ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟର ଚତୁର୍ଥ ପ୍ରତିଷ୍ଠା ଦିବସ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ କିସ୍ ବିଶ୍ୱବିଦ୍ୟାଳୟ ଶିକ୍ଷା ସହ ଗବେଷଣା କ୍ଷେତ୍ରରେ ଯେଭଳି ଅଧିକରୁ ଅଧିକ କାର୍ଯ୍ୟ କରିପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ। କିସ୍ ବିଶ୍ୱବିଦ୍ୟାଳୟ ଏକ ସଫଳ ଅନୁଷ୍ଠାନ ହେବା ପଛରେ ଯେଉଁ ନିଷ୍ଠାପର ଉଦ୍ୟମ ରହିଛି ତାକୁ ଗବେଷଣା ଓ ଅନ୍ୟାନ୍ୟ ଜରିଆରେ ଆହୁରି ଆଗକୁ ନେବାକୁ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ। କିଟ୍ ଓ କିସ୍ର ସମ୍ପାଦକ ଆର.ଏନ. ଦାଶ କହିଲେ, କିସ୍ ବିଶ୍ୱର ଏକ ଅନନ୍ୟ ଓ ଅଦ୍ୱିତୀୟ ଅନୁଷ୍ଠାନ। କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ ବେହେରା କହିଲେ, ଶିକ୍ଷା ଓ ଗବେଷଣାକୁ ଆଗକୁ ଆଗେଇ ନେବା ପାଇଁ କିସ୍ ବିଶ୍ୱବିଦ୍ୟାଳୟ ଖୁବ୍ କମ୍ ସମୟ ମଧ୍ୟରେ ବହୁ ଅନୁଷ୍ଠାନ ସହ ସହବନ୍ଧିତ ହୋଇସାରିଛି। ଏହା ସହିତ ବିଶ୍ୱବିଦ୍ୟାଳୟରେ ବିର୍ସା ମୁଣ୍ଡା ଓ ଲକ୍ଷ୍ମଣ ନାୟକଙ୍କ ଉପରେ ଦୁଇଟି ଗବେଷଣା ଚେୟାର ପ୍ରତିଷ୍ଠା କରାଯାଇଥିବା ଶ୍ରୀ ବେହେରା ସୂଚନା ଦେଇଥିଲେ। ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଉପକୁଳପତି ପ୍ରଫେସର ପୀତବାସ ସାହୁ, କିସ୍ ବିଶ୍ୱବିଦ୍ୟାଳୟର ମହାନିର୍ଦେଶକ କାହ୍ନୁ ଚରଣ ମାହାଲି ପ୍ରମୁଖ େଯାଗ େଦଇଥିଲେ। ଏହି ଅବସରରେ କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ବିର୍ସା ମୁଣ୍ଡା ଓ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିକୁ ଶ୍ରୀ ସାମନ୍ତ ଉନ୍ମୋଚିତ କରିଥିଲେ। କିସ୍ ବିଶ୍ୱବିଦ୍ୟାଳୟର ‘ରିସର୍ଚ୍ଚ ଚେୟାର’ ଦ୍ୱାରା ପ୍ରକାଶିତ ‘ଫିଲୋସୋଫି ଅଫ୍ ଭୀମଭୋଇ ଆଣ୍ଡ ମହିମା ଧର୍ମ’ ଏବଂ ମନସ୍ୱୀ ଗୋପବନ୍ଧୁ: ଶିକ୍ଷା ଓ ସାହିତ୍ୟ ଆଦି ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କିସ୍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପକୁଳସଚିବ ପ୍ରମୋଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କିସ୍ର ବିଭିନ୍ନ ରିସର୍ଚ୍ଚ ଚେୟାରର ପ୍ରଫେସର ଓ ଅନ୍ୟାନ୍ୟ ଡିନ୍ ଓ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



