ବୌଦ୍ଧ: ପୌର ନିର୍ବାଚନ ପାଇଁ ବୌଦ୍ଧରେ ଚାଲିଛି ଜୋରଦାର ପ୍ରଚାର । ବିଜେଡି ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଚାରରେ ସାମିଲ ହୋଇ ବୁଟୁପାଲି ୧୨ ଓ ୧୭ ନମ୍ବର ୱାର୍ଡରେ ବିଧାୟକ ପ୍ରଦୀପ କୁମାର ଅମାତ ଓ ପୂର୍ବତନ ବୟନିକା ସଭାପତି ଶେଷ କୁମାର ମେହେରଙ୍କ ସହ ଦଳୀୟ ଅଧକ୍ଷ ପ୍ରାର୍ଥୀ ମୃତ୍ୟୁଞ୍ଜୟ ମିଶ୍ର ଓ ୱାର୍ଡ ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବାକୁ ଜୋରଦାର ପ୍ରଚାର କରିଛନ୍ତି । ମନ୍ତ୍ରୀ ଶ୍ରୀବେହେରାଙ୍କୁ ଦଳୀୟ ନେତା ଓ କର୍ମୀମାନେ ବୁଟୁପାଲିଠାରେ ସ୍ୱାଗତ କରିବାପରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାପରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ମନ୍ତ୍ରୀ ଶ୍ରୀବେହେରା ଓ ଅନ୍ୟ ନେତୃମଣ୍ଡଳୀ ଶହଶହ କର୍ମୀଙ୍କ ଗହଣରେ ୧୨ ନମ୍ବର ଓ ୧୭ ନମ୍ବର ୱାର୍ଡ ପରିକ୍ରମା କରିବା ସହିତ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ନିବେଦନ କରିଥିଲେ ।
ପରେ ମନ୍ତ୍ରୀ ଶ୍ରୀବେହେରା ଓ ଅନ୍ୟ ନେତୃମଣ୍ଡଳୀ ୩.୪ ଓ ୭ ନଂ ୱାର୍ଡରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ବିଶେଷ ଭାବରେ ରାଜ୍ୟରେ ବିଜେଡି ଶାସନ କ୍ଷମତାରେ ରହିଥିବାବେଳେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଲେ ବିକାଶ କାର୍ଯ୍ୟରେ ଅର୍ଥର ଅଭାବ ରହିବ ନାହିଁ ଏବଂ ଅଞ୍ଚଳର ସମସ୍ତ ବର୍ଗର ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହୋଇପାରିବ ବୋଲି ମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ପୂର୍ବରୁ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କନ୍ଧମାଳ ସାଂସଦ ପୌର ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ପୁଣିଥରେ ବରିଷ୍ଠ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରଚାର ଆଗରେ ବିରୋଧୀଙ୍କ ପ୍ରଚାର ସଂପୂର୍ଣ୍ଣ ଫିକା ପଡିଥିବା ପରିଲକ୍ଷିତ ହୋଇଛି । ଶାସକ ଦଳର ପ୍ରଚାର ପ୍ରଭାବଶାଳୀ ହେବା ସହିତ ବିକାଶ ପାଇଁ ବିଧାୟକ ଓ ମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଭୋଟରମାନଙ୍କୁ ପ୍ରଭାବିତ କରୁଥିବା ଦେଖାଯାଉଅଛି । ବୌଦ୍ଧ ସହରରେ ଅନେକ ଯୋଜନା କାର୍ଯ୍ୟ ଅଧାରେ ଅଟକି ରହିଥିବାବେଳେ ଶାସକଦଳ ପୁଣିଥରେ କ୍ଷମତାସୀନ ହେଲେ ବିକାଶ ଅଧିକ ତ୍ୱରାନ୍ୱିତ ହେବ ବୋଲି ସାଧାରଣ ଭୋଟରଙ୍କ ମଧ୍ୟରେ ମତପ୍ରକାଶ ପାଉଅଛି । ଅନ୍ୟପଟେ ବିରୋଧୀମାନେ ଶାସକଦଳକୁ ଘେରିବାର କୌଣସି ଉପାୟ ନପାଇ ସାମାଜିକ ଗଣମାଧ୍ୟମ ଓ ବେନାମୀ ପ୍ରଚାରପତ୍ରର ସାହାରା ନେଇ ପ୍ରାର୍ଥୀମାନଙ୍କ ବିପକ୍ଷରେ ଭ୍ରମାତ୍ମକ ତଥ୍ୟ ସବୁ ପ୍ରଘଟ କରୁଥିବା ମଧ୍ୟ ଦେଖିବାକୁ ମିଳୁଅଛି । ଶାସକ ବିଜେଡି ପକ୍ଷରୁ ଏହି ପ୍ରଚାର ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ଯୁଗ୍ମସଂପାଦକ ଅଶୋକ କୁମାର ସାହୁ, ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ରଙ୍କ ସମେତ ଶହଶହ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।



