ଡଲାର ତୁଳନାରେ ଟଙ୍କାର ମୂଲ୍ୟକୁ ନିୟନ୍ତ୍ରଣ ପାଇଁ ପ୍ରବାସୀ ଭାରତୀୟଙ୍କ ସହଯୋଗ ଲୋଡିବ କେନ୍ଦ୍ର
ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ହ୍ରାସ ପାଇବା ଆରବିଆଇ ସମେତ କେନ୍ଦ୍ର ସରକାରଙ୍କୁ ବିଚଳିତ କରିଦେଇଛି। ଏପରିକି ଆରବିଆଇ ଦ୍ୱାରା ଡଲାର ବିନିମୟରେ ସୁନା କିଣିବାର ପ୍ରକ୍ରିୟା ମଧ୍ୟ ଫେଲ ମାରିଛି। ଫଳରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ନେବାକୁ ଚିନ୍ତା କରୁଛି କେନ୍ଦ୍ର। କେନ୍ଦ୍ର ବ୍ୟାଙ୍କ ଗୁଡିକ ଦ୍ୱାରା ଡଲାର ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ଯାଇ ବିଦେଶୀ ମୁଦ୍ରା ବିକ୍ରି କରିବା ପ୍ରକ୍ରିୟା ବୃଦ୍ଧି ପାଇଛି। ଫଳରେ ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରାର ଅନୁପାତ ଦୃତ ହ୍ରାସ ପାଇଛି। ହେଲେ ଡଲାରର ବର୍ଦ୍ଧିତ ମୂଲ୍ୟକୁ ନିୟନ୍ତ୍ରଣ କରିବାରେ ଭାରତ ବିଫଳ ହେଉଛି। ଏପ୍ରିଲ ମଧ୍ୟବର୍ତ୍ତୀ ସମୟରେ ଯେତେବେଳେ ଆରବିଆଇ ପାଖରେ ୪୨୭ବିଲିୟନ ଡଲାର ଗଚ୍ଛିତ ଥିବାବେଳେ ଏବେ ତାହା କମିଯାଇ ୪୦୦ବିଲିୟନ ଡଲାରରେ ପହଞ୍ôଚ ଯାଇଛି। ଅପରପକ୍ଷରେ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ସୁନାର ପରିମାଣ ୮.୪୬ଟନରେ ପହଞ୍ଚି ଯାଇଛି। ଏହି ସୁନା ଆରବିଆଇ ୨୦୧୭-୧୮ ଆର୍ଥିକ ବର୍ଷରେ କ୍ରୟ କରିଛି। ରିଜର୍ଭ ବ୍ୟାଙ୍କ ପାଖରେ ୫୬୬.୨୩ମାଟ୍ରିକ ଟନ ସୁନା ପୂର୍ବରୁ ଗଚ୍ଛିତ ରହିଛି।
ଅପରପକ୍ଷରେ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ମିଳିତ ଭାବେ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହଯୋଗ ଲୋଡିବାକୁ ଚିନ୍ତା କରିଛନ୍ତି। ରିଜର୍ଭ ବ୍ୟାଙ୍କ ୨୦୧୩ରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରି ବର୍ଦ୍ଧିତ ଡଲାର ମୂଲ୍ୟକୁ ନିୟନ୍ତ୍ରଣ କରି ପାରିଥିଲେ। ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାର ଓ ଆରବିଆଇର ମିଳିତ ପ୍ରୟାସରେ ପ୍ରବାସୀ ଭାରତୀୟଙ୍କଠାରୁ ୩୪ବିିଲିୟନ ଡଲାର ସଂଗ୍ରହ କରିବାରେ ସଫଳ ହୋଇଥିଲେ। ଏହା ଦ୍ୱାରା ଡଲାର ଉପରେ ଭାରତୀୟ ଅର୍ଥନୀତି ଲଗାମ ଲଗାଇବାରେ ସଫଳ ହୋଇଥିଲେ।
ପ୍ରବାସୀ ଭାରତୀୟଙ୍କୁ ଡଲାର ଡିପୋଜିଟ ସ୍କିମକୁ ୨୦୧୩ ଅନୁରୂପ ପୁଣି ଥରେ ଲାଗୁ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଫଳରେ ୩୦ରୁ ୩୫ବିଲିୟନ ଡଲାର ସଂଗ୍ରହ କରିବାର ଲକ୍ଷ ରଖାଯାଇଛି।
ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର(ବ୍ୟବସାୟିକ ଯୁଦ୍ଧ) ଓ ବିଶ୍ୱସ୍ତରରେ ଡଲାର ପ୍ରତି ସବୁ ଦେଶର ବିଶ୍ୱାସ ବର୍ଦ୍ଧିତ ଡଲାର ମୂଲ୍ୟର ପ୍ରମୁଖ କାରଣ ବୋଲି କୁହାଯାଉଛି। କାରଣ ସମସ୍ତ ନେଣଦେଣ ଡଲାରରେ ସମ୍ପାଦିତ ହେଉଥିବାରୁ ଡଲାର ତୁଳନାରେ ଅନ୍ୟାନ୍ୟ ମୁଦ୍ରାର ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଏହାର ପ୍ରଭାବ କେବଳ ଭାରତୀୟ ମୁଦ୍ରାରେ କାହିଁକି ଡଲାର ତୁଳନାରେ ତୁର୍କୀର ମୁଦ୍ରା ଲୀରା ଓ ୟୁରୋର ମୂଲ୍ୟ ମଧ୍ୟ ବ୍ୟାପକ ମାତ୍ରାରେ କମିବାରେ ଲାଗିଛି।
ଡଲାର ମୂଲ୍ୟ ବୃଦ୍ଧି ହେବା ଦ୍ୱାରା ବିଦେଶୀ ସାମଗ୍ରୀର ମୂଲ୍ୟ ଭାରତୀୟ ବଜାର ଉପରେ ପଡ଼ିବ। ବିଦେଶ ଭ୍ରମଣ, ବିଦେଶୀ ଗାଡ଼ିର ମୂଲ୍ୟ ବୃଦ୍ଧି ହେବା ସହ ଭାରତୀୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦେଶକୁ ଆମଦାନୀ ମହଙ୍ଗା ହେବା ଦ୍ୱାରା ପେଟ୍ରୋଲ ଡିଜେଲର ମୂଲ୍ୟ କ୍ରମାଗତ ବୃଦ୍ଧି ପାଇବାର ଆଶଙ୍କା ରହିଛି।