ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ଲକ୍ଷ୍ମୀପୁର ଖେରି ଘଟଣା ନେଇ ଏଇ ସଂସଦର ଉଭୟ ଗୃହରେ ବିରୋଧ ଯୋଗୁ ଆଜି ଦିନତମାମ ମୁଲତବୀ ରହିଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ କ୍ରମାନ୍ୱୟରେ ତିନିଦିନ ଧରି ଲୋକସଭାର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି। ଆଜି ରାଜ୍ୟସଭାରେ ବିରୋଧ ଯୋଗୁ ଅଧ୍ୟକ୍ଷ ସଭାକୁ ମୁଲତବୀ ରଖିଥିଲେ। ଅପରାହ୍ଣ ୨ଟା ପରେ ଲୋକସଭାର କାର୍ଯ୍ୟଧାରା ପୁନର୍ବାର ଆରମ୍ଭ ହେବା ସମୟରେ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ନିକଟକୁ ଚାଲିଯାଇ ଲକ୍ଷ୍ମୀପୁର ଖିରି ଘଟଣା ଉପରେ ସେମାନଙ୍କର ଦାବି ଉତ୍ଥାପନ କରିଥିଲେ। ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବାକୁ ସେମାନେ ଦାବି କରିଥିଲେ। ବାଚସ୍ପତି ବିରୋଧୀ ଦଳ ସଦସ୍ୟମାନଙ୍କୁ ସଭା କାର୍ଯ୍ୟ ଚାଲିବାକୁ ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସ୍ଲୋଗାନ୍ ଦେବା ଜାରି ରହିବାରୁ ସଭାକୁ ସମଗ୍ର ଦିନ ପାଇଁ ମୁଲତବୀ ରଖାଯାଇଥିଲା।
ତେବେ ପାଟିତୁଣ୍ଡ ଭିତରେ ଲୋକସଭାରେ ନ୍ୟାସନାଲ୍ ଆଣ୍ଟି ଡୋପିଙ୍ଗ୍ ବିଲ୍ ୨୦୨୧, ବନ୍ୟ ଜନ୍ତୁ ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୧ ଓ ଆପ୍ରୋପିଏସନ୍ ବିଲ୍ ୨୦୨୧ ଉପସ୍ଥାପନ ହୋଇଥିଲା। ଏହାଛଡ଼ା ସରୋଗେସି ବିଲ୍ ୨୦୧୯ରେ ସଂଶୋଧନ ସଭାର ଅନୁମୋଦନ ଲାଭ କରିଛି।



