www.samajalive.in
Saturday, December 13, 2025
26.1 C
Bhubaneswar

କାବୁଲ ବିସ୍ଫୋରଣକାରୀଙ୍କୁ ବାଇଡେନଙ୍କ ଚେତାବନୀ- ଖୋଜି ଖୋଜି ମାରିବୁ

ୱାଶିଂଟନ/କାବୁଲ: ଗୁରୁବାର କାବୁଲ ବିମାନ ବନ୍ଦର ବାହାରେ ଘଟିଥିବା ଭୟାନକ ବିସ୍ଫୋରଣରେ ପ୍ରାୟ ୯୦ରୁ ଅଧିକ ଆଫଗାନିସ୍ତାନ ସାଧାରଣ ନାଗରିକ ଏବଂ ୧୩ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଛନ୍ତି। ଏଥିସହିତ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏହି ବିସ୍ଫୋରଣ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଏଭଳି ଆକ୍ରମଣର କଡା ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସଂପ୍ରତି ଦେଶ, ବିଦେଶରେ ବ୍ୟାପକ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ଆଫଗାନ ପ୍ରସଙ୍ଗକୁ ଆମେରିକା ଯେଉଁଭଳି ପରିଚାଳନା କରୁଛି ତାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ ରାଷ୍ଟ୍ରର ନେତୃବୃନ୍ଦ ଏବଂ ସାଧାରଣ ଜନତା। ତେବେ କାବୁଲ ବିସ୍ଫୋରଣ ପରେ ମୁହଁ ଖୋଲିଛନ୍ତି ବାଇଡେନ। ରାଷ୍ଟ୍ରପତି କହିଛନ୍ତି, ଯେଉଁମାନେ ଏଭଳି ଭୟାନକ ବିସ୍ପୋରଣ ଘଟାଇଛନ୍ତି ଏବଂ ଯେଉଁମାନେ ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି, ସେମାନେ ଏକଥା ମନେରଖିବାକୁ ହେବ ଯେ ଆମେରିକା ତାହା ଭୁଲିଯିବ ନାହିଁ। ସେମାନଙ୍କୁ ଖୋଜି ଖୋଜି ନିପାତ କରିବ ଏବଂ ସେମାନଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ହେବ। ଅନ୍ୟପକ୍ଷରେ କାବୁଲରୁ ଆମେରିକୀୟ ସୈନ୍ୟ ଅଗଷ୍ଟ ୩୧ ସୁଦ୍ଧା ପ୍ରତ୍ୟାହାର କରାଯିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ହ୍ୱାଇଟ ହାଉସରୁ ଶୋକବାର୍ତ୍ତା ଦେଇ ବାଇଡେନ କହିଛନ୍ତି, ନିହତ ଆମେରିକୀୟ ସୈନ୍ୟ ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରୁ ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରଚେଷ୍ଟାରେ ସହିଦ ହୋଇଛନ୍ତି। ସେମାନଙ୍କର ବୀରତ୍ୱ ପାଇଁ ସେମାନେ ଚିରସ୍ମରଣୀୟ ହୋଇ ରହିବେ। ବିସ୍ଫୋରଣ ସତ୍ତେ୍ୱ ଆମେରିକା ଆତଙ୍କ ନିକଟରେ ହାର ମାନିବ ନାହିଁ। ସେଠାରୁ ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିବ ଏବଂ ଆମେରିକୀୟ ସୈନ୍ୟ ସେଠାରୁ ଅଗଷ୍ଟ ୩୧ ସୁଦ୍ଧା ସ୍ୱଦେଶ ଫେରିବେ।
ସୂଚନାଯୋଗ୍ୟ ଯେ ଗୁରୁବାର ବିସ୍ଫୋରଣ ପୂର୍ବରୁ ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଆଫଗାନ ନାଗରିକମାନଙ୍କୁ ବିମାନ ବନ୍ଦର ଫାଟକଠାରୂ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ସେଠାରେ ଆଇଏସଆଇଏସ ଦ୍ୱାରା ଆକ୍ରମଣ ଆଶଙ୍କା ଥିବାରୁ ଆମେରିକା ବାରମ୍ବାର ଆଫଗାନ ନାଗରିକଙ୍କୁ ଏଥିପାଇଁ ସତର୍କ କରାଇ ଦେଇଥିଲା। ସେହି ସତର୍କ ସୂଚନା ଆଧାରରେ ଗୁରୁବାର ପରକୁ ପର ସାତଟି ବିସ୍ଫୋରଣ ଘଟିଥିଲା। ଏଥିପାଇଁ ଇସଲାମିକ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସ ନିଜକୁ ଦାୟୀ କରିଛି। ଏହି ଘଟଣାକୁ ବିଶ୍ୱବ୍ୟାପୀ ଦୃଢ ନିନ୍ଦା କରାଯାଇଛି। ତାଲିବାନ ଆତଙ୍କି ଗୋଷ୍ଠୀ ମଧ୍ୟ ଘଟଣାକୁ ନିନ୍ଦା କରିବା ସହିତ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲା ସାଲେହ ଏହି ବିସ୍ଫୋରଣ ଆଇଏସଆଇଏସ ଏବଂ ତାଲିବାନର ମିଳିତ ଷଡଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ତାଲିବାନର ଜାଣତାରେ ସବୁକିଛି ହେଉଛି।

- Advertisement -

କାବୁଲ ବିମାନ ବନ୍ଦର ବାହାରେ ବିସ୍ଫୋରଣ ଘଟିବା ପରେ ଗୁଳି ଚାଳନା ଶବ୍ଦ ମଧ୍ୟ ଶୁଭିଥିଲା। ଠିକ ତାହା ପୂର୍ବରୁ ଇଟାଲିର ସାମରିକ ବିମାନ ପ୍ରାୟ ୧୦୦ ଲୋକଙ୍କୁ ନେଇ କାବୁଲ ବିମାନ ବନ୍ଦରରୁ ଉଡାଣ କରିବା ସମୟରେ ବିମାନ ଉପରକୁ ଗୁଳିମାଡ କରାଯାଇଥିଲା। ତେବେ ସୌଭାଗ୍ୟକୁ ବିମାନରେ ଗୁଳି ବାଜିନଥିଲା। ବିମାନ ବନ୍ଦର ବାହାରେ ଶତାଧିକ ଆଇଏସଆଇଏସ ଆତଙ୍କି ରହିଥିବା ଏବଂ ଯେକୌଣସି ସମୟରେ ବିମାନ ବନ୍ଦର ଉପରେ ରକେଟ ଆକ୍ରମଣ ହୋଇପାରେ ବୋଲି ଆମେରିକା ସତର୍କ କରାଇ ଦେଇଛି। ବିସ୍ଫୋରଣ ପରେ ଫ୍ରାନ୍ସ ନିଜର ରାଷ୍ଟ୍ରଦୂତଙ୍କୁ ତୁରନ୍ତ କାବୁଲରୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି। ଜର୍ମାନୀ ସରକାର ସେଠାରେ ନାଗରିକଙ୍କୁ ସ୍ଥାନାନ୍ତରଣ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସମୁଦାୟ କାବୁଲ ସହରରେ କର୍ଫ୍ୟୁ ଜାରି କରାଯିବା ସହିତ ମୋବାଇଲ ଇଂଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଏହାକୁ ନେଇ ଜାତିସଂଘର ମହାସଚିବ ସୁରକ୍ଷା ପରିଷଦର ବୈଠକ ଡକାଇଥିବାବେଳେ ନାଟୋ ମୁଖ୍ୟ ମଧ୍ୟ ଏହାକୁ କଡା ନିନ୍ଦା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories