www.samajalive.in
Saturday, December 13, 2025
26.1 C
Bhubaneswar

ଆମେ ସବୁ ଭୁଲିଯାଉଛୁ

ମଣିଷ ଜୀବଜଗତର ଶ୍ରେଷ୍ଠ ପ୍ରାଣୀ। କଥା କହିବା, ହସିବା ଏବଂ ସ୍ମରଣଶକ୍ତି ହିଁ କେବଳ ମଣିଷର ରହିଛି! ସେଇଥିପାଇଁ ସେ ଜୀବଶ୍ରେଷ୍ଠର ମାନ୍ୟତା ପାଇଛି। ଅଣନିଃଶ୍ୱାସୀ ହୋଇ ଅନର୍ଗଳ କହୁଥିଲେ ବି ଅନେକ କଥାକୁ ସେ ଭୁଲିଯାଉଛି। ଯେଉଁ ଶକ୍ତିବଳରେ ମଣିଷ ଶ୍ରେଷ୍ଠତାର ଶିରପା ପିନ୍ଧିଛି, ତା’ ଅଜାଣତରେ ତାକୁ କେହି ଅପହରଣ କରିନେଇଗଲାଣି। ମନେ ରଖିବା ବଦଳରେ ଭୁଲାପଣଟା ମଣିଷକୁ ମାଡିବସିଥିବା ପରି ଲାଗୁଛି।
ଭୁଲାପଣ ଯୋଗୁଁ ଶିକ୍ଷିତ ଓ ଅଶିକ୍ଷିତ ମଣିଷ ଅନେକ ନ କରିବା କାର୍ଯ୍ୟ କରିଦେଉଛନ୍ତି। ଆଉ ନିହାତି ଜରୁରୀ କାର୍ଯ୍ୟକୁ ପାସୋରି ପକାଉଛନ୍ତି। କିଏ ବସ୍‍ରେ, କିଏ ରେଳରେ ଓ କିଏ ଉଡ଼ାଜାହାଜରେ ଯାତ୍ରା ପାଇଁ ଆଗୁଆ ଟିକଟ କାଟୁଛି। ଟଙ୍କା ଖର୍ଚ୍ଚ କରି ବି ଯାତ୍ରା କରିପାରୁନି। ଜରୁରୀ କାମଟା ଅଧାରେ ରହିଯାଉଛି। ଭୁଲାପଣ ପାଇଁ ସେ ମୁଣ୍ଡ କୋଡେ, ଭାଗ୍ୟକୁ ନିନ୍ଦେ। ଅଲକ୍ଷ୍ୟରେ ସେ ନିଜର ଭୁଲାପଣକୁ ଭୁଲିଯାଏ। କେବଳ ରେଳ କି ଜାହାଜରେ ଯାତ୍ରା ନୁହେଁ, ଅନେକ ଲୋକ ଭୁଲାପଣ ଯୋଗୁଁ ବଜାରକୁ ଯାଇ ଖାଲି ହାତରେ ଫେରନ୍ତି। ବ୍ୟାଗ ଖାଲି ପଡେ, ମନଟାକୁ ଭୁଲାପଣ ମାଡିବସେ। ଏଥିପାଇଁ ପତ୍ନୀଠାରୁ, ପୁଅଠାରୁ, ପରିବାର ଲୋକଙ୍କଠାରୁ ସେ ଗାଳି ଶୁଣେ। କପାଳରେ ହାତ ମାରେ, ନିଜର ଭୁଲାପଣକୁ ଧିକ୍‍କାର କରେ। ଜଣକର ଭୁଲାପଣ ଯୋଗୁଁ ସେ ବ୍ୟକ୍ତିଗତସ୍ତରରେ କ୍ଷତି ସହେ କିମ୍ବା ତାଙ୍କ ପରିବାରର କ୍ଷତି ଘଟେ। ଗୋଟିଏ ଜାତି, ଗୋଟିଏ ସମ୍ପ୍ରଦାୟ ଭୁଲାପଣର ଶିକାର ହେଲେ, ସେ ଜାତି ଆଗକୁ ବଢିପାରେନି କି ବିକାଶର ରାସ୍ତା ତାହା ପାଇଁ ସହଜ ହୁଏନି।

ଏ କଳିଙ୍ଗ ଜାତି। ଏ ଜାତିର ଇତିହାସ ବେଶ ସମୃଦ୍ଧ। ଏହି ମାଟିରେ ଦିନେ ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ। ଏ ଜାତିର ବୀରତ୍ୱ ଦିନେ ସାରା ବିଶ୍ୱକୁ ନୂଆ ସୂର୍ଯ୍ୟୋଦୟ ଦେଖାଇଥିଲା। ଏ ଜାତି ଅନେକ ବୀରପୁରୁଷଙ୍କୁ ଜନ୍ମ ଦେଇଛି। ଏଇ ମାଟିରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଦୀନ ଦରିଦ୍ରର ସାଥୀ ଉତ୍କଳମଣି ଗୋପବନ୍ଧୁ ଦାସ ଜନ୍ମ ନେଇଥିଲେ। ନିଜ ଜାତିର ସ୍ୱାଭିମାନ ପାଇଁ ସେମାନେ ଅନେକ ଲୋଭନୀୟ ପୁରସ୍କାର, ସମ୍ମାନ ଓ ପଦପଦବୀକୁ ଗୋଡରେ ଆଡେଇ ଦେଇଥିଲେ। ନିଜେ ସ୍ୱାଭିମାନରେ ବଞ୍ଚିଥିଲେ ଓ ଅନ୍ୟମାନଙ୍କୁ ସ୍ୱାଭିମାନୀ ହେବାକୁ କହୁଥିଲେ। ମଧୁବାବୁ ଓ ଗୋପବନ୍ଧୁଙ୍କ ସ୍ୱାଭିମାନୀ ଓଡ଼ିଆ ଜାତି ଏବେ ନିଜର ହୃତଗୌରବକୁ ଭୁଲି ଯାଇଛି। ସ୍ୱାଭିମାନୀ ନ ହୋଇ ଆମେ ବେଇମାନ ହେବାକୁ ଅଧିକ ପସନ୍ଦ କରୁଛୁ। ନିଜର ଦରିଦ୍ରତା ଦେଖାଇବାକୁ ଆମେ ବେଶ ଆଗ୍ରହ ପ୍ରକାଶ କରୁଛୁ, ସହଜ ମନେକରୁଛୁ। ପର ପାଖରେ ହାତ ପତାଇ ଗର୍ବ କରୁଛୁ, ମାଗି ଖାଇବାର ଆତ୍ମତୃପ୍ତିରେ ଛାତି କୁଣ୍ଢେମୋଟ କରୁଛୁ। ନ କରିବା କାର୍ଯ୍ୟ କରୁଛୁ, ଆଉ କରିବା କାର୍ଯ୍ୟକୁ ଭୁଲିଯାଉଛୁ। ଡାହାଣ ହାତ କରୁଥିବା କାମ ବାମ ହାତ ଜାଣିପାରୁନି। ଏଠି ଦିନରେ ବିଜୁଳିବତି ଜଳୁଛି, ରାତିରେ ଅନ୍ଧାର ରାଜୁତି କରୁଛି। ପ୍ରତିବାଦ ନ କରି ସହିନେବାକୁ ପସନ୍ଦ କରୁଛୁ। ଆମେ ଗାନ୍ଧିଜୀଙ୍କ ନୀତି ଆଦର୍ଶକୁ ବିଶ୍ୱାସ କରୁଛୁ; କିନ୍ତୁ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ ଜୁଟେଇ ପାରୁନୁ।

- Advertisement -

ଆମ ଦୁର୍ବଳତାର, ଆମ ଅସହାୟତାର ଫାଇଦା ଉଠାଇ ଚାଲିଛନ୍ତି କିଛି ସ୍ୱାର୍ଥବାଦୀ, ସ୍ୱାର୍ଥାନ୍ୱେଷୀ ମଣିଷ। ସେମାନଙ୍କର ଆବଶ୍ୟକତା ପଡିଲେ, କ୍ଷମତା ଶିଡ଼ି ଚଢିବାର ନିଶା ମୁଣ୍ଡକୁ ଚଢିଲେ, ଆମ ନିକଟକୁ ଆସନ୍ତି। ଆମକୁ ଗୋଟାଯାକର ନିଜର କରିନିଅନ୍ତି। ମିଛିମିଛିକା ସ୍ନେହ, ମମତା ଆମ ଉପରେ ଅଜାଡ଼ି ଦିଅନ୍ତି। ଆକାଶରୁ ଚାନ୍ଦ, ସମୁଦ୍ରରୁ ଅମୃତ, ପାତାଳରୁ ହୀରା ଆଣି ଦେବାର ମିଠା ମିଠା ପ୍ରତିଶ୍ରୁତି ଦିଅନ୍ତି। ପୁଳାପୁଳା ପ୍ରତିଶ୍ରୁତିରେ ଆମେ ପୋତି ହୋଇପଡୁ। ପୋତି ହୋଇପଡେ ଆମର ସନ୍ଦେହ, ଅବିଶ୍ୱାସ ଓ ଆତ୍ମବିଶ୍ୱାସ। ମରିଯାଏ ଆମର ମଣିଷପଣିଆ। କବର ନେଇଯାଏ ଆମର ସ୍ୱାଭିମାନ, ଅଭିମାନ। ଭଲ-ମନ୍ଦ, ହାନି-ଲାଭର ବିଚାର ଆମେ ଭୁଲିଯାଉ। ଭୁଲାପଣଟା ଆମକୁ ସମ୍ପୂର୍ଣ୍ଣ କବଳିତ କରିନିଏ। ଆମର ଭୁଲାପଣ ପାଇଁ ସେମାନେ ବିଜୟ ଧ୍ୱଜା ଉଡାନ୍ତି। କ୍ଷମତା ରଜୁକୁ ବାରମ୍ବାର ଜାବୁଡି ଧରନ୍ତି, ଲୋଭରେ ମତୁଆଲା ହୁଅନ୍ତି।

୭୫ବର୍ଷର ସ୍ୱାଧୀନତା ଭିତରେ ଅନେକ ନିର୍ବାଚନ ଆସି ଚାଲିଗଲାଣି। ଅନେକ ପ୍ରତିଶ୍ରୁତି ପବନରେ ମିଳେଇଗଲାଣି। ପୁଳାପୁଳା ପ୍ରତିଶ୍ରୁତି ସବୁ ପ୍ରତାରଣାର ରୂପ ନେଉଛି ସିନା ବାସ୍ତବତାକୁ ସ୍ପର୍ଶ କରିପାରୁନି। କବିର ସ୍ୱପ୍ନ ରାଇଜର କବିତା ପରି ନେତାଙ୍କ ପ୍ରତିଶ୍ରୁତିର ଅନେକ ସ୍ୱପ୍ନକୁ ନେଇ ଆମେ କେବଳ ଆଗକୁ ବଢିଚାଲିଛେ। ଏଥିପାଇଁ ସେମାନେ ଯେତିକି ଦାୟୀ ନୁହନ୍ତି, ଆମେ ସଚେତନ ମଣିଷମାନେ ତା’ଠାରୁ ଅଧିକ ଦାୟୀ। ଦାୟୀ ଆମ ଭୁଲାପଣ, ଆମ ସହନଶୀଳତା। ଆମେ ଯଦି ଭୁଲି ନଯାଇ, ସ୍ୱାଭିମାନୀ ହୁଅନ୍ତେ, ବାସ୍ତବତାକୁ ଚିନ୍ତାକରନ୍ତେ, ଲାଭ-କ୍ଷତିର ହିସାବ କରନ୍ତେ, ମିଳିଥିବା ପ୍ରତିଶ୍ରୁତିର ମୂଲ୍ୟାୟନ କରନ୍ତେ, ପ୍ରଶ୍ନ ପଚାରିବାର ସାହସ, ଶକ୍ତି ଜୁଟାଇ ପାରନ୍ତେ; ତାହାହେଲେ ତରାଜୁ ଓଜନରେ ସାଧାରଣ ଜନତା ହିଁ ଭାରିପଡନ୍ତେ। ଭାରି ପଡନ୍ତା ମିଥ୍ୟା ପ୍ରତିଶ୍ରୁତି ଓ ଛଳନାପୂର୍ଣ୍ଣ ପ୍ରବଞ୍ଚନା। ସେମାନଙ୍କ କ୍ଷମତା ଚୌକି ତାସ୍‍ଘର ପରି ନିମିଷକେ ଭୁଶୁଡି ପଡନ୍ତା। ଅଗ୍ନି ଉଦ୍‍ଗିରଣର ତତଲା ଲାଭାରେ ସେମାନେ ନିଶ୍ଚିହ୍ନ ହୋଇଯାଆନ୍ତେ।

ପ୍ରଶ୍ନ କରିବାକୁ ଆମେ କିନ୍ତୁ ସାହସ ଜୁଟେଇ ପାରୁନୁ, ସତ କହିବାକୁ ଶକ୍ତି ଯୋଗାଡ କରିପାରୁନୁ। ସତ ଉପରେ ଭୁଲାପଣ ଆମର ଭାରିପଡୁଛି। ନିଜ ପାଇଁ, ପରିବାର ପାଇଁ, ପରିଜନଙ୍କ ପାଇଁ ଦୁର୍ନୀତି କରି, ଅସତ୍‍ ଉପାୟରେ ଧନ ସଞ୍ଚୟ କରିବାକୁ ବେଶ୍‍ ମନେ ରଖିପାରୁଛୁ। ପାଠ ପଢା ଜୀବନ ଶେଷ ନ ହେଉଣୁ, ଚାକିରି ଜୀବନ ଆରମ୍ଭ ନ ହେଉଣୁ, କେମିତି ଉପୁରି ହେବ, ଅସତ ଉପାୟରେ ଅର୍ଥ ରୋଜଗାର କରିହେବ, ତାହାକୁ କିନ୍ତୁ ଆମେ ଭୁଲିପାରୁନୁ। କାହାଠାରୁ ଆସିବ ଓ କାହା ନିକଟକୁ ଯିବ, ତାକୁ ଭଲଭାବେ ମନେ ରଖିପାରୁଛୁ। ସାମଗ୍ରିକ ସ୍ୱାର୍ଥ ପାଇଁ, ସମାଜର ବିକାଶ ପାଇଁ କିନ୍ତୁ ଭୁଲାପଣଟା ମଣିଷକୁ କବଳିତ କରିନେଉଛି। ଯେତେ କାଳ ପର୍ଯ୍ୟନ୍ତ ଏମିତି ସମୂହ ସ୍ୱାର୍ଥ ଛାଡି ବ୍ୟକ୍ତିସ୍ୱାର୍ଥ ପଛରେ ଧାଇଁଥିବା, ଭୁଲାପଣକୁ ଜାବୋଡି ଧରିଥିବା, ଭୁଲାପଣ ନାଁରେ ସତ୍ୟକୁ ଅସତ୍ୟର ବାଟ ଦେଖାଇ ଦେଇ ଚାଲିଥିବା, ବିକାଶ ମରୀଚିକା ପରି ଆମ ଆଗେ ଆଗେ ସେମିତି ଧାଇଁଥିବ! ସେଥିପାଇଁ ବୋଧେ ଦିବ୍ୟଦ୍ରଷ୍ଟା ମଧୁବାବୁ ଲେଖିଥିଲେ, ‘ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି, ଦାନାର ତୋବଡା ଘୋଡା ମୁହେଁ ବନ୍ଧାଥିଲେ…’।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories