ପୁରୀ: ପୁରୀ ନାମ ପରିବର୍ତ୍ତନ କରାଯିବାର ଆବଶ୍ୟକତା ନଥିବା ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମତ ଦେଇଛନ୍ତି। ପୁରୀ ଜିଲା ନାମ ଶ୍ରୀଜଗନ୍ନାଥ ପୁରୀ ପରିବର୍ତ୍ତନ ପାଇଁ ହେଉଥିବା ଦାବି ଆଦୌ ଯଥାର୍ଥ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ପଚାରିବାରୁ ସେ କହିଲେ ପୁରୀ ସମଗ୍ର ବିଶ୍ବରେ ପରିଚିତ। ଶାସ୍ତ୍ରୀୟ ମତ ଅନୁଯାୟୀ ଅଷ୍ଟପୁରୀ ମଧ୍ୟରୁ ପୁରୀ ଅନ୍ୟତମ। ତେଣୁ ଏହାର ନାମ ପରିବର୍ତ୍ତନ ପଛରେ କୌଣସି ବଳିଷ୍ଠ ଯୁକ୍ତିନଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।
ଅନ୍ୟପକ୍ଷରେ ପୁରୀ ନାମ ପରିବର୍ତ୍ତନ ଦାବି ସପକ୍ଷରେ ମତ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ ସହ ଶ୍ରୀଜଗନ୍ନାଥଙ୍କ ନାମ ଯୋଡ଼ାଗଲେ ବହୁତ ଭଲହେବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଧର୍ମେନ୍ଦ୍ର ପ୍ରତିଶ୍ରୁତି ଦେଇଛନ୍ତି। ପୁରୀ ନାମ ପରିବର୍ତ୍ତନ ପାଇଁ ଶ୍ରୀକ୍ଷେତ୍ର ସୂଚନା ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।



