www.samajalive.in
Sunday, December 14, 2025
16.1 C
Bhubaneswar

ଆସନ୍ତା କାଲି ଅଁଳା ନବମୀ ; ପ୍ରଶାସନ ତରଫରୁ ମନ୍ଦିର ଚତୁପାର୍ଶ୍ୱରେ ୧୪୪ ଧାରା ଜାରି

ସାକ୍ଷୀଗୋପାଳ : ଆସନ୍ତା କାଲି କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥି , ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ । ବର୍ଷକରେ ମାତ୍ର ଗୋଟିଏ ଦିନ ନିମନ୍ତେ ମାଙ୍କର ପାଦ ଦର୍ଶନର ସୁଯୋଗ ମିଳିଥାଏ । ମାଙ୍କର ପାଦଦର୍ଶନ ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ସରକାରଙ୍କର କୋଭିଡ କଟକଣା ଓ ପ୍ରଶାସନ ତରଫରୁ ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ୧୪୪ ଧାରା ଜାରି ହୋଇଅଛି । ଫଳରେ ଭକ୍ତମାନଙ୍କ ସମାଗମ ବନ୍ଦ ରହିବ । ବିଗତ ବର୍ଷ ମାନଙ୍କରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହେଉଥିବା ସତ୍ୟବାଦୀ ଅଞ୍ଚଳ ଶୂନଶାନ ରହିବ ।
ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତ ଅଞ୍ଚଳରୁ ଆସିଥିବାରୁ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଉତ୍ତର ଭାରତୀୟ ବେଶଭୂଷା ପରିଧାନ କରିଥାନ୍ତି । ଫଳରେ ବର୍ଷ ସାରା ଠାକୁରାଣୀଙ୍କ ପାଦପଦ୍ମ ପିନ୍ଧା ବସନରେ ଆବୃତ୍ତ ହୋଇ ରହିଥାଏ । ଅଁଳା ନବମୀ ଗୋଟିଏ ଦିନ ନିମନ୍ତେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀ ଓଡ଼ିଆଣୀ ବେଶ ହୋଇଥାନ୍ତି । ଯାହା ଫଳରେ ଠାକୁରାଣୀଙ୍କ ପିନ୍ଧା ବସନ ପାଦପଦ୍ମ ଉପରକୁ ଉଠି ରହିଥାଏ । ଭକ୍ତ ମାନଙ୍କୁ ଠାକୁରାଣୀଙ୍କ ପାଦପଦ୍ମ ଦେଖିବାର ସୁଯୋଗ ମିଳିଥାଏ । ଆଜି ପୂର୍ବ ରାତ୍ରରୁ ଦେବନୀତି ସମ୍ପନ୍ନ କରାଯାଇ ଠାକୁରାଣୀଙ୍କୁ ଓଡ଼ିଆଣୀ ବେଶ କରାଯିବ । ଏହି ବେଶରେ ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରିବେ । କାନିରେ ଅରୁଆ ଚାଉଳ, ଦୁବ ଓ ଗୁଆ ବନ୍ଧା ଯାଇଥିବା ବେଳେ ପାଦରେ ଅଳତା ଓ ଆଖିରେ କଜ୍ଜ୍ୱଳ ଲଗାଇଥିବେ ।
ଠାକୁରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ଅଁଳା ଫଳ ମାଳ,  ଅଣ୍ଟାରେ ସୁବର୍ଣ୍ଣ ବେଙ୍ଗ ପାଟିଆ ମାଳ, ସୁବର୍ଣ୍ଣ ଚକି ମାଳ, ସୁବର୍ଣ୍ଣ କମରପଟି ସୁବର୍ଣ୍ଣ ଚାରି ସରିଆ ଚନ୍ଦ୍ର ହାର ଶିକୁଳି, ବାହୁରେ ସୁବର୍ଣ୍ଣ ଡେଉଁରୀଆ ମାଳ, ସୁବର୍ଣ୍ଣ ତାବିଜ ମାଳ ଓ ସୁବର୍ଣ୍ଣ ତାବିଜ, ହାତରେ ସୁବର୍ଣ୍ଣ ବାଘନଖି ମାଳ, ପାଦରେ ସୁବର୍ଣ୍ଣ ନୂପୁର, ଘୁଙ୍ଗୁର, ବାଙ୍କୀ, ପାପଦ୍ମ, ଓ ଚୁପୁଲି ଶୋଭା ପାଉଥାଏ  ।
ସେହିପରି ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କର ମନୋରମ ନଟବର ବେଶ ହୋଇଥିବେ । ଠାକୁର ନୂତନ ପାଟବସ୍ତ୍ର ପରିଧାନ କରିଥିବେ । ଠାକୁରଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଗଳାରେ ସୁବର୍ଣ୍ଣ ସେବତୀ ଫୁଲ ହାର, ହସ୍ତରେ ସୁବର୍ଣ୍ଣ ବଂଶୀ, ନାସାରେ ଗଜମୁକ୍ତା, କର୍ଣ୍ଣରେ ସୁବର୍ଣ୍ଣ କୁଣ୍ଡଳ ଓ ଆଙ୍ଗୁଠିରେ ହୀରକ ମୁଦ୍ରିକା ଶୋଭା ପାଉଥାଏ ।
କୋଭିଡ କଟକଣା ପାଇଁ ଆସନ୍ତାକାଲି ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ବଦଳରେ କେବଳ ସେବାୟତ,ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ପୁଲିସ ଫୋର୍ସ ଉପସ୍ଥିତ ରହିବେ । ଉପ ଜିଲ୍ଲାପାଳ ଭଵ ତାରଣ ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟ ସିଂ ଏସ ଡ଼ି ପି ଓ ଦେବଦତ୍ତ ବରାଳ ଓ ଆଇ ଆଇ ସି ଦେବୀ ପ୍ରସାଦ ପାତ୍ର ପ୍ରମୁଖ ସମସ୍ତ ବ୍ୟବସ୍ଥାର ତଦାରଖ କରିବେ ବୋଲି ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories