ଆମେରିକା କଲ ସେଣ୍ଟର ଦୁର୍ନୀତିରେ ଭାରତୀୟଙ୍କ ସମ୍ପୃକ୍ତି

0

ସିକାଗୋ: ଆମେରିକାରେ ପ୍ରାୟ ୫.୫ ନିୟୁତ ଡଲାର ମୂଲ୍ୟର କଲ୍‍ ସେଣ୍ଟର ଦୁର୍ନୀତି ଘଟଣା ଏବେ ସାମ୍‍ନାକୁ ଆସିିଛି। ଏହି ଦୁର୍ନୀତିରେ ୭ ଭାରତୀୟଙ୍କ ସମେତ ଅହମ୍ମଦାବାଦରେ କାର୍ଯ୍ୟ କରୁଥିବା ୫ଟି ବିପିଓ ସଂସ୍ଥା ଜଡ଼ିତ ଥିବା ଜଣାପଡ଼ିଛି। ଏହି ଦୁନୀତିରେ ପ୍ରାୟ ୨ ହଜାର ଆମେରିକୀୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ୭ଜଣଙ୍କୁ ଗିରଫ କରାଯାଇଛି।
ଆମେରିକା ଆଟର୍ଣ୍ଣି ଜେନେରାଲ୍‍ ବି ଜେ ପାକ୍‍ଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ନିଜକୁ ରାଜସ୍ୱ ସେବା ବିଭାଗର ଅଧିକାରୀ ଭାବେ ପରିଚୟ ଦେଇ ଟିକସ ଖିଲାପୀଙ୍କୁ ଭୟଭୀତ କରାଇ କୋଟି କୋଟି ଡଲାର ଠକି ନେଇଛନ୍ତି। ୨୦୧୨ରୁ ୨୦୧୬ ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ବିଭିନ୍ନ ଡାଟା ସେଣ୍ଟର ଓ ଅଫିସିଆଲ୍‍ ସାଇଟ୍‍ରୁ ଅଭିଯୁକ୍ତମାନେ ଟିକସ ଖିଲାପୀଙ୍କ ତଥ୍ୟ ସଂଗ୍ରହ କରୁଥିଲେ। ତା ପରେ ସେମାନେ ଫୋନ୍‍ ଯୋଗେ ସେମାନଙ୍କ ସହିତ ସମ୍ପର୍କ ସ୍ଥାପନ କରି ଧମକଚମକ ଦେଇ ଜରିମାନା ବାବଦରେ ଅର୍ଥ ଆଦାୟ କରୁଥିଲେ। ସରକାରୀ ତହବିଲ୍‍କୁ ସେହି ଜରିମାନା ଅର୍ଥ ଯାଉଥିବା ଜାଲ୍‍ କାଗଜପତ୍ର ଜରିଆରେ ଦର୍ଶାଇ ନିଜେ ହଡ଼ପ କରୁଥିଲେ।
ଦୀର୍ଘ ଦିନର ଅନୁସନ୍ଧାନ ପରେ ଉପଯୁକ୍ତ ତଥ୍ୟ ଓ ପ୍ରମାଣ ସହିତ ଅଭିଯୁକ୍ତଙ୍କୁ ଆମେରିକା ଟ୍ରେଜେରୀ ବିଭାଗର ଗୁଇନ୍ଦା ସଂସ୍ଥା ଧରିଥିଲା। ଅଭିଯୁକ୍ତଙ୍କ ମଧ୍ୟରେ ଅହମ୍ମଦାବାଦରେ କାର୍ଯ୍ୟ କରୁଥିବା ବିପିଓ ଏକ୍ସଲେଣ୍ଟ ସଲ୍ୟୁସନ୍‍, ଏଡିଏନ୍‍ ଇନ୍‍ଫୋଟେକ୍‍ ପ୍ରା.ଲି., ଇନ୍‍ଫୋକ୍‍ ବିପିଓ ସଲ୍ୟୁସନ୍‍ ପ୍ରା. ଲି, ଆଡୋର ଇନ୍‍ଫୋସୋର୍ସ, ଇନ୍‍କ ଆଣ୍ଡ ଜୁରିକ୍‍ ବିପିଓ ସର୍ଭିସେସ୍‍ ପ୍ରା. ଲି ଥିବା ଜଣାପଡ଼ିଛି। ଅନ୍ୟ ଅଭିଯୁକ୍ତ ଭାରତୀୟମାନେ ହେଲେ ଶୈଳେଶ କୁମାର ଶର୍ମା, ଦିଲ୍ଳୀପ କୁମାର କୋଡ୍‍ୱିନି, ରାଧିଶରାଜ୍‍ ନଟରାଜନ୍‍, ଶୁଭମ୍‍ ଶର୍ମା, ନିରବ ଜନକଭାଇ ପଞ୍ଚଲ୍‍, ଅଥର ପରଭେଜ୍‍ ମନସୁରୀ, ମହମ୍ମଦ ସମିର ମେମୋନ୍‍, ମହମ୍ମଦ କାଜିମ୍‍ ମୋମିନ୍‍ , ପଲକ୍‍ କୁମାର ପଟେଲ୍‍।

Leave A Reply