www.samajalive.in
Tuesday, December 9, 2025
16.1 C
Bhubaneswar

ଜୟପୁର : ଟ୍ବେଣ୍ଟି-୨୦ ବିଶ୍ବକପ୍‌ର  ରନର୍ସ ଅପ୍‌ ନ୍ୟୁଜିଲାଣ୍ଡ ବୁଧବାର ଘରୋଇ ଭାରତ ବିପକ୍ଷରେ ୩ ମ୍ୟାଚ୍‌ ସିରିଜ୍‌ର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବାକୁ ଯାଉଛି। ଏହି ସିରିଜ୍‌ରେ ବିଜୟ ପାଇଁ ଉଭୟ ଦଳର ଲକ୍ଷ୍ୟ ଭିନ୍ନ ରହିବ । ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତକୁ ଏହି ସିରିଜ୍‌ରେ ତା’ର ପାରିଲାପଣିଆ ଦେଖାଇବାକୁ ପଡ଼ିବ। କାରଣ ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡଠାରୁ ମଧ୍ୟ ଭାରତ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ କ୍ରମାଗତ ୩ଟି ବିଶ୍ବକପ୍‌ ଖେଳି ରନର୍ସଅପ୍ ହୋଇଥିବା ନ୍ୟୁଜିଲାଣ୍ଡ ଧଳା ବଲ୍‌ କ୍ରିକେଟ୍‌ରେ ପ୍ରାଧାନ୍ୟ ବଜାୟ ରଖିବାକୁ ଚାହିଁବ। ଏଣେ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂତନ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କ ଅଧୀନରେ ଭାରତୀୟ କ୍ରିକେଟ୍‌ରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ତେଣୁ ବିଜୟ ସହ ଦ୍ରାବିଡ଼-ରୋହିତ ଯୋଡ଼ି ସେମାନଙ୍କ ଯାତ୍ରା ଆରମ୍ଭ କରିବାକୁ ଚାହିଁବେ। ୧୧ ମାସ ପରେ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଥିବାରୁ ଏହାର ପ୍ରସ୍ତୁତି ଏହି ସିରିଜ୍‌ରୁ ଆରମ୍ଭ ହେବ ବୋଲି ଧରିନେବାକୁ ହେବ। ୟୁଏଇରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ବିଫଳତାକୁ ଭୁଲି ଭାରତ ଏକ ନୂତନ ପ୍ରାରମ୍ଭ କରିବାକୁ ଚାହିଁବ।
ବିଶ୍ବକପ୍‌ ରନର୍ସଅପ୍‌ ଦଳରୁ ଆହତ ଡେଭିଡ୍‌ କନ୍‌ୱେ ବାଦ୍‌ ପଡ଼ିଥିବା ବେଳେ ଅଧିନାୟକ କେନ୍ ୱିଲିୟମ୍‌ସନ ବିଶ୍ରାମ ନେଇଛନ୍ତି । ଏଦୁହିଁଙ୍କୁ ଛାଡ଼ି ଦଳର ସମସ୍ତ ଖେଳାଳି ବୁଧବାରର ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ୱିଲିୟମ୍‌ସନଙ୍କ ସ୍ଥାନରେ ମାର୍କ ଚାପ୍‌ମ୍ୟାନ୍ ଖେଳିବାର ଥିବା ବେଳେ କନ୍‌ୱେଙ୍କ ସ୍ଥାନରେ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଟିମ୍ ସୈଫର୍ଟ ୱିକେଟ ରକ୍ଷଣ କରିବେ। ଦଳର ବୋଲିଂ ବିଭାଗରେ କୌଣସି ପରିବର୍ତ୍ତନ ହେବନାହିଁ। ଟିମ୍ ସାଉଦି ଦଳର ନେତୃତ୍ବ ନେବାକୁ ଯାଉଥିବା ବେଳେ ତାଙ୍କ ସହ ଟ୍ରେଣ୍ଟ ବୋଲ୍‌ଟ ଓ ଆଦାମ୍ ମିଲ୍‌ନ ଏବଂ ଦୁଇ ସ୍ପିନର ମିଚେଲ ସାଣ୍ଟନର ଓ ଇସ୍‌ ସୋଢ଼ି ଖେଳିବା ପ୍ରାୟ ନିଶ୍ଚିତ। ଓପ୍‌ନର ମାର୍ଟିନ୍ ଗପ୍‌ଟିଲଙ୍କୁ ଛାଡ଼ି ନ୍ୟୁଜିଲାଣ୍ଡ ବ୍ୟାଟିଂ ଲାଇନ୍‌ରେ ଅଭିଜ୍ଞତା ନଥିଲେ ମଧ୍ୟ ଅନ୍ୟ ବ୍ୟାଟ୍‌ସମ୍ୟାନ୍ କିଛି ବର୍ଷ ହେଲା ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ପରିସ୍ଥିତି ଯାହା ହେଉ ନା କାହିଁକି; ନ୍ୟୁଜିଲାଣ୍ଡର ବ୍ୟାଟ୍‌ସମ୍ୟାନ୍ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ପଛାଇବେ ନାହିଁ। ବିରାଟ କୋହଲିଙ୍କୁ ଛାଡ଼ି ଭାରତୀୟ ବ୍ୟାଟିଂ ଲାଇନ୍‌ରେ ପ୍ରାୟ ନିୟମିତ ଖେଳାଳି ରହିଛନ୍ତି। ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲ ଓପନ୍‌ କରିବାକୁ ଥିବା ବେଳେ ମଧ୍ୟକ୍ରମରେ ଇଶାନ୍ କିଷନ୍, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ ଓ ଋଷଭ ପନ୍ତ୍ ଖେଳିବେ। ମ୍ୟାଚ୍‌ ଖେଳିବା ପାଇଁ ଏବେ ଅଲ୍‌ରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲ ଖେଳିବା ନିଶ୍ଚିତ ହୋଇଥିବା ବେଳେ ପିଚ୍‌କୁ ଦେଖି ସ୍ପିନର ଅକ୍ଷର ପଟେଲ କିମ୍ବା ପେସ୍ ବୋଲର ହର୍ଷଲ ପଟେଲ ଖେଳିପାରନ୍ତି। ତେବେ ଅଲ୍‌ରାଉଣ୍ଡରଙ୍କ ଅନୁପସ୍ଥିତି ଯୋଗୁଁ ଅକ୍ଷରଙ୍କ ଖେଳିବା ସମ୍ଭାବନା ଅଧିକ। ସେହିପରି ଦୁଇ ପେସ୍ ବୋଲର ମହମ୍ମଦ ସିରାଜ୍‌ ଓ ଭୁବନେଶ୍ବର କୁମାରଙ୍କ ମଧ୍ୟରୁ ଜଣେ ଖେଳିବେ। ତେବେ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ଅଧିକ ଗତି ପାଇଁ ସିରାଜଙ୍କ ଖେଳିବା ସମ୍ଭାବନା ଅଧିକ। ବିଶ୍ବକପ୍‌ରେ ଭୁବନେଶ୍ବର ଭଲ ବୋଲିଂ କରି ପାରିନଥିଲେ। ତଥାପି କୌଣସି ବିଭାଗରେ ଭାରତ ଦୁର୍ବଳ ହୋଇଯାଇଛି ବୋଲି କହିବା ଠିକ୍ ହେବନାହିଁ। ନ୍ୟୁଜିଲାଣ୍ଡର ଦୁଇ ସ୍ପିନରଙ୍କ ମୁକାବିଲା କରିବା ପାଇଁ ଇଶାନ୍ କିଷନ୍ ଓ ଋଷଭ ପନ୍ତ୍‌ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ। ବିଶ୍ବକପ୍‌ରେ ଭାରତ ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ବେଳେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡର ସ୍ପିନରଙ୍କ ବିପକ୍ଷରେ ଭଲ ବ୍ୟାଟିଂ କରି ପାରିନଥିଲା। ବୁଧବାରର ମ୍ୟାଚ୍‌ରେ ଭାରତକୁ ଏହି ଦିଗ ପ୍ରତି ଦୃଷ୍ଟିଦେବାକୁ ପଡ଼ିବ। ଘରୋଇମାଟିରେ ଭାରତର ପଲ୍ଲା ନିଶ୍ଚୟ ଭାରିରହିବ। ତଥାପି ନ୍ୟୁଜିଲାଣ୍ଡ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସୀମିତ ଓଭର ଦଳ ବୋଲି ବାରମ୍ବାର ପ୍ରମାଣ କରିସାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories