ଫେବୃଆରୀ ସୁଦ୍ଧା ପିଲାଙ୍କୁ ମିଳିବ ମାଗଣା ବହି

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟରେ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଛାତ୍ରଛାତ୍ରୀ ପାଇବେ ମାଗଣା ପାଠ୍ୟପୁସ୍ତକ। ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ସମସ୍ତ ଜିଲାକୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାରଙ୍କ ‘ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର’ ପକ୍ଷରୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ସରକାର ପ୍ରତିବର୍ଷ ମାଗଣାରେ ଯୋଗାଇଥାନ୍ତି। ବିଦ୍ୟାଳୟ ଖୋଲିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ନିକଟରେ ପୁସ୍ତକ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର’କୁ ନିର୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ପୁସ୍ତକ ଯୋଗାଣ ପ୍ରକ୍ରିୟାକୁ ତ୍ଵରାନିତ କରିଛି ପାଠ୍ୟପୁସ୍ତକ ଉତ୍ପାଦନ କାର୍ଯ୍ୟାଳୟ।
ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟ ପକ୍ଷରୁ ନିୟମିତ ପୁସ୍ତକ ପ୍ରକାଶନ କରାଯାଉଥିବା ବେଳେ ୩୧୪ ବ୍ଲକ ଓ ୬୯ ସହରାଞ୍ଚଳ କେନ୍ଦ୍ରକୁ ପୁସ୍ତକ ପଠାଯାଉଛି।

ଏଯାବତ୍‌ ୩୦ ଜିଲାର ମୋଟ ୩୮୩ କେନ୍ଦ୍ରକୁ ମୋଟ ୧ କୋଟି ୮ ଲକ୍ଷ ୯୮ ହଜାର ୬୭୬ ପୁସ୍ତକ ଯୋଗାଣ ଶେଷ ହୋଇଛି। ରାଜ୍ୟରେ ମୋଟ ୪୪.୮୦ % ପୁସ୍ତକ ଯୋଗାଣ ସରିଛି। ୩୦ ଜିଲାକୁ ଫେବୃଆରୀ ଶେଷ ସୁଦ୍ଧା ସମସ୍ତ ପୁସ୍ତକ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ୩୦ ଜିଲାରେ ମୋଟ ୨ କୋଟି ୪୩ ଲକ୍ଷ ୨୪ ହଜାର ୭୨୫ ପୁସ୍ତକ ଆବଶ୍ୟକ ରହିଛି। ସେଥିମଧ୍ୟରୁ ୧୫ ହଜାର ୩୪୭ ପୁସ୍ତକ ଦେୟଯୁକ୍ତ ହୋଇଥିବାବେଳେ ୨ କୋଟି ୪୩ ଲକ୍ଷ ୯ ହଜାର ୩୭୮ ପୁସ୍ତକ ମାଗଣା ଯୋଗାଇ ଦିଆଯିବ।

ମୟୂରଭଞ୍ଜ ଜିଲାରେ ଏଯାବତ୍‌ ୭୨.୮୨ % ଅର୍ଥାତ୍‌ ୩ ଲକ୍ଷ ୯୫ ହଜାର ୭୦୬ ପୁସ୍ତକ ପଠାସରିଛି। ଯାଜପୁର ଜିଲାରେ ଚଳିତ ବର୍ଷ ୧୦ ଲକ୍ଷ ୬୭ ହଜାର ୪୮୦ ପୁସ୍ତକ ଆବଶ୍ୟକ ଥିବାବେଳେ ଏଯାବତ୍‌ ୨ଲକ୍ଷ ୮୫ ହଜାର ୩୮(୨୬.୬୮%) ପୁସ୍ତକ ପଠାଯାଇଛି। ଅନୁଗୋଳରେ ୩୮.୨୪%,ବାଲେଶ୍ବରରେ ୩୭.୨୬%, ବରଗଡ଼ରେ ୫୯.୩୬%, ଭଦ୍ରକ୨୮.୮୬, ବଲାଙ୍ଗିର ୪୮.୩୫%, ବୌଦ୍ଧ ୫୬.୮୩, କଟକ ୩୦.୨୦, ଦେଓଗଡ଼ ୩୦.୦୩%, ଢେଙ୍କାନଳ ୩୪.୧୭ %, ଗଜପତି ୫୩.୨୪%, ଗଞ୍ଜାମ ୩୯.୩୪%, ଜଗତ୍‌ସିଂହପୁର ୪୧.୪୮%, ଝାରସୁଗଡ଼ା ୬୩.୭୯%, କଳାହାଣ୍ଡି ୬୦.୨୩%, କନ୍ଧମାଳ ୪୦.୧୪%, କେନ୍ଦ୍ରାପଡା ୩୫.୦୫ %, କେନ୍ଦୁଝର ୩୨.୦୮ % ପୁସ୍ତକ ପଠା ଯାଇଥିବାବେଳେ ଖୋର୍ଦ୍ଧା ଜିଲାକୁ ୨୮.୫୪% ପଠାଯାଇଛି।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ, ଓ ଛତିଶଗଡରେ ପାଠ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ। ଉତ୍କଳ ସମ୍ମିଳନୀ ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ବାହାର ରାଜ୍ୟ ପାଇଁ ଆବଶ୍ୟକ ପୁସ୍ତକ ତାଲିକା ପ୍ରଦାନ ପରେ ‘ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର’ ପକ୍ଷରୁ ବହି ପ୍ରଦାନ କରାଯିବ। ମାଗଣା ପୁସ୍ତକ ବିତରଣ ସରିବା ପରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ସହାୟକ ପୁସ୍ତକ(ରିମେଡିଆଲ୍‌ ବୁକ୍ସ) ମଧ୍ୟ ସଂସ୍ଥା ପକ୍ଷରୁ ବିତରଣ କରାଯିବ। ଏହି ପ୍ରକାରର ଦୁଇଟି ବହି ରହିଛି ଉଜ୍ଜଳ ଓ ଉତ୍ଥାନ।

ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟ ନିର୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର କହିଛନ୍ତି ସରକାରଙ୍କ ନିର୍ଦେଶ ମୁତାବକ ବହି ପଠାଚାଲିଛି। ଯୁଦ୍ଧକାଳୀନ ଭିତ୍ତିରେ ପୁସ୍ତକ ଛାପା ଯିବା ସହ ବିତରଣ କରାଯାଉଛି। ଫେବୃଆରୀ ସୁଦ୍ଧା ପାଠ୍ୟ ପୁସ୍ତକ ସମସ୍ତ ୩୮୩ କେନ୍ଦ୍ରରେ ପହଞ୍ଚିବ। ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ପୂର୍ବରୁ ମାର୍ଚ୍ଚ ୩୧ ସୁଦ୍ଧା ପୁସ୍ତକ ପାଇପାରିବେ ବୋଲି ସେ କହିଛନ୍ତି।

Comments are closed.