www.samajalive.in
Saturday, December 6, 2025
23.1 C
Bhubaneswar

ଦେବାଳୟରେ ନାହିଁ ଗହଳି ; ଚଉରା ମୂଳରେ ହବିଷ୍ୟାଳୀଙ୍କ ପୂଜାର୍ଚ୍ଚନା

ସାରନଗରୀ : ବର୍ଷକ ବାର ମାସ ମଧ୍ୟରେ କାର୍ତିକକୁ ସର୍ବଶ୍ରେଷ୍ଠ ମାସ ରୂପେ ବିବେଚନା କରାଯାଏ । ଏହା ଏକ ଧାର୍ମିକ ମାସ । ଏହି ମାସ ମହିଳା ହବିଷ୍ୟାଳି ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅନୁଭୂତି ଆଣି ଦେଇଥାଏ । ହିନ୍ଦୁ ଶାସ୍ତ୍ର ମତ ଅନୁଯାୟୀ, ଧର୍ମର ମାସ କାର୍ତିକରେ ଅନେକ ଆମିଷ ଭକ୍ଷଣ ନକରିବା ସହିତ ହବିଷ୍ୟାଳି ମାନେ ସେମାନଙ୍କ ବ୍ରତ ନିଷ୍ଠାର ସହ ପାଳନ କରିଥାନ୍ତି । କାର୍ତିକ ପୁରାଣ ଘରେ ପାଠ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସ୍ୱାସ୍ଥ୍ୟର ସୁରକ୍ଷା ଓ ଆରୋଗ୍ୟ ପ୍ରାପ୍ତି ଲାଗି ଏହି ମାସରେ ପ୍ରତିଦିନ ସୂର୍ୟ୍ୟୋଦୟ ପୂର୍ବରୁ ସ୍ନାନ କରିବା ସହ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏହି ମାସଟି ଭଗବାନ ବିଷ୍ଣୁଙ୍କ ଲାଗି ସମର୍ପିତ ଅଟେ । ଏଣୁ ଏହି ମାସରେ ଶ୍ରଦ୍ଧାଳୁ ମାନେ ପ୍ରାତଃ ଓ ସନ୍ଧ୍ୟା କାଳରେ ତୁଳସୀ ମୂଳ ତଥା ଚଉରାରେ ଘୃତ ଦୀପ ପ୍ରଜ୍ଜଳନ କରିଥାନ୍ତି । ଭଗବାନଙ୍କୁ ଭୋଗ ସମର୍ପଣ କରିବା ସମୟରେ ତୁଳସୀ ଅର୍ପଣ କରିଥାନ୍ତି । ଭୋଜନରେ ନିରାମିଷ ଆହାର ଗ୍ରହଣ କରିଥାନ୍ତି । ବିଳାସପୂର୍ଣ୍ଣ ଜୀବନକୁ ପରିତ୍ୟାଗ କରି ଭୂମିରେ ଶୟନ କରି ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଲାଗି ପ୍ରାକୃତିକ ଧାରାରେ ଜୀବନ ବିତାଇଥାନ୍ତି । କାର୍ତିକ ମାସରେ ଚଉରା ମୂଳରେ ଚାରୋଟି ରଙ୍ଗର ମୁରୁଜରେ ଚିତା କରି ପୂଜା କରିଥାନ୍ତି ।
କାର୍ତିକ ମାସକୁ ଏଭଳି ପାଳନ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହି ଆସିଛି ।
ବଢି ଭୋରରୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ହବିଷ୍ୟାଳି ଓ ଅନ୍ୟ ଶ୍ରଦ୍ଧାଳୁ ମାନେ ସ୍ନାନ ସାରି ଅଂଚଳରେ ଥିବା ବିିଭିନ୍ନ ଶିବ ମନ୍ଦିର ଓ ଦେବାଳୟକୁ ଦେବ ଦର୍ଶନ ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା । ମାତ୍ର କୋଭିଡ଼ କଟକଣା ଯୋଗୁ ଅଧିକାଂଶ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଏତେଟା ଦେଖିବାକୁ ମିଳିନଥିଲା । ଦେଓଗାଁ ନିକଟ ଧବଳେଶ୍ୱର ମନ୍ଦିରରେ କୋଭିଡ଼ କଟକଣା ଲଗାଯାଇଥିବାରୁ ଶ୍ରଦ୍ଧାଳୁ ମାନେ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନରୁ ବଂଚିତ ହୋଇଥିବା ଜଣାପଡ଼ିଛି । ଭକ୍ତ ମାନେ କେବଳ ବେଢା ପରିକ୍ରମା କରି ଧୂପ, ଦୀପ ଲଗାଇ ପୂଜାର୍ଚ୍ଚନା କରିଥିଲେ । ସାରନଗରୀର ବିଭିନ୍ନ ଶିବ ମନ୍ଦିର, ‘ଇ’ ବ୍ଲକ ସ୍ଥିତ ଶିବ ମନ୍ଦିର, ସୁପର ମାର୍କେଟ ସ୍ଥିତ ରାମେଶ୍ୱର ମନ୍ଦିର,ନବକୃଷ୍ଣନଗର ସ୍ଥିତ ଶିବ ମନ୍ଦିର,ଫେଟ୍‌କଲ ନିକଟସ୍ଥ ଶିବ ମନ୍ଦିର, ଆନନ୍ଦ ବଜାର ସ୍ଥିତ ଆଖଣ୍ଡଳମଣି ମନ୍ଦିର, ଚିପ ଟାଇପ ମାର୍କେଟର ଆଖଣ୍ଡଳମଣି ମନ୍ଦିର, ରଙ୍ଗୋଲି ଛକ ନିକଟସ୍ଥ ଶିବ ମନ୍ଦିର, ଆଇଡ଼ିଏଲର ଶିବ ମନ୍ଦିର, ବାଲିଯୋଡ଼ି ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିରରେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଦେବ ଦର୍ଶନ ପାଇଁ ଯାଇଥିବା ଦେଖିବାକୁ ମିଳିଛି । ମନ୍ଦିରରେ ଭକ୍ତଙ୍କ ଏତେଟା ଗହଳି ନଥିବା କାରଣରୁ ମନ୍ଦିର ପାଶ୍ୱର୍ରେ ପୂଜା ଦୋକାନ କରିଥିବା ଦୋକାନୀ ମାନଙ୍କ ବ୍ୟବସାୟ ମଧ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷେ, ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଠାରୁ ଭିକ୍ଷା ଆଶାରେ ଅନାଇ ରହିଥିବା ଭିକ୍ଷୁକ ମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡିଥିବା ଦେଖିବାକୁ ମିଳିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories