www.samajalive.in
Wednesday, December 10, 2025
14.1 C
Bhubaneswar

“ଭାରତ ବନ୍ଦ’ର କ’ଣ ପଡ଼ିବ ପ୍ରଭାବ!

ନୂଆଦିଲ୍ଲୀ: ବର୍ଦ୍ଧିତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ପ୍ରତିବାଦରେ କଂଗ୍ରେସ ସମେତ ଛୋଟ ବଡ଼ ୨୧ଟି ରାଜନୈତିକ ଦଳର ସମର୍ଥନରେ ଦେଶରେ ବନ୍ଦ ପାଳିତ ହେଉଛି। ବନ୍ଦ ଫଳରେ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡ଼ିବ। ଫଳରେ ସରକାର ଦେଶବାସୀଙ୍କ ଦାବି ପୂରଣ କରିବେ ଓ ପେଟ୍ରୋଲ ଡିଜେଲର ମୂଲ୍ୟ କମିଯିବ। ଏଭଳି ଭାବୁଥିବା ଦେଶବାସୀ ଜାଣି ରଖିବା ଦରକାର ଯେ, ଆଜି ପର୍ଯ୍ୟନ୍ତ ଭାରତୀୟ ଗଣତନ୍ତ୍ରରେ କୌଣସି ରାଜନୈତିକ ଦଳ ଦ୍ୱାରା କରାଯାଇ ଥିବା ବନ୍ଦ ପରେ ସରକାର ଦେଶବାସୀଙ୍କ ଦାବି ପୂରଣ କରିବାର ନଜିର ନାହିଁ। ତେବେ କାହା ସ୍ୱାର୍ଥରେ ହେଉଛି ଏଭଳି ବନ୍ଦ?
ଗଣତନ୍ତ୍ରର ବିଡ଼ମ୍ବନା ଦେଖନ୍ତୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବନ୍ଦକୁ ବେଆଇନ ଘୋଷଣା କରିଥିଲେ। ହେଲେ ଏହାକୁ ରାଜନୈତିକ ଦଳ ମାନୁ ନାହାନ୍ତି। ଯେଉଁ ପୁଲିସ ବାବୁ ହେଲେମେଟ ନପିନ୍ଧିଲେ ଆପଣଙ୍କୁ ନାଲି ଆଖି ଦେଖାଏ, ସେ ମଧ୍ୟ ରାଜନୈତିକ କର୍ମୀଙ୍କ ଲଙ୍କାକାଣ୍ଡକୁ ନୀରବରେ ଦାର୍ଶନିକଙ୍କ ଦୃଷ୍ଟିରେ ଉପଭୋଗ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖି ଆମେ ଛୋଟରୁ ବଡ଼ ହେଲୁ। ନାବାଳକରୁ ନାଗରିକ ହେଲୁ। ଏବେ ଦେଶର ଗଣତନ୍ତ୍ର ଦେଖି ନିଜେ ନିଜକୁ ପ୍ରଶ୍ନ କରୁଛୁ।
ବନ୍ଦ ଦେଶବାସୀଙ୍କ ସ୍ୱାର୍ଥରେ ବୁଝାଉଥିବା ରାଜନୈତିକ ଦଳ ବାସ୍ତବରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରୁଛନ୍ତି। ବିଡ଼ମ୍ବନା ଦେଖନ୍ତୁ “ବନ୍ଦ’ ଶବ୍ଦକୁ ଏଭଳି ଭାବରେ ଉପସ୍ଥାପନ କରାଯାଉଛି, ଯେମିତି ଏହା ଦେଶବାସୀଙ୍କ ପାଇଁ ପାଳନ କରାଯାଉଛି। ହେଲେ ବାସ୍ତବରେ ବନ୍ଦ ଦ୍ୱାରା ସାଧାରଣ ଲୋକ ବାହାରକୁ ଯାଇ ପାରନ୍ତି ନାହିଁ, ଦୋକାନ ବଜାରରୁ ସାମଗ୍ରୀ କିଣି ପାରନ୍ତି ନାହିଁ, ବ୍ୟଙ୍କ କିମ୍ବା ଏଟିଏମରୁ ଟଙ୍କା ଉଠାଇ ପାରନ୍ତି ନାହିଁ, ଏପରିକି ନାଗରିକର ସର୍ବନିମ୍ନ ଆବଶ୍ୟକତା ପୂରଣ କରି ପାରନ୍ତି ନାହିଁ। ରାଜନୈତିକ ଦଳ କିନ୍ତୁ ଏହି ସମୟରେ ନିର୍ବିଘ୍ନରେ ନିଜ ସ୍ୱାର୍ଥ ହାସଲ କରିଥାନ୍ତି। ପେଟ୍ରୋଲ ମୂଲ୍ୟ ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଇ ରାଜନୈତିକ ଦଳ ଲକ୍ଷଲକ୍ଷ ଟଙ୍କାର ପେଟ୍ରୋଲ କିଣି ବାଇକ ର୍ୟାଲି ଆଳରେ କର୍ମୀ(ବେକାର ଯୁବକ)ଙ୍କୁ ଗୋଟିଏ ଦିନ ପୋଡ଼ା ଜଳା କରିବାର ଲାଇସେନ୍ସ ଦିଅନ୍ତି।
ଏଭଳି ବନ୍ଦ ଦ୍ୱାରା ଦେଶର ଅର୍ଥନୀତିରେ ବ୍ୟାପକ ମାତ୍ରାରେ କ୍ଷତି ଘଟେ। ଏହି କ୍ଷତି ପରବର୍ତ୍ତୀ ସମୟରେ ଦେଶବାସୀଙ୍କ ପକେଟରୁ ପୂରଣ କରାଯାଏ। ଆସନ୍ତୁ ଜାଣିବା ଦିନିକିଆ ବନ୍ଦରେ ଦେଶର ଅର୍ଥନୀତିକୁ କିପରି ପ୍ରଭାବ ପକାଏ? ପ୍ରତି ଦିନ କାରଖାନାରେ ନିର୍ମାଣ ହେଉଥିବା ଉତ୍ପାଦନ ବନ୍ଦ ଦ୍ୱାରା ପ୍ରଭାବିତ ହୁଏ। ପ୍ରତି ଦିନ ସେୟାର ବଜାରରେ କିଣା ବିକା ବନ୍ଦ ରୁହେ। ଛୋଟ ଚା’ ଦୋକାନଠାରୁ ଆରମ୍ଭ କରି ବଡ଼ବଡ଼ ମଲରେ କିଣାବିକା ବନ୍ଦ ରୁହେ। ବ୍ୟାଙ୍କ ନେଣଦେଣ ବନ୍ଦ ହୁଏ। ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୁଏ। ସରକାରୀ କାର୍ଯ୍ୟ ବନ୍ଦ ହୋଇଯାଏ। ପରିବହନ ବ୍ୟବସ୍ଥା ଠପ୍‍ ହୋଇଯାଏ।
୨୦୧୫ ସେପ୍ଟେମ୍ବରରେ ଦେଶରେ ଟେଡ ୟୁନିୟନ ଗୋଟିଏ ଦିନ ପାଇଁ ବନ୍ଦ ଡାକରା ଦେଇଥିଲେ। ଏହା ଦ୍ୱାରା ପରିବହନ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ଏକ ଦିବସୀୟ ଏହି ବନ୍ଦ ଫଳରେ ୨୫ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ଚେମ୍ବର ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଆକଳନ କରିଥିଲା।
୨୦୧୬ସେପ୍ଟେମ୍ବରରେ ସେଣ୍ଟ୍ରାଲ ଟ୍ରେଡ ୟୁନିୟନ ଏକ ଦିନିଆ ବନ୍ଦର ଆହ୍ୱାନ କରିଥିଲେ। ଏହା ଦ୍ୱାରା ପରିବହନ, ଉତ୍ପାଦନ ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ଏହା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାରେ ୧୮ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା।
ଜାନୁୟାରୀ ୨୦୧୮ରେ ଦଳିତ ସଂଗଠନ ପକ୍ଷରୁ ଏକଦିନିଆ ବନ୍ଦର ଡାକରା ଦିଆଯାଇ ଥିଲା। ଏହି ବନ୍ଦ କେବଳ ମହାରାଷ୍ଟ୍ରରେ ପାଳିତ ହୋଇଥିଲା। ରାଜ୍ୟରେ କାରବାର ଓ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହା ଦ୍ୱାରା ରାଜ୍ୟରେ ୭୦୦କୋଟି ଟଙ୍କାର କେବଳ ଖୁଚୁରା କାରିବାରୀଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହିପରି ହେଟେଲ ବ୍ୟବସାୟରେ ୧୦୦କୋଟି ଟଙ୍କାର କ୍ଷତି ହୋଇଥିଲା।
ତେଣୁ ବାସ୍ତବରେ ଦେଖିବାକୁ ଗଲେ ଯେଉଁ ବନ୍ଦକୁ ସଫଳ କରି ବିରୋଧୀ ରାଜନୈତିକ ଦଳ ସେମାନଙ୍କ ବିଜୟ ଉତ୍ସବ ପାଳନ କରନ୍ତି ବାସ୍ତବରେ ତାହା ଦେଶର ଅର୍ଥନୀତିର କ୍ଷତି ଘଟାଇ ଥାଏ। ଏହି କ୍ଷତି ପରବର୍ତ୍ତୀ ସମୟରେ ଦେଶର ଜନତାଙ୍କଠାରୁ ମୂଲ୍ୟବୃଦ୍ଧି ଓ ଟିକସ ଆକାରରେ ସାଧାରଣ ଜନତାଙ୍କଠାରୁ ଆଦାୟ କରି ପୂରଣ ହୁଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories