ମୁଜାଫରନଗର ଚାଷୀ ମହାପଞ୍ଚାୟତରୁ ସଙ୍କେତ ମିଳିଛି ଯେ କୃଷକ ଆନ୍ଦୋଳନ କେବଳ କୃଷି ଆଇନ ପ୍ରତ୍ୟାହାର ଦାବି ଭିତରେ ସୀମିତ ରହିନାହିଁ
ନିକଟରେ ଉତ୍ତର ପ୍ରଦେଶର ମୁଜାଫରନଗରରେ ଅନୁଷ୍ଠିତ ଚାଷୀଙ୍କ ବିଶାଳ ମହାପଞ୍ଚାୟତ କୃଷକଙ୍କ ଏକତାକୁ ପୁନଃରେଖାଙ୍କିତ କରିଛି। ଅନେକ ଥର କୁହାଯାଇଥିଲା ଯେ କୃଷକ ଆନ୍ଦୋଳନ ଶେଷ ହୋଇଯାଇଛି ଓ କେବଳ କେତେକ ଚାଷୀ ନେତା ନିଜ ରାଜନୀତି ପାଇଁ ରାସ୍ତା ଅବରୋଧ କରି ବସିଛନ୍ତି; କିନ୍ତୁ ମୁଜାଫରନଗରରେ ସମଗ୍ର ଦେଶରୁ ଲକ୍ଷଲକ୍ଷ ଚାଷୀଙ୍କ ସମାବେଶ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ମହାପଞ୍ଚାୟତରେ କେବଳ ଉତ୍ତର ପ୍ରଦେଶ ଓ ହରିୟାଣା ନୁହେଁ, ବରଂ ପଞ୍ଜାବ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟର ଚାଷୀମାନେ ଯୋଗ ଦେଇଥିବା ଦେଖାଯାଇଛି। ଏଥିରୁ ସ୍ପଷ୍ଟ ଯେ ବିବାଦୀୟ ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ଏବେ ମଧ୍ୟ ଏକତାବଦ୍ଧ ଅଛନ୍ତି। ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟଗୁଡ଼ିକରେ ଯେଉଁ ଚାଷୀ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା, ସେଥିରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା। ଏହାକୁ କେହିକେହି ଚାଷୀଙ୍କର ଶକ୍ତି ପ୍ରଦର୍ଶନ ରୂପେ ଦେଖୁଛନ୍ତି। ଚାଷୀମାନେ ୨୭ ସେପ୍ଟେମ୍ବରରେ ଭାରତ ବନ୍ଦ ଆୟୋଜନ ପାଇଁ ଘୋଷଣା କରିଛନ୍ତି, ଯାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହାକୁ କେବଳ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ନୁହେଁ, ବରଂ ଏହାର ଅନ୍ୟ ଆଭିମୁଖ୍ୟ ମଧ୍ୟ ରହିଥିବା ନେଇ ଆଲୋଚନା ଜୋର୍ ଧରିଛି। ଏଥର ମହାପଞ୍ଚାୟତରୁ ସଙ୍କେତ ମିଳିଛି ଯେ କୃଷକ ଆନ୍ଦୋଳନ କେବଳ କୃଷି ଆଇନକୁ ପ୍ରତ୍ୟାହାର ଦାବି ଭିତରେ ଆଉ ସୀମିତ ହୋଇ ରହିନାହିଁ। ଚାଷୀନେତାମାନେ ଏବେ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ସିଧାସଳଖ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନ ଯେ ରାଜନୈତିକ, ତାହା ବୁଝିବା କଷ୍ଟକର ନୁହେଁ।
ଏଥର ମୁଜାଫରନଗରକୁ ଚାଷୀଙ୍କ ବିଶାଳ ମହାପଞ୍ଚାୟତ ପାଇଁ ବାଛିବା ମଧ୍ୟ ରାଜନୈତିକ ଦୃଷ୍ଟିରୁ କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ। ପଶ୍ଚିମ ଉତ୍ତର ପ୍ରଦେଶ ହେଉଛି ଜାଠ୍ବହୁଳ ଏବଂ ଏଠାକାର ଅଧିକାଂଶ ଲୋକ ଚାଷୀ। ଏମାନେ ପଞ୍ଜାବର ଶିଖ୍ ଚାଷୀଙ୍କ ସହ ମିଶି କୃଷକ ଆନ୍ଦୋଳନର ପୁରୋଭାଗରେ ରହିଆସିଛନ୍ତି। ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତଙ୍କ ଘର ମଧ୍ୟ ପଶ୍ଚିମ ଉତ୍ତର ପ୍ରଦେଶରେ, ଯିଏ ଅତୀତରେ ଅଳ୍ପ କାଳ ରାଜନୀତିରେ ରହିଥିଲେ; କିନ୍ତୁ ନିଷ୍କ୍ରିୟ ହୋଇପଡ଼ିଥିଲେ। କୃଷକ ଆନ୍ଦୋଳନ ଶ୍ରୀ ଟିକାୟତଙ୍କୁ ପୁଣି ଥରେ ଲୋକଙ୍କ ନେତୃତ୍ବ ନେବାର ସୁଯୋଗ ସୃଷ୍ଟି କରିଛି। ତାଙ୍କ ପିତା ମଧ୍ୟ ଜଣେ ପ୍ରମୁଖ କୃଷକ ନେତା ଥିଲେ। ମୁଜାଫରନଗର ହେଉଛି ସେହି ସ୍ଥାନ, ଯେଉଁଠି ୨୦୧୩ରେ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା, ଯାହା ଭାରତୀୟ ଜନତା ପାର୍ଟି (ବିଜେପି)କୁ ରାଜନୈତିକ ଫାଇଦା ଦେଇଥିବା କୁହାଯାଏ।
ହୁଏତ ଏହି କାରଣରୁ କୃଷକ ସଂଗଠନଗୁଡ଼ିକର ମହାପଞ୍ଚାୟତ ନିମନ୍ତେ ଏହି ସ୍ଥାନକୁ ମନୋନୀତ କରାଯାଇଥିଲା। ତେଣୁ ଏହା ପ୍ରାୟ ସ୍ପଷ୍ଟ ଯେ କୃଷକ ଆନ୍ଦୋଳନର ନେତୃତ୍ବର ଦୃଷ୍ଟି କେବଳ କୃଷି ଆଇନର ପ୍ରତ୍ୟାହାର ଉପରେ ନୁହେଁ, ବରଂ ଆଗାମୀ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ଉପରେ ରହିଛି। ଉତ୍ତର ପ୍ରଦେଶରେ ବିଜେପିର ସାମାଜିକ ପ୍ରଭାବକୁ ଉଭୟ କୃଷକ ସଂଘ ଓ ଅଣ-ବିଜେପି ବିରୋଧୀ ଦଳଗୁଡ଼ିକ ଏହି ଆନ୍ଦୋଳନ ମାଧ୍ୟମରେ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଏକ ହିସାବ ଅନୁଯାୟୀ, ଯଦି ପଶ୍ଚିମ ଉତ୍ତର ପ୍ରଦେଶରେ ଜାଠ୍ ଓ ମୁସଲମାନ ଭୋଟକୁ ବିଭାଜିତ କରିଦିଆଯାଏ, ତେବେ ତା’ର ପ୍ରଭାବ ଅନ୍ତତଃ ୨୪ଟି ବିଧାନସଭା ଆସନ ଉପରେ ପଡ଼ିବ। ତେବେ ନିର୍ବାଚନ ବହୁ ଦିନ ବାକି ଥିବାବେଳେ ଏବେଠାରୁ ସେ ସମ୍ପର୍କରେ କିଛି ନିଶ୍ଚିତ କରି କହିବା ଠିକ୍ ନୁହେଁ। ତେବେ ମୁଜାଫରନଗର ମହାପଞ୍ଚାୟତରେ କୃଷକ ଓ ଅନ୍ୟ ସଂଗଠିତ କ୍ଷେତ୍ରର କର୍ମଜୀବୀଙ୍କୁ ଯେପରି ଏକାଠି ଯୋଡ଼ିବାର ପ୍ରୟାସ କରାଯାଇଛି ଏବଂ ସରକାରୀ ସଂପତ୍ତିର ମୁଦ୍ରାୟନ ଓ ଘରୋଇକରଣ ବିରୋଧୀ ମତ ତିଆରି କରାଯାଇଛି, ତାହା ଶାସକ ଦଳ ପାଇଁ ଅଡୁଆ ସୃଷ୍ଟି କରିପାରେ।
କୃଷି ଆଇନକୁ କୃଷକହିତୈଷୀ ଭାବେ ଉପସ୍ଥାପନ କରିବାପାଇଁ ସରକାର ବିଜ୍ଞାପନ ଓ ପ୍ରଚାର ଅଭିଯାନରେ ପ୍ରଚୁର ଟଙ୍କା ଖର୍ଚ୍ଚ କରିଆସିଥିବାବେଳେ ଚାଷୀମାନଙ୍କୁ ଏ ପର୍ଯ୍ୟନ୍ତ ଏହି ଆଇନର ଉପକାରିତା ବୁଝାଇ ନପାରିବା ଏବଂ ଆନ୍ଦୋଳନରୁ ବିରତ କରି ନପାରିବା ବିଡ଼ମ୍ବନାର ବିଷୟ। ଏହା ସତ୍ୟ ଯେ ସରକାର କୃଷକ ନେତାଙ୍କୁ ୧୧ ଥର ଡାକି ବୈଠକ କରିଛନ୍ତି; କିନ୍ତୁ ତାହା ନିଷ୍ଫଳ ପ୍ରମାଣିତ ହୋଇଛି। ତେଣୁ ଏସବୁ ବୈଠକର କିଛି ଅର୍ଥ ନାହିଁ। କୃଷକ ନେତାମାନେ ମଧ୍ୟ ସରକାରଙ୍କ ପାଖରେ ତାଙ୍କର ବାସ୍ତବ ସମସ୍ୟା ଉପସ୍ଥାପନ କରିବା ଆବଶ୍ୟକ। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଆଲୋଚନା କଲେ ସମସ୍ୟାର ସମାଧାନ ହେବ ନାହିଁ। ଏ କ୍ଷେତ୍ରରେ ଉଭୟ ପକ୍ଷର ଜିଦ୍ ଅବାଞ୍ଛନୀୟ।


