www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ବକୁ ବିପଦ

ବିଗତ ତିନିବର୍ଷ ଧରି କୋଭିଡ୍‌ କବଳିତ ବିଶ୍ବ ତ୍ରାହିତ୍ରାହି ଡାକୁଥିବାବେଳେ ଆଉ ଏକ ବିଶ୍ବଯୁଦ୍ଧ ସମଗ୍ର ମନୁଷ୍ୟ ଜାତିକୁ ଘୋର ଦୁର୍ଦିନ ମଧ୍ୟକୁ ଟାଣିନେବ

ପ୍ରୁସୀୟ ସେନାଧିକାରୀ ତଥା ସାମରିକ ତତ୍ତ୍ବବିଦ୍‌ କାର୍ଲ ଭୋନ୍ କ୍ଲସ୍‌ୱିଜ୍‌ଙ୍କ ଉକ୍ତିକୁ ଉଦ୍ଧାର କରି ସୋଭିଏତ ସଂଘର ପ୍ରତିଷ୍ଠାତା ଭ୍ଲାଦିମିର ଲେନିନ୍‌ ଏକଦା କହିଥିଲେ, ‘‘ଯୁଦ୍ଧ (ବା ଯୁଦ୍ଧ ଆହ୍ବାନ) ରାଜନୀତିର ହିଁ ଧାରାବାହିକତା ଅଟେ’’। ଆପଣାର ରାଜନୀତିକୁ ଆମରଣ ଚାଲୁ ରଖିବା ପାଇଁ ବ୍ୟବସ୍ଥା କରିସାରିଥିବା ରୁଷିଆର ଏକଛତ୍ରବାଦୀ ମନୁଆ ଶାସକ ଭ୍ଲାଦିମିର ପୁତିନ ଗୁରୁବାର ଭୋରରୁ ୟୁକ୍ରେନ୍ ଉପରେ ଯୁଦ୍ଧ ଘୋଷଣା କରିବା ତେଣୁ ଆଦୌ ଅପ୍ରତ୍ୟାଶିତ ନ ଥିଲା। ବିଗତ କିଛି ଦିନର ଘଟନାବଳୀରୁ ଏହା ସ୍ପଷ୍ଟ ଜଣାପଡ଼ୁଥିଲା ଯେ ପୁତିନ ନିଜର ସୈନ୍ୟସାମନ୍ତଙ୍କୁ ପଛକୁ ଫେରାଇ ନେବା କଥା କହୁଥିଲେ ହେଁ ୟୁକ୍ରେନର ତିନି ପଟେ ଅଧିକ ସୈନ୍ୟ ଠୁଳ କରିବା ସହ ଯୁଦ୍ଧଖୋର ହୋଇପଡ଼ିଛନ୍ତି। ସେ ଆପଣାର ରାଜନୈତିକ ସଫଳତା ପାଇଁ ସାମରିକ କୌଶଳର ବ୍ୟବହାର କରି ସମଗ୍ର ବିଶ୍ବକୁ ନିଜର ପ୍ରତିପତ୍ତି ଦେଖାଇବାକୁ ସତେଯେମିତି ବଦ୍ଧପରିକର ହୋଇଉଠିଛନ୍ତି। ଆମେରିକା ଓ ସାମରିକ ମେଣ୍ଟ ‘ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ’ (ନାଟୋ)ର ଯୁଦ୍ଧପ୍ରୀତି ପୁତିନଙ୍କୁ ସୁହାଇଛି। ୟୁକ୍ରେନର ଡୋନେସ୍କ ଓ ଲୁହାନ୍‌ସ୍କକୁ ସ୍ବାଧୀନ ଘୋଷଣା କରି ପୁତିନ ତାଙ୍କର ଅସଲ ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ କରିସାରିଛନ୍ତି।

- Advertisement -

ଟେଲିଭିଜନରେ ପ୍ରସାରିତ ଉଗ୍ର ଜାତୀୟତାବାଦୀ ବାର୍ତ୍ତାରେ ପୁତିନ ଲେନିନ, ଷ୍ଟାଲିନ ଓ କୃଶ୍ଚେଭ୍‌ଙ୍କ କମ୍ୟୁନିଷ୍ଟ ରୁଷିଆକୁ ଆଧୁନିକ ୟୁକ୍ରେନର ଜନ୍ମଦାତା କହିବା ସହ ୟୁକ୍ରେନର ରାଷ୍ଟ୍ରୀୟତାକୁ ଖାରଜ କରିଦେଇଛନ୍ତି।​‌ ରୁଷିଆଠାରୁ ୟୁକ୍ରେନ ଅଲଗା ହେବାର କାରଣ ଗୋର୍ବାଚେଭ୍‌ଙ୍କ ଅପରିଣାମଦର୍ଶୀ ପଦକ୍ଷେପ ବୋଲି କହିବା ପଛରେ ତାଙ୍କର ଅସଲ ଉଦ୍ଦେଶ୍ୟ ସମଗ୍ର ୟୁକ୍ରେନକୁ ପୁନଃଦଖଲକୁ ଆଣି ରୁଷିଆ ସହ ମିଶ୍ରଣ କରି ନିଜକୁ ଏକାଙ୍ଗ ଚକ୍ରବର୍ତ୍ତୀ ଘୋଷିତ କରିବା ବୋଲି ଜଣାପଡ଼ୁଛି। ଅତୀତର ଅଖଣ୍ଡ ରୁଷିଆକୁ ପୁନର୍ଜୀବିତ କରିବାକୁ ଚାହୁଁଥିବା ପୁତିନଙ୍କ ଜାତୀୟତାବାଦ ଏକ ଧ୍ବଂସାଭିମୁଖୀ ଭବିଷ୍ୟତର ସଙ୍କେତ ଦେଉଛି; କାରଣ ଏହାକୁ ବାସ୍ତବ ରୂପ ଦେବାକୁ ହେଲେ ପୁତିନଙ୍କୁ ଅପ୍ରମିତ ସାମରିକ ଶକ୍ତିର ଅପପ୍ରୟୋଗ ବ୍ୟତୀତ ଆଉ ବାଟ ନାହିଁ। ଯଦି ତାହା ହୁଏ, ତେବେ ବିଶ୍ବକୁ ଆଉ ଏକ ବଡ଼ ବିପଦ ମାଡ଼ି ଆସୁଛି ବୋଲି କହିବା ଅତିଶୟୋକ୍ତି ନୁହେଁ।

ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ ପୁତିନଙ୍କ ଯୁଦ୍ଧ ଘୋଷଣାକୁ ‘ଉସୁକାଣ ବିନା ନିଆଯାଇଥିବା ପଦକ୍ଷେପ’ ବୋଲି କହିଥିଲେ ହେଁ ଆମେରିକା ଓ ନାଟୋର କାର୍ଯ୍ୟକଳାପ ମଧ୍ୟ କାହାକୁ ଅଛପା ନାହିଁ। ପୁତିନ ତେଣୁ ଭାବୁଛନ୍ତି ଯେ ତାଙ୍କର କୌଣସି ପଦକ୍ଷେପକୁ ବିଶ୍ବର ଅନ୍ୟ ଦେଶ ଅସଙ୍ଗତ ବୋଲି ଭାବିବେ ନାହିଁ; କିନ୍ତୁ ଯୁଦ୍ଧ ଆଦୌ ପିଲାଖେଳ ନୁହେଁ। ଏହା ଅସରନ୍ତି ଧନଜୀବନ ନଷ୍ଟ କରିବା ସହ ଯୁଗଯୁଗ ଧରି ଇତିହାସରେ କଳଙ୍କିତ ଫର୍ଦ ସୃଷ୍ଟି କରେ। ବର୍ତ୍ତମାନର ପରମାଣୁ ବୋମା ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୁଗରେ ଯୁଦ୍ଧର ଭୟାବହତା ଅକଳ୍ପନୀୟ। ତଥାପି ପୃଥିବୀର କୌଣସି ନା କୌଣସି ସ୍ଥାନରେ ଦେଶ-ଦେଶ ମଧ୍ୟରେ ଯୁଦ୍ଧ ହେଉଛି ଏବଂ ମଝିମଝିରେ ବିଶ୍ବଯୁଦ୍ଧର ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି। ରୁଷିଆର ୟୁକ୍ରେନ ଉପ‌େ‌ର ଯୁଦ୍ଧ ଘୋଷଣା ଏଇଥିପାଇଁ ଗୁରୁତ୍ବ ରଖେ ଯେ ଏଥିରେ ଖୁବ୍‌ଶୀଘ୍ର ମହାଶକ୍ତିଗୁଡ଼ିକ ସମରାଙ୍ଗନରେ ସମବେତ ହୋଇପାରନ୍ତି।

ଇଉରୋପ ଓ ଆମେରିକା ନେତୃତ୍ବାଧୀନ ପାଶ୍ଚାତ୍ୟ ମେଣ୍ଟ କେତେ ସମୟ ସଂଯମ ଆଚରଣ କରୁଛନ୍ତି ଏବଂ ପୁତିନଙ୍କୁ ଯୁଦ୍ଧରୁ ନିବୃତ୍ତ କରିପାରୁଛନ୍ତି, ତାହା ଦେଖିବା କଥା। ନାଟୋର ବିସ୍ତାରବାଦ ଓ ୟୁରୋପର ଏକତରଫା ସୁରକ୍ଷାତନ୍ତ୍ର ନେଇ ପୁତିନଙ୍କ ଅଭିଯୋଗକୁ ନିରାଧାର କହିହେବ ନାହିଁ। ତେଣୁ ନାଟୋ ଓ ଆମେରିକା ଉପରେ ମଧ୍ୟ ବହୁତ କିଛି ନିର୍ଭର କରୁଛି। ଏହା ଲେଖା ହେଲା ବେଳକୁ ରୁଷିଆ ୟୁକ୍ରେନର ବହୁ ଅଞ୍ଚଳରେ ଗୁଳିଗୋଳା ବର୍ଷଣ କରୁଛି ଏବଂ ୫୦ରୁ ଊର୍ଦ୍ଧ୍ବ ୟୁକ୍ରେନୀୟ ସୈନ୍ୟ ଓ ସାଧାରଣ ଲୋକ ପ୍ରାଣ ହରାଇଥିବା ଖବର ମିଳୁଛି। ଆଗକୁ ସେଠାରେ ଆହୁରି ଭୟଙ୍କର ସ୍ଥିତି ହେବାର ଆଶଙ୍କା ଅମୂଳକ ନୁହେଁ। ପୁତିନଙ୍କୁ ଯୁଦ୍ଧରୁ ବିରତ ରଖିବା ବର୍ତ୍ତମାନର ସବୁଠୁ ବଡ଼ ଆହ୍ବାନ।
ପୁତିନ ଯୁଦ୍ଧ ଘୋଷଣା କରିବା ମାତ୍ରେ ତା’ର ପ୍ରଭାବ ବିଶ୍ବବ୍ୟାପୀ ଆର୍ଥିକ ଗତିବିଧି ଉପରେ ପଡ଼ିସାରିଛି। ଅଶୋଧିତ ତୈଳ ମୂଲ୍ୟ ହଠାତ୍‌ ବହୁତ ବୃଦ୍ଧି ପାଇଛି। ଷ୍ଟକ୍‌ ଏକ୍ସଚେଞ୍ଜ୍‌ଗୁଡ଼ିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଆଗକୁ ଏହି ସ୍ଥିତି ଆହୁରି ସଂଗିନ ହେବ। ଭାରତ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେବା ନିଶ୍ଚିତ।

ବର୍ତ୍ତମାନ ସୁଦ୍ଧା ୟୁକ୍ରେନରେ ଥିବା ସମସ୍ତ ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରାଯାଇ ପାରିନାହିଁ। ଅନ୍ୟପକ୍ଷରେ, ରୁଷ-ୟୁକ୍ରେନ୍‌ ସଙ୍କଟକୁ ନେଇ ତା’ର କୂଟନୈତିକ ଦୃଷ୍ଟିକୋଣ କ’ଣ ହେବ, ତାହା ଭାରତ ସ୍ଥିର କରିବା କଠିନ ହେବ ନିଶ୍ଚୟ; କାରଣ ରୁଷିଆର ପଦକ୍ଷେପକୁ ପାଶ୍ଚାତ୍ୟ ଅନୁଚିତ ବୋଲି କହୁଥିବାବେଳେ ଚୀନ ପରିପ୍ରେକ୍ଷୀରେ ଭାରତ ମଧ୍ୟ ଏପରି ଅତିକ୍ରମଣକୁ ‘ସାର୍ବଭୌମତ୍ବ ଉପରେ ଆକ୍ରମଣ’ ବୋଲି କହିଆସିଛି। ଅନ୍ୟପକ୍ଷରେ, ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଣ କ୍ଷେତ୍ରରେ ରୁଷିଆ ଭାରତର ପ୍ରମୁଖ ମିତ୍ରରାଷ୍ଟ୍ର ହୋଇଥିବାରୁ ତାକୁ ନିନ୍ଦା କରିବା ସହଜ ହେବନାହିଁ। ଅଧିକ ଦିନ ଧରି ଏଭଳି ନିରପେକ୍ଷ ଦୃଷ୍ଟିକୋଣ ରଖିଲେ ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି; ଯାହା ଭାରତ ଚାହେଁ ନାହିଁ। ସେ ଯାହାହେଉ, ବିଗତ ତିନିବର୍ଷ ଧରି ବିଶ୍ବବାସୀ କୋଭିଡ୍‌ କବଳରେ ପଡ଼ି ଏ ପର୍ଯ୍ୟନ୍ତ ତ୍ରାହିତ୍ରାହି ଡାକୁଥିବାବେଳେ ଆଉ ଏକ ବିଶ୍ବଯୁଦ୍ଧ ସମଗ୍ର ମଣିଷ ଜାତିକୁ ଘୋର ଦୁର୍ଦିନ ଆଡ଼କୁ ଟାଣିନେବ; ତେଣୁ ଯଥାସମ୍ଭବ ରୁଷିଆକୁ ଯୁଦ୍ଧରୁ ବିରତ କରିବା ପାଇଁ ସବୁମନ୍ତେ ଉଦ୍ୟମ କରାଯାଉ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories