ବୌଦ୍ଧ : ବୌଦ୍ଧ ଜିଲାର ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥ ପଶ୍ଚିମ ଓ ପୂର୍ବ ଓଡ଼ିଶାକୁ ସଂଯୋଗ କରିବାରେ ଏବେ ଏକ ମୁଖ୍ୟ ରାଜପଥ କହିଲେ କିଛି ଭୁଲ ହେବ ନାହିଁ । ଏହି ରାଜପଥ ଉପରେ ସୋନପୁର, ବଲାଙ୍ଗିର, ବରଗଡ, ସମ୍ବଲପୁର, କଳାହାଣ୍ଡି ଆଦି ଜିଲାର ଯାତ୍ରୀ ମାନେ ନିର୍ଭର କରିବା ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହାନ ଚଳାଚଳ କରିଥାଏ । ବୌଦ୍ଧ ଜିଲାରେ ଏହି ରାଜପଥରେ ଟ୍ରାଫିକ ବୃଦ୍ଧି ପାଇବା ସହିତ ପ୍ରତିଦିନ କିଛି ନା କିଛି ଛୋଟ ବଡ ଧରଣର ଦୁର୍ଘଟଣା ଘଟିଥାଏ । ଏତେ ଦୁର୍ଘଟଣା ପରେ ମଧ୍ୟ ଜାତୀୟ ରାଜପଥ ବିଭାଗ ସୁଧୁରୁ ନଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି । ବର୍ତ୍ତମାନ ହରେକୃଷ୍ଣପୁର ମନ୍ଦିର ନିକଟରେ ଥିବା ପୋଲ ଯାତ୍ରୀମାନଙ୍କ ପାଇଁ ବିପଦ ହୋଇଥିବା ସହ ମରଣଯନ୍ତାରେ ପରିଣତ ହୋଇଛି । ପୂର୍ବରୁ ରାଜାରାଜୁଡା ଅମଳରୁ ଥିବା ପୋଲରେ ବହୁ ବାର ଦୁର୍ଘଟଣା ହେବା ସହ ବହୁ ଲୋକଙ୍କ ଜୀବନ ହାନୀ ହେବା ପରେ ବର୍ତ୍ତମାନ ସେଠାରେ ଏକ ନୂତନ ଓସରିଆ ପୋଲ ନିର୍ମାଣ କରାଯାଇଛି ।
କିନ୍ତୁ ନୂତନ ପୋଲଟି ଲୋକଙ୍କ ପାଇଁ ବିପଦପୁର୍ଣ୍ଣ ହୋଇପଡିଛି । ଜାତୀୟ ରାଜପଥ କାମ ଶେଷ ହୋଇନଥିବାବେଳେ ପୋଲ ଉପରୁ କଂକ୍ରିଟ ଉଠିଯାଇ ଲୁହାଛଡ ଗୁଡିକ ବାହାରି ବିପଦ ଦେଖାଦେଇଛି । ପୋଲ ନିର୍ମାଣରେ ଠିକା ସଂସ୍ଥା ଦ୍ୱାରା ଅତି ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ପୋଲ କାମ ନସରୁଣୁ କଂକ୍ରିଟ ଉଠିଯାଇ ଲୁହାଛଡ ଗୁଡିକ ବିପଦପୁର୍ଣ୍ଣ ଭାବରେ ବାହାରିଥିବା ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



