ବୌଦ୍ଧ ଜିଲା ପରିଷଦ ଆସନ ଛିଣ୍ଡୁନି ଭାଗବଣ୍ଟା, ସୁବିଧାଜନକ ସ୍ଥିତିରେ ବିଜେଡି

ବୌଦ୍ଧ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବା ବେଳେ ଏହି ନିର୍ବାଚନ ବୌଦ୍ଧ ଜିଲାରେ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଅଛି। ଜିଲାରେ ଫେବୃଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ, ୧୮ରେ ଦ୍ୱିତୀୟ ଓ ୨୦ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଅଛି। ଏହି ନିର୍ବାଚନକୁ ନେଇ ଜିଲାରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ଦଳୀୟ ନେତାମାନଙ୍କ ଘରେ ରାତି ତାମାମ ଗୁପ୍ତ ବୈଠକ ବସି ନିର୍ବାଚନ ରଣନିତି ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି। ଜିଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ସବୁଠାରୁ ସୁବିଧାଜନକ ସ୍ଥିତିରେ ବିଜେଡି ରହିଥିଲେ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ବିଜେଡିର ଦୁର୍ବଳତା ଉପରେ ଲକ୍ଷ ରଖିଛନ୍ତି। ୧୭ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କ ନାମାଙ୍କନ ହେବାକୁ ଥିବାବେଳେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ନେଇ ସବୁ ଦଳରେ ଘନ ଘନ ବୈଠକ ଓ ଆଲୋଚନା ଜାରି ରହିଛି।
ସୂଚନା ମୁତାବକ ଜିଲା ପରିଷଦ ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଉଭୟ ବିଧାୟକ ଓ ଦଳୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଚୂଡାନ୍ତ ହୋଇସାରିଥିବାବେଳେ ଏଥିପାଇଁ କେବଳ ଦଳୀୟ ମୋହରର ଅପେକ୍ଷା ରହିଛି। ପ୍ରତ୍ୟେକ ଜୋନ ପାଇଁ ତିନିଜଣ ଲେଖାଏଁ ଆଶାୟୀଙ୍କ ନାମ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ରହିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ସହମତି ଭିତିରେ ଜଣକୁ ପ୍ରାର୍ଥୀ କରାଯିବାକୁ ନିଷ୍ପତି ନିଆଯାଇଥିବା ଜଣାଯାଇଛି। କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ୪ ଗୋଟି ଜିଲାପରିଷଦ ଜୋନ ରହିଥିବାବେଳେ ୩ ନମ୍ବର ଜୋନରେ ବିଜେଡିର ପ୍ରାର୍ଥୀ ଚୟନ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ୩ ନମ୍ବର ଜୋନରେ କଣ୍ଟାମାଳର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଓ ବିଧାୟକ ମହୀଧର ରଣାଙ୍କ ସୁସମ୍ପର୍କରେ ରହିଥିବା ଅନ୍ୟଜଣେ ଜଣେ ଟାଣୁଆ ନେତା ସୁଧିର ମହାକୁଡଙ୍କ ନାମ ଚର୍ଚ୍ଚାରେ ରହିଛି। ଯଦିଓ ସୁଧୀର ପୂର୍ବରୁ କଂଗ୍ରେସରେ ଥିଲେ, ସାଧାରଣ ନିର୍ବାଚନରେ ଦଳୀୟ ଟିକଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରି ସେ ଦଳରୁ ଦୂରେଇ ଯାଇଥିଲେ। ଦଳରୁ ଇସ୍ତଫା ଦେଇନଥିଲେ ମଧ୍ୟ କଂଗ୍ରେସ ସହ ତାଙ୍କର କୌଣସି ସଂପର୍କ ନଥିବା ଜଣାଯାଇଛି। ତେଣୁ ବିଜେଡି ଏଠାରୁ ସୁଧିରଙ୍କୁ ପ୍ରାର୍ଥୀ କରି ବିରୋଧୀଙ୍କୁ କଡା ଜବାବ ଦେବାର ସମ୍ଭାବନା ରହିଛି। ଅନ୍ୟପଟେ ବିଜେପି ଏଠାରେ ବିଜେଡି କନ୍ଦଳର ସୁଯୋଗ ନେଇ ପ୍ରାର୍ଥୀ ଚୟନ କରିବ ବୋଲି ଜଣାଯାଇଛି। କଂଗ୍ରେସ ଶିବିର ନିରବ ଥିଲେ ମଧ୍ୟ ଶଙ୍କର୍ଷଣଙ୍କୁ ବିଜେଡି ଟିକଟ ନମିଳିଲେ କଂଗ୍ରେସ ପକ୍ଷରୁ ଏଠାରେ ତାଙ୍କର ବଡଭାଇ ତଥା କଣ୍ଟାମାଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ହରିନାରାୟଣ ପ୍ରଧାନ ମଧ୍ୟ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ତେଣୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୩ ନମ୍ବର ଜୋନରେ ପ୍ରତିଦ୍ୱନ୍ଦିତା ତ୍ରିମୁଖି ହେବା ସହିତ ସାରା ଜିଲାରେ ଚର୍ଚ୍ଚାରେ ରହିବ ବୋଲି ଆଲୋଚନା ହେଉଅଛି।

 

prayash

ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୫ ଗୋଟି ଜିଲାପରିଷଦ ଜୋନ ମଧ୍ୟରୁ ୭ ନମ୍ବନର ଜୋନରେ ପ୍ରାର୍ଥୀ ଚୟନ ନେଇ ସବୁ ଦଳରେ ଉତ୍କଣ୍ଠା ରହିଛି। ଗତ ନିର୍ବାଚନରେ ଏହି ଆସନ ବିଜେଡି ହାତରୁ ଛଡାଇବାରେ ସଫଳ ହୋଇଥିବା ବିଜେପି ଏହି ନିର୍ବାଚନରେ ପୁଣିଥରେ ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ବିଜୟୀ କରାଇବାରେ ସବୁପ୍ରକାର ରଣନିତି ପ୍ରସ୍ତୁତ କରିବାରେ ଲାଗିଛି। ଅନ୍ୟ ପକ୍ଷରେ ବିଜେଡି ପକ୍ଷରୁ ଏହି ଜୋନ ପାଇଁ ୪ ଜଣ ଆଶାୟୀଙ୍କ ନାମ ଚର୍ଚ୍ଚାରେ ରହିଛି। ବାମଣ୍ଡା ସରପଞ୍ଚ ଲଳିତ ଥାଟି, ସରସରାର ଅରୁଣ ପ୍ରଧାନ, ବାଘପାଲିର ବିଭୂ ପ୍ରସାଦ ମେହେର କିମ୍ବା ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କୁ ଏଠାରୁ ବିଜେଡି ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ସେହିପରି ବିଜେପି ପକ୍ଷରୁ ଏଠାରୁ କୃଷକ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନାମ ଚର୍ଚ୍ଚାରେ ରହିଥିବାବେଳେ ବିଜେଡିର ଜଣେ ବିରୋଧୀ ପ୍ରାର୍ଥୀଙ୍କୁ ମଧ୍ୟ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଥିବା ଆଲୋଚନା ହେଉଅଛି। ସେହିପରି ଅର୍ଥବଳରେ ଦୁର୍ବଳ ରହିଥିବା କଂଗ୍ରେସ ଏଠାରୁ ସରସରାର ପୂର୍ବତନ ଲୋକପ୍ରିୟ ସରପଞ୍ଚ ପଙ୍କଜ କୁମାର କର୍ଣ୍ଣଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ତେବେ ମୋଟାମୋଟି ଭାବରେ କହିବାକୁ ଗଲେ ବିଜେଡିର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇସାରିଥିବାବେଳେ ଅନ୍ୟ ଦଳମାନେ ନିଜର ପ୍ରାର୍ଥୀ ଚୟନ ପାଇଁ ବିଜେଡି ଶିବିର ଉପରେ ନଜର ରଖିଛନ୍ତି।

kalyan agarbati

Comments are closed.