www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ଟିକାକରଣ ଅଭିଯାନକୁ ବର୍ଷେ ପୂରିଲା

ନୂଆଦିଲ୍ଲୀ: ଭାରତରେ ଚାଲିଥିବା କରୋନା ଟିକାକରଣ ଅଭିଯାନକୁ ରବିବାର ଏକବର୍ଷ ପୂରଣ ହୋଇଛି। ୨୦୨୧ ଜାନୁଆରୀ ୧୬ ତାରିଖରେ ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକା ଯୋଗାଇ ଦେଉଛନ୍ତି। ଟିକାକରଣ ଅଭିଯାନକୁ ଏକବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ, ସମ୍ମୁଖ ଯୋଦ୍ଧା ଓ ଏହି ଅଭିଯାନରେ ସାମିଲ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରଶଂସା କରିଛନ୍ତି। ମୋଦୀ ତାଙ୍କ ଟ୍ବିଟରରେ ଲେଖିଛନ୍ତି ‘ଆଜି ଆମେ ଟିକାକରଣ ଅଭିଯାନର ଏକ ବର୍ଷ ପୂରଣ କରିଛୁ। ଏହି ଅଭିଯାନରେ ସାମିଲ ପ୍ରତ୍ୟେକଙ୍କୁ ମୁଁ ସମ୍ମାନ ଜଣାଉଛି। ଆମର ଟିକାକରଣ କାର୍ଯ୍ୟକ୍ରମ କରୋନା ବିରୋଧରେ ଲଢେଇ ପାଇଁ ବହୁତ ଶକ୍ତି ଦେଇଛି। ଏହା ଲୋକଙ୍କ ଜୀବନ ରକ୍ଷା କରିପାରିଛି ଏବଂ ଏହା ମାନବଜାତିକୁ ସୁରକ୍ଷା ଦେଉଛି।’

ଟିକାକରଣ ଅଭିଯାନକୁ ସଫଳ କରିବା ଦିଗରେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ କର୍ମଚାରୀ ଆହ୍ବାନର ସହିତ କାର୍ଯ୍ୟ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ ଦେଶର ବିଶାଳ ଜନସଂଖ୍ୟାକୁ ଦେଖି ଟିକାକରଣ ଅଭିଯାନ ସଫଳ ହେବା ଅସମ୍ଭବ ମନେ ହେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା ଦେଶର ୯୨% ହିତାଧିକାରୀ ପ୍ରଥମ ପାନ ଟିକା ନେଇସାରିଲେଣି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ ଭାରତର କରୋନା ଟିକାକରଣ ଅଭିଯାନ ବିଶ୍ବର ସବୁଠାରୁ ସଫଳ ଟିକାକରଣ ଅଭିଯାନ। ଏଥିପାଇଁ ସେ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ, ବୈଜ୍ଞାନିକ ଓ ନାଗରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରବିବାର ସୁଦ୍ଧା ଦେଶରେ ୧୫୭କୋଟି ୧୫ଲକ୍ଷରୁ ଅଧିକ ପାନ ଟିକାକରଣ କରାଯାଇଛି। ୨୦୨୧ ଜାନୁଆରୀ ୧୬ରୁ ଦେଶର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା। ଫେବୃଆରୀ ୨ରୁ ଦେଶର ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ କରାଯାଇଥିଲା। ମାର୍ଚ୍ଚ ୧ରୁ ୬୦ବର୍ଷର ଉର୍ଦ୍ଧ୍ବ ବୟସ୍କ ଓ ୪୫ବର୍ଷରୁ ଊର୍ଦ୍ଧ୍ବ ଗୁରୁତର ରୋଗରେ ଆକ୍ରାନ୍ତଙ୍କୁ ଟିକାକରଣ କରାଯାଇଥିଲା। ଏପ୍ରିଲ ୧ରୁ ୪୫ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଉପଲବ୍ଧ କରାଯାଇଥିଲା। ମେ ୧ରୁ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ସାବାଳକଙ୍କ ପାଇଁ ଟିକା ଉପଲବ୍ଧ ହୋଇଥିଲା। ଅକ୍ଟୋବର ୨୧ରେ ଦେଶରେ ୧୦୦କୋଟି ପାନ ଟିକାକରଣ କରାଯାଇଥିଲା। ଜାନୁଆରୀ ୩, ୨୦୨୨ରୁ ଦେଶର ୧୫ବର୍ଷରୁ ଊର୍ଦ୍ଧ୍ବ କିଶୋର, କିଶୋରୀଙ୍କୁ ଟିକାକରଣ କରାଯାଇଥିଲା। ଜାନୁଆରୀ ୧୦, ୨୦୨୨ରୁ ୬୦ରୁ ଊର୍ଦ୍ଧ୍ବ ଗୁରୁତର ଆକ୍ରାନ୍ତ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ତୃତୀୟ ପାନ ଟିକାକରଣ ଆରମ୍ଭ ହୋଇଛି। ଭାରତରେ ଅଧିକାଂଶ ନାଗରିକଙ୍କୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯାଇଥିଲା। ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ବାରା ଭାରତରେ ଏହି ଟିକା ପ୍ରସ୍ତୁତ ହେଉଛି। ଜାନୁଆରୀ ୩ରେ ଡିସିଜିଆଇ ଏହି ଟିକାକୁ ବ୍ୟାବହାରିକ ଅନୁମତି ଦେଇଥିଲା। ପରେ କୋଭାକ୍ସିନ, ମଡେର୍ଣ୍ଣା, ଜନସନ ଆଣ୍ଡ ଜନସନ ଓ ଜାଇଡସ କାଡିଲାକୁ ଜରୁରୀ ବ୍ୟବହାର ଅନୁମତି ଦିଆଯାଇଥିଲା।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories