ବୁର୍ଲା ଭିସୁଟରେ ରାଗିଙ୍ଗ: ମୋବାଇଲ ନ ଦେବାରୁ ୪ର୍ଥ ବର୍ଷ ଛାତ୍ରଙ୍କ ମାଡ଼ରେ ୩ୟ ବର୍ଷ ଛାତ୍ର ଆହତ

ଜଣେ ଛାତ୍ରକୁ ୧୮ ଜଣ ଛାତ୍ରଙ୍କ ମାଡ଼, ଦେହର ବିଭିନ୍ନ ଅଂଶରେ ରକ୍ତ ଜମାଟ ଚିହ୍ନଟ

ବୁର୍ଲା: ବୁର୍ଲା ଭିସୁଟରେ ଜଣେ ତୃତୀୟବର୍ଷର ପ୍ରଡ଼କ୍ସନ ଇଞ୍ଜିନିୟରିଙ୍ଗ ଛାତ୍ରଙ୍କୁ ର‍୍ୟାଗିଙ୍ଗ କରାଯିବା ପରି ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପିଡ଼ିତ ଛାତ୍ରଙ୍କ ପିତାମାତା ବୁର୍ଲା ଭିସୁଟରେ ପହଞ୍ଚିଛନ୍ତି। ଏହା ସହିତ ଏହି ର‍୍ୟାଗିଙ୍ଗ ଘଟଣାକୁ ନେଇ ଭିସୁଟର ଛାତ୍ର କଲ୍ୟାଣ ଡ଼ିନ ଠାରେ ଏହାକୁ ନେଇ ଆଲୋଚନା ହୋଇଥିଲା। ପୁଲହ ଛାତ୍ରାବାସରେ ବିଳମ୍ବିତ ରାତି ୧୧ଟା ୩୦ ମିନିଟ ସମୟରେ ଏହି ର‍୍ୟାଗିଙ୍ଗ ଘଟଣା ଘଟିତ ହୋଇଥିବା ବେଳେ ର‍୍ୟାଗିଙ୍ଗ ଶୀକାର ହୋଇଥିବା ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ପୁଲହ ଛାତ୍ରାବାସରେ ଉକ୍ତ ର‍୍ୟାଗିଙ୍ଗ ପିଡ଼ିତ ଛାତ୍ର ରହିଥିବା ବେଳେ ସେହି ଛାତ୍ରାବାସରରେ ଉକ୍ତ ବରିଷ୍ଠ ଛାତ୍ରମାନେ ମଧ୍ୟ ରହିଥିଲେ। ଏପରିକି ର‍୍ୟାଗିଙ୍ଗ କରିଥିବା କେତେକ ବରିଷ୍ଠ ଛାତ୍ରଙ୍କ ବ୍ୟାକ ଲାଗିଥିବା ମଧ୍ୟ ଜଣାପଡ଼ିଛି।

ସୁଚନା ମୁତାବକ ଗତକାଲି ଉକ୍ତ ତୃତୀୟ ବର୍ଷ ର‍୍ୟାଗିଙ୍ଗରେ ଆହତ ଛାତ୍ରଙ୍କୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ପ୍ରେରିତ କରାଯାଇ ଭର୍ତ୍ତି କରାଯାଇ ଥିଲା ଏବଂ ତାଙ୍କୁ ଗତକାଲି ମେଡ଼ିକାଲରେ ଭର୍ତ୍ତି କରାଯାଇ ସାଲାଇନ ମଧ୍ୟ ଦିଆ ଯାଇଥିବା ସହିତ ଏକ୍ସରେ ଠାରୁ ସିଟି ସ୍କାନିଙ୍ଗ ପରୀକ୍ଷା ମଧ୍ୟ କରଯାଇଥିବା ଜାଣିବାକୁ ମିଳିଛି। ଏହି ର‍୍ୟାଗିଙ୍ଗ ଘଟଣାରେ ଭିସୁଟର ଚତୁର୍ଥ ବର୍ଷର ବ୍ୟାକ ଲାଗିଥିବା ପ୍ରାୟ ୧୮ ଜଣ ଛାତ୍ର ଉକ୍ତ ତୃତୀୟ ବର୍ଷ ଛାତ୍ରଙ୍କୁ ମୋବାଇଲ ମାଗିଥିଲେ। ମୋବାଇଲ ନ ଦେବାରୁ ଉକ୍ତ ଛାତ୍ରମାନେ ତୃତୀୟ ବର୍ଷର ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ଉକ୍ତ ଛାତ୍ରଙ୍କ ମୁହଁ, ଆଖିତଳ, କାନମୁଣ୍ଡା, ବେକ, ହାତ, ମୁଣ୍ଡପଛ ପାଖ, ପିଠି ପଛ, ଛାତି ତଥା ଶରୀରର ଅନ୍ୟାନ୍ୟ ସ୍ତାନରେ କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏପରିକି କେତେକ ସ୍ତାନରେ ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଛି।

୧୮ ଜଣ ଛାତ୍ର ତାଙ୍କୁ ମାଡ଼ ମାରିଥିବା ଛାତ୍ରଜଣକ ତଥା ତାଙ୍କ ଅଭିଭାବକ ପ୍ରକାଶ କରିଥିଲେ। ଗଣମାଧ୍ୟମକୁ କିଛି କହିବାକୁ ଭିସୁଟ କର୍ତ୍ତୃପକ୍ଷ ଏବଂ ଛାତ୍ରଙ୍କ ଅଭିଭାବକ ମନା କରି ଦେଇଛନ୍ତି। ଏହି ଘଟଣାକୁ ନେଇ ଛାତ୍ରକଲ୍ୟାଣ ଡ଼ିନ ପ୍ରଫେସର ଶୁଭ୍ରାଂଶୁ ଶେଖର ଦାସଙ୍କୁ ଯୋଗାଯୋଗ କରାଯିବା ଫଳରେ ଘଟଣାକୁ ନେଇ ଆଲୋଚନା ହୋଇଥିବା ସ୍ୱୀକାର କରିଥିଲେ। ଏପରିକି ଛାତ୍ର ତଥା ଅଭିଭାବକଙ୍କ ଅଭିଯୋଗ ମୁତାବକ ଉକ୍ତ ର‍୍ୟାଗିଙ୍ଗ କରିଥିବା ଛାତ୍ର ମାନଙ୍କ ଅଭିଭାବକଙ୍କୁ ଡ଼କା ଯାଇଥିବା ସୁଚନା ଦେବା ସହିତ ଏହାପରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଟିରେ ନିଷ୍ପତ୍ତି ନିଆଯିବ ବୋଲି ସୁଚନା ଦେଇଛନ୍ତି। ଭିସୁଟର କୁଳପତି ପ୍ରଫେସର ବଂଶୀଧର ମାଝୀ ଘଟଣାକୁ ନେଇ ଏକ ଶୃଙ୍ଖଳା କମିଟି ଆସନ୍ତାକାଲି ବସିବା ପରେ ଏହି ସଂକ୍ରାନ୍ତରେ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଚନା ଦେଇଛନ୍ତି। ପୁର୍ବରୁ ମଧ୍ୟ କିଛିଦିନ ତଳେ ଏଭଳି ଏକ ଛାତ୍ରଙ୍କୁ ଭିସୁଟରେ ର‍୍ୟାଗିଙ୍ଗ ହେବା ଘଟଣା ଲୋକଲୋଚନକୁ ଆସିଥିବା ବେଳେ ପୁର୍ବରୁ ମଧ୍ୟ ଭିସୁଟରେ ର‍୍ୟାଗିଙ୍ଗ ଘଟଣା ଘଟିଥିବା ଏବଂ ର‍୍ୟାଗିଙ୍ଗରେ ସମ୍ପୃକ୍ତ ଛାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଫାଇନ ମଧ୍ୟ ଲଗା ଯାଇଥିବାର ଦୃଷ୍ଟାନ୍ତ ରହିଛି। ତେବେ ଆଗକୁ ଏହି ର‍୍ୟାଗିଙ୍ଗ ଘଟଣା କି ମୋଡ଼ ନେବ ଦେଖିବାକୁ ବାକି ରହିଲା।

Comments are closed.