ନୂଆଦିଲ୍ଲୀ : ଜାତିସଂଘ ଦ୍ବାରା ଆତଙ୍କବାଦୀ ସଂଗଠନ ଘୋଷିତ ହୋଇଥିବା ତାଲିବାନ ଆଫଗାନିସ୍ତାନକୁ ବନ୍ଧୁକମୂନରେ କବ୍ଜା କରିବା ପରେ ଆତଙ୍କରାଜ ଆହୁରି ବଢିବା ଆଶଙ୍କା ସୃଷ୍ଟି ହୋଇଛି। ତାଲିବାନର ଆଫଗାନିସ୍ତାନ ଦଖଲକୁ ଆଇଏସଆଇଏସ, ଅଲ୍କାଏଦା, ଜୈସ-ଇମହମ୍ମଦ ଓ ଲସ୍କର -ଏ-ତୋଇବା ଭଳି ଆତଙ୍କବାଦୀ ସଂଗଠନ ଗୁଡିକ ପ୍ରଶଂସା ଓ ସମର୍ଥନ କରୁଥିବାରୁ ଏହାର ସୁଦୂର ପ୍ରସାରୀ ପ୍ରଭାବ ଏହାର ପଡୋଶୀ ରାଷ୍ଟ୍ରମାନଙ୍କ ଉପରେ ପଡିପାରେ ବୋଲି ଆଶଙ୍କା କରିଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ। ମାତ୍ର ଭାରତୀୟ ସେନା ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଜେନେରାଲ ରାୱତ୍ ଦୃଢତାର ସହ କହିଛନ୍ତି।
ଆଫଗାନିସ୍ତାନରେ ତାଲିବାନର ପ୍ରଭାବ ଯୋଗୁଁ ଏହାର ପ୍ରଭାବ ସ୍ବରୂପ ଭାରତରେ ଆତଙ୍କବାଦୀ ଗତିବିଧି ବଢିପାରେ ବୋଲି ସିଡିଏସ୍ ଜେନେରାଲ ବିପିନ ରାୱତ ବୁଧବାର ଦିଲ୍ଲୀରେ ଏକ କାର୍ଯକ୍ରମରେ ଯୋଗଦେଇ କହିଛନ୍ତି। ଏକବିଂଶ ଶତାବ୍ଦୀରେ ଭାରତ-ଆମେରିକା ସମ୍ବନ୍ଧ ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ତାଲିବାନ ସଂପର୍କରେ ଏଭଳି ଆଗୁଆ ଆକଳନ କରି ସେନା ସମସ୍ତ ପ୍ରସ୍ତୁତି କରିଛି। ୨୦ ବର୍ଷ ତଳର ତାଲିବାନ ଓ ଏବେକାର ତାଲିବାନ ମଧ୍ୟରେ କୌଣସି ଫରକ୍ ନାହିଁ। ଏଥର କେବଳ ସହଯୋଗୀ ବଦଳାଇ ତାଲିବାନ ଫେରିଛି। ତେବେ କେବଳ ଭାରତ ନୁହଁ; ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଆତଙ୍କବାଦ ଏକ ବଡ଼ ବିପଦ। ଆଫଗାନିସ୍ତାନର ଅସ୍ତ୍ରଶସ୍ତ୍ର ଭଣ୍ଡାର ଏବେ ତାଲିବାନ କବଜାକୁ ଚାଲିଆସିଛି। ଏହି ଅସ୍ତ୍ର ଭଣ୍ଡାରରେ ବିପୁଳ ପରିମାଣର ଆମେରିକୀୟ ଅସ୍ତ୍ରଶସ୍ତ୍ର ରହିଥିଲା। ସୂଚନା ଅନୁସାରେ ଏହି ଅସ୍ତ୍ରଶସ୍ତ୍ର ପାକିସ୍ତାନ ବୁହାଇବାରେ ଲାଗିଛି। ପାକିସ୍ତାନ ଉଗ୍ରବାଦୀମାନେ ଏହି ଅସ୍ତ୍ରଶସ୍ତ୍ରକୁ ଭାରତ ବିରୋଧରେ ବ୍ୟବହାର କରିପାରନ୍ତି ବୋଲି ଭାରତର ଏହି ପ୍ରମୁଖ ସେନା ଅଧିକାରୀ କହିଛନ୍ତି।
ଭାରତ ପାଇଁ ବିପଦ ବଢାଇପାରେ ତାଲିବାନ ! ଜବାବ ଦେବାକୁ ସେନା ପ୍ରସ୍ତୁତ: ସିଡିଏସ୍
Popular Categories



