ଏସଡିଆଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ପ୍ରଥମ ଦକ୍ଷତା ବିକାଶ ସଂସ୍ଥାନ ହେବ : ରାଷ୍ଟ୍ରପତି

0

ଏସଡିଆଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ପ୍ରଥମ ଦକ୍ଷତା ବିକାଶ ସଂସ୍ଥାନ ହେବ : ରାଷ୍ଟ୍ରପତି
ଭୁବନେଶ୍ୱର : ଆଇଆଇଟି ଭୁବନେଶ୍ୱରର ସମାବର୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲଜି (ଆଇସିଟି) ମୁମ୍ବାଇ – ଇଣ୍ଡିଆନ ଅଏଲ କ୍ୟାମ୍ପସର ଶୁଭ ଉଦଘାଟନ ଓ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ (ଏସଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଏସଡିଆଇ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ପ୍ରଥମ ଦକ୍ଷତା ବିକାଶ ସଂସ୍ଥାନ ହେବ । ଏହି ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଯୋଗେ ଅଗାମୀ ଦଶ ବର୍ଷରେ ୫୦ ହଜାର ଯୁବକଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖା ଯାଇଥିବା ଖୁସୀର ଖବର ।

ଏହି କାର୍ୟ୍ୟକ୍ରମରେ ଉଦବୋଧନ ଦେଇ ଦୁଇଟି ଅନୁଷ୍ଠାନ ଓଡ଼ିଆ ଯୁବ ପୀଢୀଙ୍କ ପାଇଁ ଉତ୍ତମ ତାଲିମ ଆଧାରରେ ରୋଜଗାର ଓ ଉଦ୍ୟମୀ ହେବାର ବ୍ୟାପକ ସୁବିଧା ଉପଲବ୍ଧ କରାଇବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଇସିଟି ମୁମ୍ବାଇ–ଇଣ୍ଡିଆନ ଅଏଲ କ୍ୟାମ୍ପସ ଓ ଏସଡିଆଇ କ୍ୟାମ୍ପସ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଉଦ୍ୟମରେ ଓଡିଶାରେ ସ୍ଥାପିତ ହେଉଛି।

ଏହାସହ ଶ୍ରୀ ପ୍ରଧାନ କହିଛନ୍ତି ଯେ କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ଦେଶର ଅଗ୍ରଣୀ ଅନୁଷ୍ଠାନ ଆଇସିଟି ମୁମ୍ବାଇର ଓଡିଶା କ୍ୟାମ୍ପସ ଏହାର ଶିକ୍ଷାର୍ଥୀଙ୍କ ପାଇଁ ବଡ ସୁଯୋଗ ଉପଲବ୍ଧ କରାଇବ। ଡିଲୋଆଇଟ ଦ୍ୱାରା କରା ଯାଇଥିବା ଏକ ଆକଳନ ଅନୁସାରେ ପୂର୍ବ ଭାରତରେ ଟେକ୍ସଟାଇଲ ଓ ପଲିମର କ୍ଲଷ୍ଟରର ବିକାଶରେ ୨୦୩୦ ମସିହା ସୁଦ୍ଧା ୩୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇସିଟି -ଆଇଓସି କ୍ୟାମ୍ପସରେ ୫ ଶହ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ କ୍ୟାମ୍ପସ ଗଢି ଉଠିବ। ଭାରତୀୟ ତୈଳ ନିଗମ ଶିଳ୍ପ ସହଯୋଗୀ ଭାବରେ ଛାତ୍ର-ଛାତ୍ରୀ ମାନଙ୍କୁ ସହଯୋଗ ଯୋଗାଇ ଦେବା ବେଳେ ଏହି କ୍ୟାମ୍ପସ ବୌଦ୍ଧିକ ମେରୁଦଣ୍ଡର କାମ କରିବ। ଏହା ସହ ଅସ୍ଥାୟୀ ଭାବେ ଚାଲୁଥିବା ଏସଡିଆଇ କ୍ୟାମ୍ପସ ୫ ଶହ କୋଟି ଟଙ୍କା ବ୍ୟୟରେ ଜଟଣୀର ତରାବୋଇ ଠାରେ ପ୍ରତିଷ୍ଠିତ ହୋଇ ଯୁବ ପୀଢୀକୁ ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦକ୍ଷତା ବିକାଶ, ନିଯୁକ୍ତି ଓ ଉଦ୍ୟମିତାର କେନ୍ଦ୍ର ସ୍ଥଳ ହୋଇ ପାରିବ । ମହାମହିମ ରାଷ୍ଟ୍ରପତି ତାଙ୍କର ଦୁଇ ଦିନିଆ ଗସ୍ତରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହ ଭାବର ଆଦାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଓଡିଆ ଯୁବ ପୀଢୀଙ୍କ ପାଇଁ ବିଶେଷ ଭାବେ ସମର୍ପିତ ଥିଲା ବୋଲି କୁହା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply