ତିଗିରିଆ: ତିଗିରିଆ, ଆଠଗଡ଼, ବାଙ୍କୀ ଏବଂ ବଡ଼ମ୍ବା ଆଦି ବ୍ଲକରେ ଏବେ ରବିକାଳୀନ ପ୍ରଚୁର ପରିମାଣରେ ପନିପରିବା ଚାଷ ଜାରି ରହିଛି। ତା ସହିତ ଡାଲି ଜାତୀୟ ବିରିମୁଗ ଚାଷ। ଆଗକୁ ଆସୁଥିବା ବାତ୍ୟା ଜୱାଦ ପ୍ରଭାବରେ ଅଞ୍ଚଳରେ ବର୍ଷା ଲାଗି ରହିଲେ ପରିବା ‘ସଲ ଭୀଷଣ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଏଣୁ ଶହଶହ ଚାଷୀ ପରିବାର ଏବେଠୁ ଚିନ୍ତାରେ ପଡ଼ିଛନ୍ତି। ବର୍ଷା ହେଲେ ପ୍ରତିକୂଳ ପାଗରେ ହଜାର ହଜାର ହେକ୍ଟର ପରିମିତ ପନିପରିବା ଉତ୍ପାଦନ ଗୁରୁତର ପ୍ରଭାବିତ ହେବାର ଚାଷୀମାନେ ଅନୁମାନ କରିଛନ୍ତି। ଗୋଟିଏ ପଟେ ଚାଷୀକୂଳ ଏନେଇ ଆର୍ଥିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ବଢ଼ୁଥିବା ବେଳେ ଅନ୍ୟପକ୍ଷରେ ବିଭିନ୍ନ ସହର ବଜାରରେ ତଥା ଗ୍ରାମାଞ୍ଚଳର ହାଟବଜାରରେ ଏବେବି ଲାଗି ରହିଥିବା ପନିପରିବାର ଉଚ୍ଚ ଦରଦାମ ଆହୁରି ଲମ୍ବା ସମୟ ଧରି ବଳବତ୍ତର ରହିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନି। ରବିକାଳୀନ ପନିପରିବା ଉତ୍ପାଦନ ଆରମ୍ଭରେ ଦରଦାମ ହ୍ରାସ ପାଇବାର ଆଶାରେ ବ୍ୟତିକ୍ରମ ହେବାର ଲକ୍ଷଣ ପ୍ରକାଶ ପାଇଛି।
ତିଗିରିଆ ବ୍ଲକର ୧୪ଗୋଟି ପଞ୍ଚାୟତରେ ପନିପରିବା ଚାଷ ଜାରି ରହିଥିବା ବେଳେ ବିଶେଷ କରି ମହାନଦୀ କୂଳବର୍ତ୍ତୀ ବଡ଼ନାଉପୁଟ, ହାଟମାଳ, ଗଦାଧରପୁର, ପୁରୁଣାତିଗିରିଆ, ସୋମପଡ଼ା ସହିତ ଅଚଳକୋଟ, ଭିରୁଡ଼ା, ପାଞ୍ଚଗାଁ, ବାଲିପୁଟ, ବନ୍ଧାଣିମା, ଭୋଗଡ଼ା ଆଦି ପଞ୍ଚାୟତରେ ଚାଷୀମାନେ ଅଧିକ ପରିମାଣର ପନିପରିବା ଚାଷ କରିଛନ୍ତି। ପାଣିପାଗ ବିଭାଗର ସୂଚନା ମୁତାବକ ୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି। ଏହି ସମୟରେ ତିଗିରିଆ ଅଞ୍ଚଳରେ ବହୁଳ ପରିମାଣରେ ଚାଷ କରାଯାଇଥିବା ‘ୁଲ ଓ ବନ୍ଧା କୋବି, ବାଇଗଣ, ଧନିଆ, ପିଆଜ ଆଦି ଚାଷ ବିଶେଷ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। ଅଞ୍ଚଳରେ ଏହିସବୁ ପନିପରିବା ଉତ୍ପାଦନର ପ୍ରାରମ୍ଭିକ ସମୟ ଜାରି ରହିଥିବାରୁ ଚାଷୀ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ସେହିଭଳି ବିରି ଏବଂ ମୁଗ ମଧ୍ୟ ଉଜୁଡ଼ିଯିବାର ଆଶଙ୍କା ରହିଛି। ଏହାଛଡ଼ା କଲରା, ଲଙ୍କା, ଝୁଡ଼ଙ୍ଗ, ବିନ୍, ଶାଗ, ଗୁଆଁର ଆଦି ପନିପରିବା ଚାଷ ଲାଗି ରହିଛି।
ଚାଷୀମାନେ ରବିଋତୁରେ କୋବି ଚାଷରୁ ମୋଟା ଅଙ୍କର ଅର୍ଥ ରୋଜଗାର କରିବାର ଆଶା ରଖିଥିବା ବେଳେ ତାହା ପ୍ରଭାବିତ ହେବ। ବାତ୍ୟା ଯୋଗୁଁ ୨/୩ଦିନ ବର୍ଷା ଲାଗି ରହିଲେ କୋବି ଭଳି ପନପରିବାକୁ ରୋଗ ପୋକରୁ ରକ୍ଷା କରିବା କଷ୍ଟକର ହୋଇପଡ଼ିବ। ଏବଂ ପରବର୍ତ୍ତୀ ସମୟରେ ଉତ୍ପାଦିତ ପନିପରିବା ମଧ୍ୟ ଉତ୍କୃଷ୍ଟମାନର ହେବନାହିଁ। ଏଣୁ କେତେକ ଚାଷୀ କୋବି ଅପରିପକ୍ୱ ଅବସ୍ଥାରେ କ୍ଷେତରୁ କାଟି ବିକ୍ରି କରିବା ଆରମ୍ଭ କଲେଣି। ଯାହାକି ଚାଷୀପାଇଁ ଆର୍ଥିକ କ୍ଷତି ଘଟିବା ସୁନିଶ୍ଚିତ ହୋଇପଡ଼ିଛି। ଏହାଛଡ଼ା ବର୍ଷା ପରବର୍ତ୍ତୀ ସମୟରେ ରୋଗପୋକ ଦାଉରୁ ରକ୍ଷା ପାଇଁ ଚାଷୀଙ୍କୁ ସାର ଏବଂ କୀଟନାଶକ ବାବଦରେ ବହୁ ଅର୍ଥଶ୍ରାଦ୍ଧର ଶୀକାର ହେବାର ସମ୍ଭାବନା ବଢ଼ିଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବାରମ୍ବାର ଆର୍ଥିକ ସ୍ତରରେ କ୍ଷତିଗ୍ରସ୍ତ ହୋଇ ଚାଷୀକୂଳ ହତୋତ୍ସାହିତ ହେଉଛନ୍ତି। ଏଣେ ସାଧାରଣ ଖାଉଟି ମଧ୍ୟ ବର୍ଷ ତମାମ ପରିବା ଉଚ୍ଚ ଦରରେ କିଣି ହନ୍ତସନ୍ତ ହେବା ସାର ହୋଇଛି।



