ଚଳିତ ମାସ ୫ରୁ ଆରମ୍ଭ ହେବାକୁ ଥିବା ସ୍ନାତ୍ତକ ଇଞ୍ଜିନିଅରିଂ ଯୋଗ୍ୟତା ପରୀକ୍ଷା ‘ଗେଟ-୨୦୨୨’ ବାତିଲ କରିବା ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଡ଼ି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ ଯଦି ଏହି ପରୀକ୍ଷା ବାତିଲ କରାଯାଏ ତେବେ ଅରାଜକତା ଏବଂ ଅନିଶ୍ଚିତତା ଭଳି ପରିସ୍ଥିତି ସୃଷ୍ଟି ହେବ।
ଦାୟର ହୋଇଥିବା ଆବେଦନରେ, କୋଭିଡ-୧୯ ମହାମାରୀର ତୃତୀୟ ଲହର ଯୋଗୁ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରୀକ୍ଷା ସ୍ଥଗିତ ରଖିବା ପାଇଁ ଯୁକ୍ତି ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଓକିଲ ପଲ୍ଲଵ ମଙ୍ଗିଆ ଏହି ମାମଲା ପରିଚାଳନା କରୁଥିଲେ। ଚଳିତ ଥର ଭାରତୀୟ ପ୍ରଦ୍ୟୋଗିକି ସଂସ୍ଥାନ (ଆଇଆଇଟି) ଖଡ଼ଗପୁର ଆୟୋଜନ କରୁଥିବା ବେଳେ ଇତି ମଧ୍ୟରେ ପରୀକ୍ଷା ପ୍ରବେଶ ପତ୍ର ମଧ୍ୟ ଦିଆସରିଛି। ଆବେଦନର ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ପ୍ରାୟ ୯ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଥିବା ବେଳେ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ବାତିଲ ପାଇଁ ଦାବି କରିଛନ୍ତି।



