ବଲାଙ୍ଗିର: ବେଲପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ। ଶହେ ମିଟର ଦୂରରେ ଶିବନଗର ପଡ଼ା। ଏହି ପଡ଼ାରେ ରହୁଛନ୍ତି ପ୍ରାୟ ୫୦ଟି ପରିବାର। ସେମାନଙ୍କ ନିଜସ୍ୱ ଘର ନାହିଁ। ଘୁଷୁରି ପାଳନ ପାଇଁ ଦିଆଯାଇଥିବା ସରକାରୀ ଅର୍ଥରେ ନିର୍ମାଣ କରିଥିବା ଗୁହାଳ ଘରେ ସେମାନେ ଜୀବନ ଜିଉଁଛନ୍ତି। ସେମାନେ ସରପଞ୍ଚ, ପଞ୍ଚାୟତ ସମିତି କର୍ତୃପକ୍ଷଙ୍କୁ ତାଙ୍କ ସମସ୍ୟା ସଂପର୍କରେ ଅନେକ ଥର କହିଛନ୍ତି। ସରକାରୀ ଯୋଜନାରେ ଆବାସ ନହେଲେ ବିଜୁ ପକ୍କା ଘର ଖଣ୍ଟିଏ ଦେବାକୁ ଅନୁରୋଧ କରିଥିଲେ ବି କେହି ଶୁଣୁ ନାହାନ୍ତି ସେମାନଙ୍କ କଥା ବୋଲି କ୍ଷୋଭର ସହ କହନ୍ତି ପଡ଼ାବାସୀ।
ଶିବନଗର ପଡ଼ାର ସରିତା ସାଗର। ୨୦୧୮-୧୯ ମସିହାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ବେଲପଡ଼ା ପଞ୍ଚାୟତ ସମିତି ଜରିଆରେ ଘୁଷୁରି ଗୁହାଳ ନିର୍ମାଣ ପାଇଁ ୬୯ହଜାର ଟଙ୍କା ମିଳିଥିଲା। ସେମାନେ ଭୂମିହୀନ। ପଡ଼ାରେ ଦୀର୍ଘ ଦିନରୁ ରହୁଥିବା ବେଳେ ଘୁଷୁରି ଗୁହାଳ ନିର୍ମାଣ କରି ସେଥିରେ ରହୁଛନ୍ତି। ଅନେକଙ୍କ ଘରର ଚାଳ ଛପର ଉପରେ ପଡ଼ିଛି ପଲିଥିନ୍। ବହୁତ ଦୁଃଖ କଷ୍ଟରେ ସେମାନେ ଜୀବନ ଜିଉଁଛନ୍ତି କହନ୍ତି ସରିତା। କେବଳ ସରିତା ନୁହନ୍ତି, ଭାଗ୍ୟଶ୍ରୀ କୁମ୍ଭାର, ସ୍ୱପ୍ନା ଡୁମୁରି, ରାତ୍ରିକା ଛେନ୍ଦ୍ରିଆ, ସମାରି ଛେନ୍ଦ୍ରିଆ, ବିଳାସିନୀ ଡୁଙ୍ଗୁରୀ, ପାର୍ବତୀ ସୁନାଙ୍କ ଭଳି ଅନେକ ଲୋକ ଏଭଳି ଘରେ ରହୁଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ବିଜୁ ପକ୍କା ଘର ଓ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ସାମିଲ କରୁଛନ୍ତି। ଭୂମିହୀନଙ୍କୁ ଜମି ଦେଇ ଘର ନିର୍ମାଣ ପାଇଁ ସହାୟତା ଅର୍ଥ ବି ଯୋଗାଉଛନ୍ତି। କିନ୍ତୁ ଶିବନଗର ପଡ଼ାବାସୀଙ୍କ ପାଇଁ ଏହା ସାତ ସପନ ପାଲଟିଛି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ପଡ଼ାବାସୀ।



