରଞ୍ଜନ ସାହୁ
ଚାନ୍ଦିନୀଚୌକ, କଟକ-୨
ଦୂରଭାଷ:୯୪୩୭୩୧୦୧୭୧

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories