କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି: ମନମୋହନ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆର୍ଥିକ ଓ ବୈଦେଶିକ ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ମନମୋହନ ସିଂହ। ବିଶେଷକରି ବିମୁଦ୍ରାୟନ ଓ ନିଯୁକ୍ତି ପ୍ରସଙ୍ଗରେ ଡ. ସିଂହ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଡ. ସିଂହ କହିଛନ୍ତି ଯେ ନିଯୁକ୍ତି ସମ୍ପର୍କିତ କେନ୍ଦ୍ର ସରକାରଙ୍କ ତଥ୍ୟ ସନ୍ଦେହଜନକ। ଅତିରଞ୍ଜିତ ତଥ୍ୟରେ ଲୋକମାନେ ପ୍ରଭାବିିତ ହେବେ ନାହିଁ। ବିମୁଦ୍ରାୟନ ପରେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‍ର ୯୯% ବିଭିନ୍ନ ମାଧ୍ୟମରେ ରିଜର୍ଭ ବ୍ୟାଙ୍କ ପାଖକୁ ଫେରି ଆସିଛି। ତେଣୁ ବିମୁଦ୍ରାକରଣ କେନ୍ଦ୍ର ସରକାରଙ୍କ ଏକ ବିଫଳ ପ୍ରୟାସ ବୋଲି ପ୍ରମାଣିତ ହୋଇଛି। ବିଦେଶରେ ଗଚ୍ଛିତ କଳାଧନ ଫେରାଇ ଆଣିବା ଲାଗି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ବିଫଳ ହୋଇଛି। ଜିଏସ୍‍ଟିର ତ୍ରୁଟିପୂର୍ଣ୍ଣ ରୂପାୟନ ଦ୍ୱାରା ଦେଶର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି। ମେକ୍‍ ଇନ୍‍ ଇଣ୍ଡିଆ ଓ ଷ୍ଟାଣ୍ଡ ଅପ୍‍ ଇଣ୍ଡିଆର କୌଣସି ପ୍ରଭାବ ଦେଶର ଶିଳ୍ପାୟନ ଉପରେ ଅନୁଭୂତ ହୋଇଥିବା ଜଣାପଡ଼ୁନାହିଁ। ଇଜ୍‍ ଅଫ୍‍ ଡୁଇଂ ବିଜିନେସ୍‍ ଯୋଜନାରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଉପକୃତ ହୋଇପାରିନାହାନ୍ତି।
ସେହିପରି ମୋଦି ସରକାରଙ୍କ ବୈଦେଶିକ ନୀତିକୁ ସମାଲୋଚନା କରି ଡ. ସିଂହ କହିଲେ ଯେ ବିଗତ ୪ ବର୍ଷ ମଧ୍ୟରେ ପଡ଼ୋଶୀ ରାଷ୍ଟ୍ର ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ଅବନତି ଘଟିଛି। ଦେଶର କଲ୍ୟାଣ ପାଇଁ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ସୃଜନାତ୍ମକ ଉପଯୋଗ କ୍ଷେତ୍ରରେ ଥିବା ସମସ୍ୟା ସମାଧାନ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ଦେଶର ଶୈକ୍ଷିକ ସ୍ୱାଧୀନତା ବିପନ୍ନ ହୋଇଛି। ବିଶ୍ୱବିଦ୍ୟାଳୟର ବାତାବରଣ ନଷ୍ଟ ହୋଇଛି। ଏହି ସବୁ କ୍ଷେତ୍ର ମୋଦି ସରକାରଙ୍କ ବିଭିନ୍ନ ନୀତିର ବିଫଳତାକୁ ଦର୍ଶାଉଛି। ଏହି ପ୍ରସଙ୍ଗରେ ଦେଶରେ ଏକ ବିତର୍କର ଆବଶ୍ୟକ ରହିଛି ବୋଲି ଡ. ସିଂହ କହିଛନ୍ତି।

Leave A Reply