ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣର ସଂକେତ

0

ମୁମ୍ବଇ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ପ୍ରମୁଖ ରାଜ ଠାକରେ ଓ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାୱରଙ୍କ ଶନିବାର ସାକ୍ଷାତକାର ପରେ ମହାରାଷ୍ଟ୍ରରେ ନୂତନ ରାଜନୈତିକ ସମୀକରଣର ସଂକେତ ମିଳିଛି । ଶନିବାର ଦକ୍ଷିଣ ମୁମ୍ବଇ ପେଦର ରୋଡସ୍ଥିତ ଶରଦ ପାୱାରଙ୍କ ଘରକୁ ଯାଇ ରାଜ ଠାକରେ ତାଙ୍କୁ ଭେଟିଥିଲେ ।

ଶରଦ ପାୱାର କହିଛନ୍ତି ଯେ ଏହା ଏକ ଔପଚାରିକ ସାକ୍ଷାତକାର ଥିଲା । ରବିବାର ଏମ୍‌ଏନ୍‌ସିର ଶୋଭାଯାତ୍ରା ଆୟୋଜନ ପୂର୍ବରୁ ରାଜ ଠାକରେ ଏବଂ ଶରଦ ପାୱାରଙ୍କ ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେବାରେ ଲାଗିଛି । ପ୍ରାୟ ୪୫ ମିନିଟ୍‌ ଧରି ଉଭୟ କଥାବାର୍ତ୍ତା ହୋଇଥିଲେ । ସେମାନେ କେଉଁ ବିଷୟରେ କଥା ହୋଇଛନ୍ତି ତାହା ପଦାକୁ ଆସିନାହିଁ । କିନ୍ତୁ ଏଥିରୁ ନୂତନ ରାଜନୈତିକ ସମୀକରଣର ସଂକେତ ଆସିଛି ।

ପ୍ରକାଶ ଯେ ମାର୍ଚ୍ଚ ୨୮ରେ ଶରଦ ପାୱାର ଦିଲ୍ଲୀସ୍ଥିତ ନିଜ ଘରେ ଛୋଟ ଦଳଙ୍କ ଏକ ବୈଠକ ଡାକିଛନ୍ତି । ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଶରଦ ପାୱାର ପ୍ରଥମରୁ ଆଲୋଚନା କରିସାରିଛନ୍ତି । ଯେଉଁ ଆଞ୍ଚଳିକ ଦଳଗୁଡ଼ିକ କଂଗ୍ରେସ ସହ ଆଲୋଚନା କରିବାକୁ ଇଚ୍ଛୁକ ନାହାନ୍ତି ସେମାନଙ୍କ ସହ ଶରଦ ପାୱାର କଥା ହେବେ । ମୋଦି ବିରୋଧୀ ଆଞ୍ଚଳିକ ଦଳଗୁଡ଼ିକୁ ଏକାଠି କରି ଉପା ମେଣ୍ଟରେ ସାମିଲ କରିବାକୁ କଂଗ୍ରେସ ଓ ତାର ସହଯୋଗୀ ଦଳଗୁଡ଼ିକ ଲାଗିପଡ଼ିଛନ୍ତି । ଏହି କ୍ରମରେ ଶରଦ ଓ ରାଜ ଆଲୋଚନା କରିପାରିଥାନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave A Reply