ହରଭଙ୍ଗା: ମାନ ନିର୍ଦ୍ଧାରଣ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀନାରାୟଣ ନାଏକ ବୁଧୁବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣାଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟ ପରିଦର୍ଶନ କରିଥିବା ଜଣାପଡିଛି। ମୁଖ୍ୟ ଯନ୍ତ୍ରୀ ସେତୁ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିବା ସହିତ ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ କରିଥିଲେ। ଏହା ସହିତ ବାକିଥିବା ବ୍ରିଜ ସାଇଡ୍ ୱାଲ ଏବଂ ଆପ୍ରୋଚ ରୋଡ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷକରିବା ପାଇଁ ନିର୍ମାଣ ସଂସ୍ଥା ନିର୍ଦ୍ଦେଶକ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ କଥାବାର୍ତା କରିଥିଲେ।
ସୂଚନା ଥାଉ କି, ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ନିର୍ମାଣକାର୍ଯ୍ୟ ପାଇଁ ବିଶ୍ୱ ବ୍ୟାଙ୍କ ନାର୍ବାଡ ସହାୟତାରେ ୧୬୮କୋଟି ୯୧ ଲକ୍ଷ ଟଙ୍କା ଯୋଗାଇଦିଆଯାଇଥିଲା। ଡିସେମ୍ବର ୨୦୧୬ରୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ମାତ୍ର କରୋନା ଯୋଗୁଁ ସେତୁ ନିର୍ମାଣ କାର୍ଯ୍ୟରେ ଦୁଇବର୍ଷ ବିଳମ୍ବ ହୋଇଛି। ୮୭ ପିଲର ବିଶିଷ୍ଟ ସେତୁର ଲମ୍ବ ୩ କିଲୋମିଟର ୪୨୦ମିଟର ରହିଛି। ବର୍ତମାନ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବ୍ରିଜ ସାଇଡ ୱାଲ କାର୍ଯ୍ୟ ଏବଂ ଆଠମଲ୍ଲିକ ପଟର ଆପ୍ରୋଚ୍ ରୋଡ କାର୍ଯ୍ୟ ବାକି ରହିଛି। ଆସନ୍ତା ଡିସେମ୍ବର ସୁଦ୍ଧା ସେତୁ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଆଜି ମୁଖ୍ୟଯନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଫୁଲବାଣୀ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋଜ କୁମାର ତ୍ରୀପାଠି, ବୌଦ୍ଧ ପୂର୍ତବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶାନ୍ତନୁ ନାଏକ, ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ ପ୍ରମୁଖ ଉପସ୍ଥିତ ଥିଲେ।



