www.samajalive.in
Sunday, December 14, 2025
26.1 C
Bhubaneswar

ତେହରିକ ଇ ଲାବାଇକ ପାକିସ୍ତାନର ୩୫୦ ସଦସ୍ୟଙ୍କୁ ମୁକ୍ତକଲେ ଇମ୍ରାନ ସରକାର

ଲାହୋର: ପାକିସ୍ତାନର ଇମ୍ରାନ ଖାଁ ସରକାର ତେହରିକ ଇ ଲାବାଇକ ପାକିସ୍ତାନ (ଟିଏଲପି)ର ଦାବି ଆଗରେ ମୁଣ୍ଡ ନୁଆଁଇ ଏହାର ୩୫୦ ଜଣ ସଦସ୍ୟଙ୍କୁ ମୁକ୍ତ କରିଛନ୍ତି । ଦେଶର ବିରୋଧୀ ଦଳଗୁଡିକ ଏହାକୁ ତୀବ୍ର ସମାଲୋଚନା କରିବା ସହିତ ଇମ୍ରାନ ସରକାର ଏହି ସଂଗଠନ ନିକଟରେ ସମ୍ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିଥିବା କହିଛନ୍ତି । ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ ରଶିଦ ଘୋଷଣା କରିଛନ୍ତି ଯେ ସୋମବାର ଦିନ ପାକିସ୍ତାନ ସରକାର ବେଆଇନ ଘୋଷିତ ମୌଳବାଦୀ ସଂଗଠନ ତେହରିକ ଇ ଲାବାଇକ ପାକିସ୍ତାନର ୩୫୦ ସଦସ୍ୟଙ୍କୁ ମୁକ୍ତ କରିଦେଇଛନ୍ତି । ଏହା ପୂର୍ବରୁ ଏହି ସଂଗଠନ ପକ୍ଷରୁ ତାହାର ଦଳର ମୁଖ୍ୟ ସାଦ ରିଜଭୀଙ୍କୁ ମୁକ୍ତ କରିବା ତଥା ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାକୁ ଦୁଇଦିନର ଚରମ ସମୟ ଦେଇଥିଲା । ପାକିସ୍ତାନ ଅନ୍ତର୍ଗତ ପଞ୍ଜାବର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଲାହୋରର ବିଭିନ୍ନ ଥାନାରେ ଅଟକ ରହିଥିବା ୩୫୦ ଟିଏଲପି ସଦସ୍ୟଙ୍କୁ ଛାଡି ଦିଆଯାଇଛି । ସେମାନଙ୍କୁ ଗତ ସପ୍ତାହରେ ଏକ ବିକ୍ଷୋଭ ସମୟରେ ଅଟକ ରଖାଯାଇଥିଲା । ସେମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଅଣାଯାଇନଥିଲା କିମ୍ବା ସେମାନଙ୍କୁ ଅଦାଲତରେ ହାଜର କରାଯାଇନଥିଲା ।
ଏହି ଘଟଣା ଘଟିବା ପରେ ଅଟକ ଥିବା ସଦସ୍ୟଙ୍କୁ ତୁରନ୍ତ ମୁକ୍ତ କରିବାକୁ ଟିଏଲପି ପକ୍ଷରୁ ପାକିସ୍ତାନ ସରକାରଙ୍କୁ ଚେତାବନୀ ଦିଆଯିବା ସହିତ ଦୁଇଦିନ ସମୟ ଦିଆଯାଇଥିଲା । ଏହି ଦାବିରେ ୧୦ ହଜାରରୁ ଅଧିକ ଇସଲାମୀୟ ମୌଳବାଦୀ ଲାହୋରକୁ ସଂଯୋଗ କରୁଥିବା ଜିଟି ରୋଡର ୩୫ କିଲୋମିଟରରୁ ୮୦ କିଲୋମିଟର ଅଂଶ ମଧ୍ୟରେ ଡେରା ପକାଇ ରହିଛନ୍ତି । ଅନ୍ୟପକ୍ଷରେ ଟିଏଲପିର ପ୍ରତିଷ୍ଠାତା ସ୍ୱର୍ଗତ ଖାଦିମ ରିଜଭୀଙ୍କ ପୁଅ ସାଦ ହୁସେନ ରିଜଭୀଙ୍କୁ ପଞ୍ଜାବ ପ୍ରାଦେଶିକ ସରକାର ଗତ ଏପ୍ରିଲ ମାସରୁ ସାଧାରଣରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଆଇନ (ଏମପିଓ) ବଳରେ ଅଟକ ରଖିଛନ୍ତି । ତାଙ୍କୁ ଛାଡିଦେବାକୁ ଟିଏଲପି ପକ୍ଷରୁ ଦାବି କରାଯାଇଛି । ଏହା ସହିତ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ଏବଂ ଉକ୍ତ ରାଷ୍ଟ୍ରରୁ ସମସ୍ତ ପ୍ରକାର ଆମଦାନୀ ଉପରେ ନିଷେଧାଦେଶ ଲାଗୁ କରିବାକୁ ଟିଏଲପି ସଦସ୍ୟମାନେ ଦାବି କରୁଛନ୍ତି । ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ପ୍ରସଙ୍ଗରେ ପାକିସ୍ତାନ ସରକାର ଜାତୀୟ ଆସେମ୍ବ୍ଲିର ଅଧିବେଶନ ଡକାଇଥିଲେ । ସେଥିରେ ଏ ସର୍ମ୍ପକରେ ମତଦାନ ପୂର୍ବରୁ ବାଚସ୍ପତି ଏ ସମ୍ପର୍କରେ ଆଲୋଚନା କରିବାକୁ ଏକ ସ୍ୱତନ୍ତ୍ର କମିଟି ଗଠନ ବିଷୟ ଘୋଷଣା କରିଥିଲେ । କିନ୍ତୁ ଏପ୍ରିଲ ଠାରୁ ଏହି କମିଟିର ବୈଠକ ବସିନାହିଁ । ଟିଏଲପିର ଅଟକ ଥିବା ସଦସ୍ୟମାନଙ୍କୁ ଛାଡି ଦିଆଯିବା ଘଟଣାକୁ ବିରୋଧୀ ଦଳଗୁଡିକ ସମାଲୋଚନା କରିବା ସହିତ ଏହା ଟିଏଲପି ନିକଟରେ ସରକାରଙ୍କର ସମ୍ପୂର୍ଣ୍ଣ ଆତ୍ମସମର୍ପଣ ବୋଲି କହିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories