www.samajalive.in
Saturday, December 13, 2025
26.1 C
Bhubaneswar

ଦୁର୍ବଳ କୂଟନୀତି

ଆଫଗାନିସ୍ତାନରେ ତାଲିବାନକୁ ନେଇ ପାକିସ୍ତାନ ଭିନ୍ନଭିନ୍ନ ଚରିତ୍ର ଆପଣାଇଛି। ଆମେରିକା ସୈନ୍ୟ ଯିବା ପରେ ତାଲିବାନ ସରକାରକୁ ପାକିସ୍ତାନ ସମର୍ଥନ ଘୋଷଣା କରିବା ସହ ଦେଶର ଗୁପ୍ତଚର ସଂସ୍ଥା ଆଇଏସଆଇ ମୁଖ୍ୟକୁ କାବୁଲ ପଠାଇ ଥିଲା। ଏବେ ବି ଆଇଏସଆଇ ମୁଖ୍ୟ କାବୁଲରେ ରହି ଆଫଗାନିସ୍ତାନର ଦୁଇ ଆତଙ୍କବାଦୀ ସଂଗଠନ ହକ୍କାନୀ ନେଟୱର୍କ ଓ ତାଲିବାନ ସହ ବୁଝାମଣା ଚଳାଇଛି। ସମୁଦାୟ ଆଫଗାନିସ୍ତାନ ସମସ୍ୟା ପାଇଁ ଆମେରିକା ଦାୟୀ ବୋଲି ପାକିସ୍ତାନ କହୁଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦୈନିକ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସମାଲୋଚନା କରି ଆସୁଛନ୍ତି। ପାକିସ୍ତାନର ଏପରି ଚରିତ୍ରକୁ ନେଇ ଆମେରିକା ବିସ୍ମିତ ପ୍ରକାଶ କରିଛି। ପାକିସ୍ତାନ ଏପରି ଖୋଲାଖୋଲି ତାଲିବାନକୁ ସମର୍ଥନ କରିବ ବୋଲି ଆମେରିକା ଆଶା ରଖି ନଥିଲା। ଏହି ପ୍ରସଙ୍ଗରେ ଉଭୟ ପାକିସ୍ତାନ ଓ ଭାରତକୁ ସମାନ ଚକ୍ଷୁରେ ଦେଖିବା ପାଇଁ ବାଇଡେନ ଚାହୁଁଥିଲେ। ତେ‌େ‌ବ ପାକିସ୍ତାନର ଏପରି ତାଲିବାନ ପ୍ରୀତି ଦକ୍ଷିଣ ଏସିଆରେ ଆଇଏସଆଇଏସ ଓ ଅଲକାଏଦା ପରି ଏକାଧିକ ଆତଙ୍କବାଦୀ ସଙ୍ଗଠନକୁ ଉତ୍ସାହ ଯୋଗାଇପାରେ। ଏପେଟ ଖୋଲାଖୋଲି ପାକିସ୍ତାନ ତାଲିବାନକୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଥିଲେ ହେଁ ଆମେରିକା କୌଣସି ପଦକ୍ଷେପ ନେଉ ନାହିଁ। ଜାତିସଂଘର ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସମୟରେ ଆଶା କରାଯାଉଥିଲା ଆମେରିକା ରାଷ୍ଟ୍ରପତି ସିଧା ସଳଖ ପାକିସ୍ତାନକୁ ଦାୟୀ କରିବେ ା ଆଫଗାନିସ୍ତାନ ସମସ୍ୟାର ମୂଳ ପାକିସ୍ତାନ ବୋଲି ବାଇଡେନ ଏଯାଏ ହୃଦୟଙ୍ଗମ କରି ନାହାନ୍ତି। ତେଣୁ ସିଧା ସଳଖ ସେ ପାକିସ୍ତାନ ଅଥବା ସେଠାକାର ପ୍ରଧାନମନ୍ତ୍ରୀଙ୍କୁ ଆଫଗାନିସ୍ତାନ ସମସ୍ୟା ପାଇଁ ଦାୟୀ କରୁ ନାହାନ୍ତି। ଭାରତ ସହ ଏକତ୍ର ହୋଇ ଆଫଗାନିସ୍ତାନ ସମସ୍ୟା ସମାଧାନ କରିବା ପାଇଁ ଆମେରିକା ଅରାଜି ଥିବା ଏଥିରୁ ଜଣାପଡ଼ୁଛି। ଅନ୍ୟପଟେ ଭାରତ ମଧ୍ୟ ସମାନ ନୀତି ଆପଣାଇ ଥିବା ଦେଖା ଯାଉଛି। ଜାତିସଂଘ ସାଧାରଣ ଅଧିବେଶନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନର ନାମ ନ ନେଇ ଏକ ପଡ଼ୋଶୀ ଦେଶ ଦକ୍ଷିଣ ଏସିଆରେ ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ସାହାଯ୍ୟ କରୁଥିବା କହିଥିଲେ। ସ୍ବାଧୀନତା ପରଠାରୁ ଏଯାଏ ଦୀର୍ଘ ୭୦ ରୁ ଊର୍ଦ୍ଧ୍ବ ସମୟ ଧରି ଭାରତ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁଛି। ସେଠାକାର ଆତଙ୍କବାଦୀ ଓ ସେନା ଭାରତରେ ଅସ୍ଥିରତା ପାଇଁ ସର୍ବଦା ଉଦ୍ୟମ ରତ। ମୁମ୍ବଇ ଆକ୍ରମଣ ହେଉ ବା କାରଗିଲ ଯୁଦ୍ଧ; ସବୁଠି ପାକିସ୍ତାନର ହାତ ରହିଛି ବୋଲି ଭାରତ ତଥା ସମଗ୍ର ବିଶ୍ବ ଅବଗତ। ଏପରିସ୍ଥିତିରେ ପାକିସ୍ତାନର କାରନାମାକୁ ବିଶ୍ବବାସୀଙ୍କ ସମ୍ମୁଖରେ ରଖିବା ଭାରତର ଦାୟିତ୍ବ। ତେବେ ଆମେରିକା ପରି ଭାରତ ମଧ୍ୟ ସିଧାସଳଖ ପାକିସ୍ତାନ ନାମ ନେଉ ନାହିଁ। ପାକିସ୍ତାନ ପ୍ରେରିତ ଆତଙ୍କବାଦୀଙ୍କ ଦ୍ବାରା ଭାରତ ଦୈନିକ ଧନ, ଜୀବନ ହରାଉଛି। ଏଥିରେ ଆମେରିକାର କିଛି ନଷ୍ଟ ହେଉନି। ଆତଙ୍କବାଦକୁ ପ୍ରେତ୍ସାହନ ଯୋଗାଉଥିବା ଏକ ଦେଶର ମୁଖା ଖୋଲିବା ଆବଶ୍ୟକ ବୋଲି ଭାରତ ଜାଣିବା ଉଚିତ୍‌।
ଚଳିତ ମାସ ୨୫ ତାରିଖ ଆମେରିକା-ଭାରତ ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଥିଲା, କୌଣସି ଦେଶ ଆତଙ୍କବାଦୀଙ୍କ ପାଇଁ ନିଜ ଭୂମି ଯୋଗାଇ ଦେବା ଉଚିତ୍‌ ନୁହେଁ। ସେହିପରି ଜାତିସଂଘ ସାଧାରଣ ଅଧିବେଶନରେ ମଧ୍ୟ ଭାରତ କିମ୍ବା ଆମେରିକା ସିଧାସଳଖ ପାକିସ୍ତାନର ନାମ ନେଇ ନଥିଲେ। ପାକିସ୍ତାନ ୨୦୦୮ ମୁମ୍ବଇ ଆକ୍ରମଣର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତବର୍ଷ ଜାତିସଂଘ ସାଧାରଣ ଅଧିବେଶନରେ ମୋଦୀ ଦାବି କରିଥିଲେ। ଏହି ଦାବି ଏପର୍ଯ୍ୟନ୍ତ ପାକିସ୍ତାନ କାର୍ଯ୍ୟକାରୀ କରି ନାହିଁ ା ତେଣୁ ମୋଦୀ ପୁନଃ ଏହି ପ୍ରସଙ୍ଗ ଉଠାଇ ପାରନ୍ତି ବୋଲି ଆଶା କରାଯାଉଥିଲା। ବିଶ୍ବର ଉନ୍ନତି ପାଇଁ ଭାରତ-ଆମେରିକା ସମ୍ପର୍କ ସୁଦୃଢ ହେବା ଜରୁରୀ ବୋଲି ମିଳିତ ବିବୃତିରେ କୁହାଯାଇଥିଲା। ବିଶ୍ବରେ ଆତଙ୍କବାଦୀ ଓ ସେମାନଙ୍କ ସଙ୍ଗଠନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ-ଆମେରିକା ମିଳିତ ବିବୃତିରେ ପ୍ରକାଶ କରିଥିଲେ ା ବିଶ୍ବ ଆତଙ୍କବାଦର ଉଦ୍‌ଗମ ସ୍ଥଳ ହେଉଛି ପାକିସ୍ତାନ। ଏକଥା ଉଭୟ ଭାରତ ଓ ଆମେରିକା ଜାଣିଛନ୍ତି। ୯/୧୧ ବିଶ୍ବ ବାଣିଜ୍ୟ ସଙ୍ଗଠନକୁ ଉଡ଼ାଇବାର ମୁଖ୍ୟ ଅଭିଯୁକ୍ତ ତଥା ଅଲକାଏଦା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ଓସମା ବିନ୍‌ ଲାଦେନ ପାକିସ୍ତାନର ଅବୋଟାବାଦ ସହରରେ ଥିବା ସେନା ଶିବିର ନିକଟରେ ଏକ କୋଠା ମଧ୍ୟରେ ଲୁଚିଥିଲା। ଆମେରିକୀୟ ସୈନ୍ୟମାନେ ତାକୁ ଯୋଜନାବଦ୍ଧ ହତ୍ୟା କରିଥିଲେ। ଅର୍ଥ ପାଇବା ପାଇଁ ଆମେରିକାକୁ ପ୍ରହେଳିକା ମଧ୍ୟରେ ରଖି ପାକିସ୍ତାନ ଦୀର୍ଘଦିନ ଧରି ଲାଦେନକୁ ନିଜ ସେନା ଶିବିରଠାରେ ଲୁଚାଇ ରଖିବାରେ ସମର୍ଥ ହୋଇଥିଲା। ଏକଥା ଉଭୟ ଭାରତ ଓ ଆମେରିକା ଜାଣିଛନ୍ତି। ଏସବୁ ସତ୍ତ୍ବେ କେଉଁଥି ପାଇଁ ଉଭୟ ଦେଶ ସିଧାସଳଖ ପାକିସ୍ତାନ ନାମ ନନେଇ ଇସାରାର ସାହାଯ୍ୟ ନେଉଛନ୍ତି ତାହା ବୁଝି ହେଉ ନାହିଁ। ଆତଙ୍କବାଦ ପ୍ରୋତ୍ସାହନ ପ୍ରସଙ୍ଗରେ ଆମେରିକା ସିଧାସଳଖ ପାକିସ୍ତାନ ନାମ ନନେବା ଭାରତ ପାଇଁ କୂଟନୈତିକ ବିଫଳତା ବୋଲି ବିଚାର କରାଯାଉଛି। ଦେଶ ସ୍ବାଧୀନତା ଲାଭ କରିବା ପରଠାରୁ ୨୦୦୦ ମସିହା ପର୍ଯ୍ୟନ୍ତ ଆମେ ଆତଙ୍କବାଦ ସଂକ୍ରାନ୍ତରେ ଚିତ୍କାର କରି ଆସୁଥିଲେ ହେଁ ବିଶ୍ବବାସୀ ତାହାକୁ ହେୟଜ୍ଞାନ କରି ଆସୁଥିଲେ। ଆମେରିକାର ନ୍ୟୁୟର୍କସ୍ଥିତ ବିଶ୍ବ ବାଣିଜ୍ୟ ସଙ୍ଗଠନ ଉପରେ ଅଲକାଏଦା ଆତଙ୍କବାଦୀ ସଂଗଠନର ଆକ୍ରମଣ ସମଗ୍ର ବିଶ୍ବବାସୀଙ୍କୁ ଥରାଇ ଦେଇଥିଲା। ତାପୂର୍ବରୁ ଆମେ ଯେତେବି ଆତଙ୍କବାଦ ସଂକ୍ରାନ୍ତରେ କହିଛନ୍ତି ତାହାକୁ ସମସ୍ତେ ଏଡ଼ାଇ ଯାଇଛନ୍ତି। ବିଶ୍ବରୁ ଆତଙ୍କବାଦର ମୂଳ ଉପାଡ଼ିବାକୁ ହେଲେ ଆମକୁ ଏହାର ଜନ୍ମଦାତା ସଂକ୍ରାନ୍ତରେ ସମସ୍ତଙ୍କୁ ଅବଗତ କରାଇବାକୁ ପଡ଼ିବ। ଏବେ ଇସାରା ଇସାରାରେ କହିବା ସମୟ ଆଉ ନାହିଁ। କୂଟନୀତିକୁ ଶାଣିତ କରିବା ସହ ଆତଙ୍କବାଦ ପାଇଁ ସିଧାସଳଖ ପାକିସ୍ତାନକୁ ଦାୟୀ କରାଯିବା ଆବଶ୍ୟକ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories